ଭୁବନେଶ୍ବର: ୨୨ବର୍ଷ ତଳେ ଘଟିଥିବା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ କମିସନରେଟ୍ ପୁଲିସକୁ ସଫଳତା ମିଳିଛି। ଆଶ୍ଚର୍ଯ୍ୟଜନକ ଭାବରେ ମିଳିଥିବା ଏହି ସଫଳତା ପଛର କାହାଣୀ ବର୍ଣ୍ଣନା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ଘଟଣାରେ ତିନିଜଣ ସାମିଲ ଥିଲେ। ପ୍ରଦୀପ ସାହୁ ଓରଫ ପଦିଆ ଝାରପଡ଼ା ଜେଲ୍ରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଚୌଦ୍ବାର ଜେଲ୍ରେ ଅଛି। ୩ ମାସ ତଳେ ଯେତେବେଳେ ମୁଁ ଟୁନିଆକୁ ଚୌଦ୍ବାର ଜେଲ୍ରେ ଭେଟିଲି ସେତେବେଳେ ମୁଁ ଭାବିଲି ଯେ ମୁଖ୍ୟ ଅଭିଯୁକ୍ତ କୁଆଡ଼େ ଗଲା। ମୁଁ ଅଫିସ ଫେରିଲି। ପୁରୁଣା ଫାଇଲ୍ ମଗେଇଲି। ଘଟଣା ସମୟରେ ମୁଁ ବ୍ରହ୍ମପୁର ଏସ୍ପି ଥିଲି।
ଏହି ଫାଇଲ୍ ପଢ଼ିବା ପରେ ମୋ ଛାତି ଥରିଗଲା। ଯେଉଁଭଳି ଭାବରେ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ କରାଯାଇଥିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଖୋଳତାଡ଼ ବେଳେ ଜାଣିବାକୁ ପାଇଲି ବିବନ ‘ବିକେ’ ନାମରେ ଚର୍ଚ୍ଚିତ। ବିବନ ବିଶ୍ବାଳ ନାମ ସହିତ ସର୍ଟଫର୍ମ ବିକେର କୌଣସି ସମ୍ପର୍କ ନଥିବାରୁ ଅଧିକ ବୁଝାବୁଝି କଲି। ଜଣାପଡ଼ିଲା ସେ ନିଜକୁ ବାରଙ୍ଗ କିଙ୍ଗ୍ ବା ବିକେ ବୋଲି କହୁଥିଲା। ନିଜକୁ ବାରଙ୍ଗ ରାଜା ବୋଲି କହୁଥିବା ଲୋକଟା କ’ଣ ୨୨ ବର୍ଷ ଧରି ହଜିଗଲା? ରାଜ୍ୟସହ କୌଣସି ସମ୍ପର୍କ ରଖୁନାହିଁ? ସେ ନିଶ୍ଚୟ ରାଜ୍ୟ ସହ ସମ୍ପର୍କ ରଖୁଥିବ। ଯେହେତୁ ମୁଁ ମନସ୍ତତ୍ବବିତ୍ ଛାତ୍ର ସେଥିପାଇଁ ମୁଣ୍ଡରେ ନାନା ରକମର ଚିନ୍ତା ପଶିଲା। ୨୦୧୦ ମସିହାରେ ଜଷ୍ଟିସ୍ ବିକେ ନାଇଡୁ ମଧ୍ୟ ତାଙ୍କ ରାୟରେ ମୁଖ୍ୟ ଅଭିଯୁକ୍ତ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିବା ଦେଖିଲି। ଏଣୁ ବିବନ ପାତାଳରେ ଥିଲେ ବି ତାକୁ ଧରିବା ପାଇଁ ଶପଥ ନେଲି।
