ଭୁବନେଶ୍ୱର : ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବା ସହ ଜରୁରି ସେବା ପ୍ରଦାନ କରିବା ପାଇଁ ବିଏମ୍‌ସି ପ୍ରସ୍ତୁତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ସରକାର ୩୦ଟି ୱାର୍ଡ ଅଫିସ୍‌ ପାଇଁ ଆବଶ୍ୟକ ଜମି ବିଏମ୍‌ସିକୁ ହସ୍ତାନ୍ତର କରିଛନ୍ତି। ଏହି ଜମିରେ ବିଏମ୍‌ସି ୱାର୍ଡ ଅଫିସ୍‌ ନିର୍ମାଣ କରିବାକୁ ଟେଣ୍ଡର ଡାକିଛି। ଅନ୍ୟପଟେ ୱାର୍ଡ ଅଫିସ୍‌ରେ ହିଁ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ହେବ। ତିନିଟି ଜୋନ୍‌ରେ ନୋଡାଲ ଅଧିକାରୀଙ୍କୁ କ୍ଷମତାସୀନ କରାଯିବ ସହ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଅନ୍ୟପଟେ ୱାର୍ଡ ଅଫିସ୍‌କୁ ପରିଚାଳନା କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଚୟନ ପ୍ରକ୍ରିୟା ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ନୋଡାଲ ଅଧିକାରୀମାନଙ୍କୁ ନେଇ ନୂଆ ୱାର୍ଡ ଅଫିସ୍‌ କାର୍ଯ୍ୟକ୍ଷମ ହେଲେ ସାଧାରଣ ଲୋକଙ୍କୁ ସେବା ଓ ଅଭିଯୋଗର ସମାଧାନ ତ୍ବରିତ ହେବ ବୋଲି ଆଶା ପ୍ରକାଶ ପାଇଛି।

Advertisment

୩୦ ୱାର୍ଡ ଅଫିସ୍‌ ପାଇଁ ବିଏମ୍‌ସି ଟେଣ୍ଡର ଡାକିଛି। ପ୍ରାୟ ୩ ମାସ ମଧ୍ୟରେ ଏହି ସବୁ ୱାର୍ଡ ଅଫିସ୍‌ ନିର୍ମାଣ କରିବାକୁ ଯୋଜନା ହୋଇଛି। ଗୋଟିଏ ୱାର୍ଡ ଅଫିସ୍‌କୁ ୪୭ ଲକ୍ଷ ୯୧ ହଜାର ଟଙ୍କା ହିସାବରେ ୩୦ ୱାର୍ଡ ଅଫିସ୍‌ ପାଇଁ ୧୪ କୋଟି ୩୭ ଲକ୍ଷ ୩୦ ହଜାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଢାଞ୍ଚାରେ ଏ ସବୁ ନିର୍ମାଣ ହେବାକୁ ଯୋଜନା ହୋଇଛି। ଅନ୍ୟପଟେ ଅଭିଯୋଗ ଶୁଣାଣି ପାଇଁ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ଇଞ୍ଜିନିୟର, ସିଭିଲ୍‌ ଜେଇ ଓ ଏଇଙ୍କୁ ନୋଡାଲ ଅଫିସର କରାଯାଇଛି। ଏମାନେ ପ୍ରତିଦିନ ୱାର୍ଡ ଅଫିସ୍‌ରେ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ବସିବେ। ଲୋକମାନେ ଏମାନଙ୍କୁ ଅଭିଯୋଗପତ୍ର ଦେବେ। ଏହି ଅଫିସରମାନଙ୍କର ହ୍ବାଟ୍‌ସ୍‌ ଆପ୍‌ ନମ୍ବର ସର୍ବସାଧାରଣରେ ପ୍ରସାରିତ ହେବ। ଏହି ନମ୍ବର ଜରିଆରେ ସାଧାରଣ ଲୋକ ହ୍ବାଟ୍‌ସ୍‌ ଆପ୍‌ରେ ଅଭିଯୋଗ ପଠାଇବେ।

