କୁଳମଣିଙ୍କୁ ଡଟ୍‌ସ ସେବା ମିଳିବ କେମିତି?

ଭୁବନେଶ୍ବର : ଟିବି ରୋଗର ଚିକିତ୍ସା ପାଇଁ ସରକାର ମାଗଣା ଡଟ୍‌ସ ସେବା ବ୍ୟବସ୍ଥା କରିଛନ୍ତି। ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଡଟ୍‌ସ ସେବା ଯୋଗାଉଥିବା କର୍ମୀମାନେ ଏଭଳି ରୋଗୀଙ୍କୁ ଘରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମାତ୍ର ଏମିତି ବି ରୋଗୀ ଅଛନ୍ତି, ଯେଉଁମାନଙ୍କୁ ଠାବ କରାଯାଇପାରୁନାହିଁ। ରାଜଧାନୀର ରାଜରାସ୍ତାରେ ବୁଲୁଥିବା ନିରାଶ୍ରୟମାନେ ଏଭଳି ରୋଗରେ ପୀଡ଼ିତ ହେଲେ, ସେମାନଙ୍କୁ ଏହି ସେବା ମିଳୁ ନାହିଁ। ଏମିତି ଜଣେ ଯକ୍ଷ୍ମା ରୋଗୀଙ୍କୁ ଏବେ ଦେଖିବାକୁ ମିଳୁଛି ରସୁଲଗଡ଼ ଛକରେ। ସେ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର କୁଳମଣି ନାୟକ। ତୁରନ୍ତ ତାଙ୍କୁ ଡଟ୍‌ସ ସେବା ନ ମିଳିଲେ, ସେ କିଛି ଦିନ ଭିତରେ ଗୁରୁତର ହୋଇପଡ଼ିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଦୀର୍ଘ ବର୍ଷ ପୂର୍ବେ କୁଳମଣି ଗାଁ ଛାଡ଼ି ରାଜଧାନୀରେ ଏକ କ୍ରସରରେ କାମ କରୁଥିଲେ। ଧୂଳି ଧୂସର ହୋଇ କାମ କରିବା ଦ୍ବାରା ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହେଲେ। କ୍ରସର ମାଲିକ କିଛି ଦିନ ପାଇଁ ତାଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ। ମାତ୍ର ରୋଗ ଭଲ ନ ହେବାରୁ ତାଙ୍କୁ ଛାଡ଼ିଦେଲେ। ସେହି ଦିନରୁ ନିରାଶ୍ରୟ ହୋଇ ରାଜଧାନୀର ରାଜରାସ୍ତାରେ ଭାଗ୍ୟକୁ ଆଦରି ବୁଲୁଛନ୍ତି କୁଳମଣି। ସଂସାର କହିଲେ ସେ ଏକା। ଭାଇ ଭଉଣୀମାନେ ପଚାରୁ ନାହାନ୍ତି। କାମ କରିବା ଜୁ’ ଥିଲା ବେଳେ ସେ କାହା ପାଖରେ ହାତ ପାତୁନଥିଲେ। ଏବେ ପରିଣତ ବୟସରେ କେହି ଆତ୍ମୀୟସ୍ବଜନ ପଚାରୁନଥିବାରୁ ସେ ଭିକ ମାଗୁଛନ୍ତି। ଦିନ ବେଳେ ରସୁଲଗଡ଼ ପେଟ୍ରୋଲ ପମ୍ପ ନିକଟରେ ବସି ରହୁଥିବା ବ‌େଳେ ରାତିରେ ବାଣୀବିହାର ଷ୍ଟେସନ ପରିସରରେ ଶୋଉଛନ୍ତି। ଦିନ ବେଳେ ମାଗି ମାଗି କିଏ ଯଦି ମୁଠାଏ ଖାଇବାକୁ ଦିଏ ଖାଆନ୍ତି। ଦିନେ ଦିନେ କିଛି ମିଳେନି। ପେଟ୍ରୋଲ ପମ୍ପରୁ ପାଣି ପିଇ ଦିନ କାଟିବାକୁ ପଡ଼େ ବୋଲି ସେ ଲୁହ ଛଳଛଳ ଆଖିରେ କହିଛନ୍ତି। ବଡ଼ ସମସ୍ୟା ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଟିବି ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ଲୋକମାନେ କେହି ପାଖରେ ପୂରାଉନାହାନ୍ତି। ରାତିରେ ଷ୍ଟେସନ ନିକଟ ହୋଟେଲରେ କେହି ଦି’ଟା ଖାଇବାକୁ ଦେଲେ ଖାଆନ୍ତି, ନଚେତ୍ ଷ୍ଟେସନର ପାଣି ପିଇ ଶୋଇପଡ଼ୁଛନ୍ତି। କେହି ସହୃଦୟ ବ୍ୟକ୍ତି ତାଙ୍କୁ ଚିକିତ୍ସାରେ ସହଯୋଗ କଲେ, କୁଳମଣି ବଞ୍ଚିପାରନ୍ତେ। ମାତ୍ର ଏ ପର୍ଯ୍ୟନ୍ତ କାହାରି ନଜର ତାଙ୍କ ଉପରେ ପଡ଼ିନାହିଁ। ତୁରନ୍ତ ବିଏମ୍‌ସି ପ୍ରଶାସନ ତାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର