ଅସହାୟର ଆଶାବାଡ଼ି ସାଜିଛନ୍ତି ହୃଦାନନ୍ଦ

ଭୁବନେଶ୍ୱର: କରୋନା ସମୟରେ ଅସହାୟର ଆଶାବାଡ଼ି ସାଜି ଉଦାହରଣ ସାଜିଛନ୍ତି ଯାଜପୁର ଜିଲ୍ଲା ଟୋଲକାନି ଗ୍ରାମର ୨୩ ବର୍ଷୀୟ ଯୁବକ ହୃଦାନନ୍ଦ ପୃଷ୍ଟି। ବିଶେଷକରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ସହ ଗରିବ ପିଲାଙ୍କୁ ପାଠ୍ୟୋପକରଣ ଯୋଗାଇବା ଓ ନିଯୁକ୍ତି ହରାଇଥିବା ଲୋକଙ୍କୁ ‌ରୋଜଗାର ବାଟ ବତାଇବା ଭଳି କାମ କରି ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। କରୋନା ଯୋଦ୍ଧାମାନଙ୍କର ସମ୍ମାନ ପାଇଁ ସେ ‘ଫ୍ରଣ୍ଟ୍‌ଲାଇନ୍‌ ୱାରିଅର’ ନାଁରେ ଏକ ଇଂରାଜୀ ପତ୍ରିକା ପ୍ରକାଶ କରୁଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ ଏଭଳି ପତ୍ରିକା ଭାରତର ପ୍ରଥମ ବୋଲି କୁହାଯାଏ। ସେ ନିଜ କଲେଜର କିଛି ଜୁନିୟର ପିଲାଙ୍କୁ ନେଇ ଏହି ପତ୍ରିକା ପ୍ରକାଶ କରୁଛନ୍ତି। ଏହି ପତ୍ରିକା ପାଇଁ ତଥ୍ୟ ସଂଗ୍ରହ କରୁଥିବା ବେଳେ ସେ ବହୁ ଅସହାୟ ଲୋକଙ୍କ ସମ୍ପର୍କରେ ଆସିଥିଲେ। ତେଣୁ ସେମାନଙ୍କୁ ସାହାଯ୍ୟ କରିବାକୁ ସେ ଉପାୟ ବାହାର କରିଥିଲେ।

କୋଭିଡ୍‌ ସମୟରେ ଅସୁବିଧାରେ ଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ୨୦୨୦ ଜୁଲାଇରେ ସେ ଆରମ୍ଭ କରିଥିଲେ ଅନ୍‌ଲକ୍‌ ଏଜୁକେସନ୍‌ ନାମରେ ଏକ ପ୍ଲାଟଫର୍ମ। ସେହି ପ୍ଲାଟଫର୍ମ ମାଧ୍ୟମରେ ସେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଅନ୍‌ଲାଇନ୍‌ ଶିକ୍ଷାଦାନ କରିଥିଲେ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ଆୟୁଷୀ ସ୍ୱାଇଁ, ପଦ୍ମଜା ମେହେର ଓ ଅନ୍ୟମାନେ। ପରେ ସେ ଅନୁଭବ କରିଥିଲେ ଏହା କେବଳ ସୀମିତ ଛାତ୍ରଛାତ୍ରୀଙ୍କ କାମରେ ଲାଗିଲା। ତେଣୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେ ଆରମ୍ଭ କରିଥିଲେ ରିଜୁମ୍‌ ଏଜୁକେସନ। ଏହା ମାଧ୍ୟମରେ ସେ ଛାତ୍ରଛାତ୍ରୀମାନଙ୍କ ପାଇଁ ବହି, ନୋଟ୍‌ ଆଦି ପ୍ରସ୍ତୁତ କରି ମାଗଣାରେ ବାଣ୍ଟିଥିଲେ। ଅନ୍‌ଲକ୍‌ ଏଜୁକେସନ୍‌ ଅଧୀନରେ ସେ ଅନ୍‌ଲକ୍‌ ସ୍କିଲ୍‌ ମିସନ କାର୍ଯ୍ୟକାରୀ କଲେ ଓ ତା’ ଜରିଆରେ ବିଭିନ୍ନ ଆର୍ଟ, ନାଚ, ଗୀତ, ଅଦରକାରୀ ବସ୍ତୁକୁ ବ୍ୟବହାର ଉପଯୋଗୀ କରିବା ଆଦି ଉପରେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରିଥିଲେ। ଅନ୍‌ଲକ୍‌ ସ୍କିଲ୍‌ ମିସନରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ଦକ୍ଷତା ବିକାଶ କରାଇଥିଲେ। ଏତିକିରେ ଅଟକି ଯାଇନଥିଲେ ହୃଦାନନ୍ଦ। କରୋନା ସମୟରେ ଚାକିରି ହରାଇଥିବା ଲୋକମାନଙ୍କ ପାଇଁ ଗତ ଅକ୍ଟୋବର ମାସରେ ସେ ଆରମ୍ଭ କରିଥିଲେ ଅନ୍‌ଲକ୍‌ ସ୍ମାଇଲ୍‌ ନାମରେ ଏକ ଏନଜିଓ। ଏହି ସଂସ୍ଥା ଦ୍ୱାରା ରୋଜଗାର ହରାଇଥିବା ଲୋକମାନଙ୍କୁ ସେ ବିଭିନ୍ନ ରୋଜଗାର ପନ୍ଥା ବତାଇଥିଲେ।