‘ଭୁବନେଶ୍ବର ଡଟ୍‌ ଏମ୍‌ଇ’ ଜରିଆରେ ଆସୁଥିବା ଅଭିଯୋଗ ସମ୍ପୃକ୍ତ ୱାର୍ଡ ଅଫିସ୍‌କୁ ପଠାଇ ଦିଆଯିବ। ଯେଉଁ ନୋଡାଲ ଅଫିସର କୌଣସି କାରଣରୁ ଅନୁପସ୍ଥିତ ରହିବେ ସେମାନେ ସେହି ଦିନ ସନ୍ଧ୍ୟା‌ରେ ସମସ୍ତ ଅଭିଯୋଗପତ୍ର ସଂଗ୍ରହ କରିବେ ଏବଂ ନିଜ ନିଜ ସ୍ତରରେ ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବେ। ସମାଧାନ ନ ହେଲେ ୨୪ ଘଣ୍ଟା ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇବେ। କୌଣସି ପରିସ୍ଥିତିରେ ଅଭିଯୋଗପତ୍ର ଅଣଦେଖା ରହିବ ନାହିଁ। ବଡ଼କଥା ହେଉଛି ଏହି ନୋଡାଲ ଅଧିକାରୀଙ୍କ ଜରିଆରେ ହିଁ ଜୋନାଲ୍‌ ଡେପୁଟି କମିସନର(ଜେଡ୍‌ଡିସି)ମାନେ ଅଭିଯୋଗପତ୍ର ଗ୍ରହଣ କରିବେ। ଯେଉଁ ଅଭିଯୋଗ ନୋଡୋଲ ଅଫିସରଙ୍କ ଜରିଆରେ ଆସି ନଥିବ ସେମାନେ ଗ୍ରହଣ କରିବେ ନାହିଁ। ପ୍ରତ୍ୟେକ ୱାର୍ଡ ଅଫିସ୍‌ରେ ଏଥିପାଇଁ ଏକ ରେଜିଷ୍ଟ୍ରର ରହିବ। କିଏ କେଉଁ ଦିନ କି ପ୍ରକାରର ଅଭିଯୋଗ ଦେଲା ତାହାର ବିବରଣୀ ସେଠାରେ ରେକର୍ଡ ହେବ। ଜେଡ୍‌ଡିସିମାନେ ନିୟମିତ ଏହାର ସମୀକ୍ଷା କରିବେ। ଯେଉଁସ୍ତରରେ ଅଭିଯୋଗର ସମାଧାନ ବାଧାପ୍ରାପ୍ତ ହୋଇଥିବା ତାହା ଖୋଜିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅଭିଯୋଗକାରୀକୁ ଅଭିଯୋଗପତ୍ରର ସ୍ଥିତାବସ୍ଥା ସମ୍ପର୍କରେ ସୂଚାଇ ଦିଆଯିବ।

ହେଲେ ଏ ସବୁ କିଭଳି ସମ୍ଭବ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଏମ୍‌ସିରେ ୬୭ ୱାର୍ଡ ପାଇଁ ୪୭ ଜଣ ୱାର୍ଡ ଅଫିସର ରହିଛନ୍ତି। ଜଣେ ଜଣେ ୱାର୍ଡ ଅଫିସର ଦୁଇ ଦୁଇଟି ୱାର୍ଡ ଦାୟିତ୍ବରେ ରହିଛନ୍ତି। ଏମାନେ ହୋଲ୍ଡିଂ ଟ୍ୟାକ୍ସ, ନୂଆ ହୋଲ୍ଡିଂ ଆକଳନ ଓ ପୁନଃ ଆକଳନ କାମରେ ନିୟୋଜିତ ଅଛନ୍ତି। ସକାଳ ୮ଟା ବେଳେ ଫିଲ୍ଡରେ ଥାଇ ସେଲ୍‌ଫି ପଠାଇବା ପାଇଁ ମୌଖିକ ନିର୍ଦ୍ଦେଶ ରହିଛି। ସକାଳ ୮ରୁ ଏମାନେ ଘର ଘର ବୁଲି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ। ଠିକ୍‌ ସେହିଭଳି ଏମାନେ ପରିମଳ ଦାୟିତ୍ବରେ ମଧ୍ୟ ରହିଛନ୍ତି। ବିଭିନ୍ନ ଅଞ୍ଚଳ ବୁଲି ପରିମଳ କଟକଣା ଉଲ୍ଲଂଘନ ହୋଇଥିଲେ ଜରିମାନା କରୁଛନ୍ତି। ଏଣୁ ଏମାନେ ସବୁଦିନ ୩ ଘଣ୍ଟା ଅଫିସ୍‌ରେ ବସି ଅଭିଯୋଗପତ୍ର ଗ୍ରହଣ କରିବେ କେମିତି? ଠିକ୍‌ ସେହିଭଳି ୩ ଜଣ ସ୍ଥାୟୀ ଓ ୨୩ ଜଣ ଏଭଳି ମୋଟ ୨୬ କମ୍ୟୁନିଟି ଅର୍ଗାନାଇଜର ରହିଛନ୍ତି। ୬୭ ୱାର୍ଡ ଅଫିସ୍‌ରେ ଏମାନେ କିଭଳି ବସିବେ? ସେହିଭଳି ୫୭ ଜଣ ଏସ୍‌ଆଇ ବା ପରିମଳ ନିରୀକ୍ଷକ ରହିଛନ୍ତି। ପରିମଳ ବ୍ୟବସ୍ଥାରେ ଏମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏବେ ପରିମଳକୁ ଗୁରୁତ୍ବର ସହ ‌ନିଆଯାଇଥିବାରୁ ଅଧିକାଂଶ ସମୟ ଏମାନଙ୍କର ଫିଲ୍ଡ ଡ୍ୟୁଟି ରହିଛି। ଏଣୁ ୱାର୍ଡ ଅଫିସ୍‌ରେ ପ୍ରତିଦିନ ଏମାନେ କିଭଳି ବସିବେ ସେ ନେଇ ପ୍ରଶ୍ନ ଉଠିଛି।