ଭୁବନେଶ୍ବର : ଫେସ୍ବୁକ୍ରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ସହ ବନ୍ଧୁତା ହେଲା। ସମ୍ପର୍କ ବି ବଢ଼ିଲା। ଆଉ ୧୦ ଲକ୍ଷ ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଲେ। ଏଭଳି ଏକ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଞ୍ଚେଶ୍ବର ଜିଜିପି କଲୋନିର ଆଲୋକ ଜେନା ଓରଫ ଚିକୁ(୨୮) ଓ ସତ୍ୟଜିତ ପ୍ରଧାନ ଓରଫ ସିତୁ(୩୭)। ପୁଲିସ ସେମାନଙ୍କଠାରୁ ଗୋଟିଏ କାର୍ ଓ ଦୁଇଟି ମୋବାଇଲ୍ ଜବତ କରିଛି।
ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ଫେସ୍ବୁକ୍ରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ର ଛାତ୍ରୀଙ୍କ ସହ ଚିକୁର ବନ୍ଧୁତା ହୋଇଥିଲା। ଏହାପରେ ମେସେଞ୍ଜର ଚାଟିଂରୁ ଫୋନ୍ରେ କଥା ବାର୍ତ୍ତା ପର୍ଯ୍ୟନ୍ତ କଥା ବଢ଼ିଥିଲା। ଧୀରେ ଧୀରେ ସମ୍ପର୍କ ନିବିଡ଼ ହେବା ପରେ ଭଡିଓ କଲ୍ରେ ଚାଟିଂ କରିଥିଲେ। ପରସ୍ପର ବିଭିନ୍ନ ସ୍ଥାନକୁ ଯାଇ ବୁଲାବୁଲି କରିଥିଲେ। କିଛିଦିନ ତଳେ ଚିକୁ ଓ ତା’ର ସାଙ୍ଗ ସିତୁ ଯୁବତୀଙ୍କୁ ନେଇ ମଞ୍ଚେଶ୍ବର ସ୍ଥିତ ଏକ ରେସ୍ତୋରାଁକୁ ଆସିଥିଲେ। ଆଉ ସେଠାରେ ଥିବା ଏକ ହୋଟେଲ୍କୁ ଯିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲେ। ଯୁବତୀ ରାଜି ନହେବାରୁ ତାଙ୍କର ଫଟୋ ଓ ଭିଡିଓ ଭାଇରାଲ୍ ପାଇଁ ଧମକ ଦେଇଥିଲେ। ଏମିତିକି ୧୦ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ପାଇଁ ବାରମ୍ବାର ଧମକ ଦେଇଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।