ମହିଳାମାନଙ୍କ ପାଇଁ ସେ ୨୦୨୧ ଜାନୁଆରି ୧ରୁ ଆରମ୍ଭ କରିଛନ୍ତି ଅଭିଧାନ ମିସନ୍‌। ଏହା ସହାୟତାରେ ସେ ଅଳ୍ପ ବୟସରୁ ବିବାହ କରିଥିବା ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୮୨ ଜଣ ଯୁବତୀ ବର୍ତ୍ତମାନ ତାଙ୍କ ତାଙ୍କ ମିସନ୍‌ରେ ଯୋଗ ଦେଇ ଅସହାୟ ମହିଳାମାନଙ୍କୁ ସାହାଯ୍ୟ ଯୋଗାଇ ଆସୁଛନ୍ତି। ମହିଳାଙ୍କ ମାସିକ ଋତୁସ୍ରାବ ଉପରେ ସେ କରିଥିବା ପ୍ରକଳ୍ପ ‘ପ୍ରୀତି’(ସର୍ବଭାରତରେ ପ୍ରଥମ ପ୍ରକଳ୍ପ) ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ପେନାଲିଷ୍ଟ ପ୍ରୀତିସୁଧା(ପୂର୍ବତନ ଆଇଏଏସ)ଙ୍କ ସମେତ ବହୁ ପ୍ରଶାସକ ତାଙ୍କୁ ପ୍ରଶଂସା କରିଛନ୍ତି। ଅନ୍‌ଲକ୍‌ ଏଜୁକେସନ୍‌ ଏବଂ ଅନ୍‌ଲକ୍‌ ସ୍ମାଇଲ୍‌ ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କୁ ସମ୍ମାନିତ କରିଛନ୍ତି। ହୃଦାନନ୍ଦ କୁହନ୍ତି, ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଆଦର୍ଶ ବୋଲି ସେ ମାନନ୍ତି। ଅନ୍‌ଲକ୍‌ ଏଜୁକେସନ୍‌ରେ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ମାଗଣାରେ ଶିକ୍ଷା ଲାଭ କରୁଛନ୍ତି। ଅନ୍‌ଲକ୍‌ ସ୍ମାଇଲ୍‌ରେ ସେ ୮୦ରୁ ୧୦୦ ପରିବାରକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଛନ୍ତି। ଏକ ପରିବାର ମୁହଁରେ ହସ ଫୁଟାଇବା ତାଙ୍କ ଟିମ୍‌ର ଲକ୍ଷ୍ୟ। ଅଭିଧାନ ମିସନ ସାହାଯ୍ୟରେ ବହୁ ମହିଳା ସାହାଯ୍ୟ ପାଇଛନ୍ତି। ବର୍ତ୍ତମାନ ତାଙ୍କ ଟିମ୍‌ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ରୁ ଅଧିକ ଯୁବକ ଯୁବତୀ ରହିଛନ୍ତି। ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ତିରୋଧାନ ହୋଇଯାଇଥିବାରୁ ତାଙ୍କ ସହ ଜଡିତ ଥିବା ସମସ୍ତ ପିଲାଙ୍କର ବଡ଼ ଭାଇ ଭାବେ ସେ ସେମାନଙ୍କ ହେପାଜତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର