ଭୁବନେଶ୍ବର: ଭାରତରେ ଏଚ୍‌ପିଭି ସମ୍ୱନ୍ଧୀୟ ଗର୍ଭାଶୟ କର୍କଟ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏହା ମହିଳାମାନଙ୍କ ମଧ୍ୟରେ ଦେଖାଦେଉଥିବା ଦ୍ୱିତୀୟ ସାଧାରଣ କର୍କଟ ଭାବେ ସ୍ଥାନ ପାଇଛି। ଭାରତରେ ବାର୍ଷିକ ୧.୨୩ ଲକ୍ଷରୁ ଅଧିକ ନୂତନ ଗର୍ଭାଶୟ କର୍କଟ ମାମଲା ଓ ୭୭,୦୦୦ ରୁ ଅଧିକ ମୃତ୍ୟୁ ରିପୋର୍ଟ ହେଉଛି। ଏହା ବ୍ୟତୀତ ପାଖାପାଖି ୯୦% ମଳଦ୍ବାର କର୍କଟ ଏବଂ ୬୩% ‌ଯୌନାଙ୍ଗ କର୍କଟ ଏଚ୍‌ପିଭି ସହିତ ଜଡ଼ିତ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ନେତୃତ୍ବରେ କନ୍‌କର୍‌ ଏଚ୍‌ପିଭି ଓ କ୍ୟାନ୍‌ସର୍‌ କନ୍‌କ୍ଲେଭ୍‌-୨୦୨୫ରେ ଯୋଗଦେଇ କର୍କଟ ଚିକିତ୍ସା ବିଶେଷଜ୍ଞମାନେ ଏହା କହିଛନ୍ତି।
ହୋଟେଲ ମେଫେୟାର୍‌ରେ ଆୟୋଜିତ ଏହି ଆଲୋଚଚକ୍ରରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ତୁଷାର କର, ସ୍ତ୍ରୀରୋଗ ଅଙ୍କୋଲୋଜି ପ୍ରଫେସର ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ, ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶ, ଆଇଭିଏଫ୍‌ର ନିର୍ଦ୍ଦେଶକ ପ୍ୟାରିଲାଲ ତ୍ରିପାଠୀ, ‘ସମ୍ଭବ’ର ପ୍ରତିଷ୍ଠାତା ଶୁଶ୍ରୁତ ଦାସ ଅଂଶଗ୍ରହଣ କରିଥିଲେ। ୧୫ରୁ ୨୫ ବର୍ଷ ବୟସ ମଧ୍ୟରେ ଏଚ୍‌ପିଭି ସଂକ୍ରମଣର ଆଶଙ୍କା ଅଧ‌ିକ ରହିଥାଏ। ଏଣୁ ପ୍ରାରମ୍ଭିକ ସଚେତନତା ଏବଂ ସମୟୋଚିତ ପ୍ରତିରୋଧକ ପଦକ୍ଷେପ ଜରୁରି। ବର୍ତ୍ତମାନ ଏଚ୍‌ପିଭି ଟିକା ସହିତ ଏଚ୍‌ପିଭି ସମ୍ୱନ୍ଧିତ କର୍କଟରୁ ପ୍ରତ୍ୟେକ ବ୍ୟକ୍ତିକୁ ସୁରକ୍ଷା ଦେବା ପାଇଁ ଚିକିତ୍ସା ସହଜ ହୋଇଛି ବୋଲି ବକ୍ତାମାନେ କହିଥିଲେ। ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଅଗ୍ରୱାଲ ଆଲୋଚନାକୁ ପରିଚାଳନା କରିଥିଲେ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶମୁଖ କହିଛନ୍ତି, ଦେଶବ୍ୟାପୀ ଆୟୋଜିତ ଏହି ସମ୍ମିଳନୀ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ଅନୁଷ୍ଠାନ ଲକ୍ଷ୍ୟ ରଖିଛି।