ଆମେ ଜାଣିଲୁ କି ଲୋକଟା ଅପରାଧୀ ହେଲେ ମଧ୍ୟ ଅପରାଧ ନ କରି କେଉଁଠି ନିରବ ବସିଛି, ଆତ୍ମଗୋପନ କରିଛି କିମ୍ବା ପରିଚୟ ବଦଳାଇ ଭୁଆଁ ବୁଲାଉଛି। ଏଣୁ ତାକୁ ଧରିବା ପାଇଁ ଆରମ୍ଭ ହେଲା ‘ସାଇଲେଣ୍ଟ ଭାଇପର’ ବା ନିରବ ବୋଡ଼ା ସାପ ଅପରେସନ। ତଦନ୍ତ ବେଳେ ଜଣାପଡ଼ିଲା କି ତା’ର ପରିବାରବର୍ଗ ତା ନାମରେ ଏକ ଡେଥ୍ ସାର୍ଟିଫିକେଟ୍ ବାହାର କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ପରିବାର ପାଖକୁ ନିୟମିତ ଟଙ୍କା ଆସୁଥିଲା। ଏଣୁ ଲାଗିଲା କି ଲୋକଟା ବଞ୍ଚିଛି। ସେଥିପାଇଁ ଅଧିକ ଖୋଳତାଡ଼ ହେଲା। କିଏ କହିଲା ସେ ବାଲେଶ୍ବରରେ ଡ୍ରାଇଭର ଅଛି। କିଏ କହିଲା ମଝିରେ ମଝିରେ ସେ ତ୍ରିଶୁଳିଆରେ ଆସି ରହୁଛି। ହେଲେ ସବୁ ମିଛ ବାହାରିଲା। ଶେଷରେ ଜଣାପଡ଼ିଲା ସେ ଜଳନ୍ଧର ସ୍ବାଇଁ ନାଁରେ ମୁମ୍ବାଇ ଆମ୍ବିଭାଲିରେ ଚାକିରି କରିଛି।
ଯଦି ହଠାତ୍ ଓଡ଼ିଶା ପୁଲିସ ମୁମ୍ବାଇରେ ପହଞ୍ଚି ଚଢ଼ଉ କରେ ତେବେ ସନ୍ଦେହ ହୋଇପାରେ। ସେଠାକାର ରୁରାଲ ଏସ୍ପି ଡ. ଅଭିନବ ଦେଶମୁଖ, ଏଏସ୍ପି ନଭନୀତ କନୱଲ ମୋର ପରିଚିତ ଥିଲେ। ମୁଁ ଯୋଗାଯୋଗ କରିଥିଲି। ଆମ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ପହଞ୍ଚିବା ପରେ ମିଳିତ ଚଢ଼ଉ ହୋଇଥିଲା। ଆମ୍ବିଭାଲି ଠାରୁ ୩ କିଲୋମିଟର ଦୂରରେ ଏକ କ୍ବାର୍ଟରରେ ସେ ରହୁଥିଲା। ସେଠାରେ ଚଢ଼ଉ ବେଳେ ସେ ଦଉଡ଼ି ପଳାଉଥିଲା। ତାକୁ ଟିମ୍ ମାଡ଼ି ବସିଥିଲା। ସେଠାରେ ଥିବା କାଗଜପତ୍ର ଯାଞ୍ଚ ବେଳେ ତା’ ପୁଅ ଓ ସ୍ତ୍ରୀର ଆଧାରକାର୍ଡ ମିଳିବାରୁ ଆମେ ନିଶ୍ଚିତ ହୋଇଥିଲୁ।
ଏହି ଅପରେସନକୁ ମୁଁ ନିଜେ ପରିଚାଳନା କରୁଥିଲି। ମାତ୍ର ଚାରିଜଣ ଅଫିସର ଏହି ଅପରେସନ ବିଷୟରେ ଜାଣିଥିଲେ। ସେମାନେ ହେଲେ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ପେସାଲ ସ୍କ୍ବାଡ୍ ଇନ୍ସ୍ପେକ୍ଟର ଅଜୟ ଦାସ ଓ ବାରଙ୍ଗ ଥାନା ଇନ୍ସ୍ପେକ୍ଟର ଶଶିକାନ୍ତ ରାଉତ। ଅତ୍ୟନ୍ତ ଗୁପ୍ତରେ ଆମେ ଅସମ୍ଭବ ଭଳି ମନେ ହେଉଥିବା ଏହି ଅପରେସନକୁ ସଫଳ କରିଥିଲୁ।