ଜଟଣୀ: ଦୀପାବଳି ପାଇଁ ଜଟଣୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ତିଆରି ଚାଲିଛି। ବାଣ ବ୍ୟବସାୟୀମାନେ ପୁଲିସକୁ ଚକ୍ମା ଦେଇ ଘରେ ବାଣ ତିଆରି କରି ବିକ୍ରି କରୁଛନ୍ତି। ଖବର ପାଇବା ପରେ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଆଜି ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ମଝିସାହି ଗ୍ରାମରେ ବେଆଇନ ବାଣ ତିଆରି ସହ ବିକ୍ରି ହେଉଥିବା ଅଭିଯୋଗରେ ପୁଲିସ ଚଢ଼ଉ କରିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଦେଶୀ ଓ ଚାଇନା ବାଣ ଜବତ କରିଛି। ଏଥିସହ ଦୁଇ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଛବୀନ୍ଦ୍ର କୁମାର ସୁବୁଦ୍ଧି ଓରଫ ଛବି (୪୯) ଓ ପବିତ୍ର ସୁବୁଦ୍ଧି ଓରଫ ପବି (୪୬)। ସେମାନଙ୍କ ନିକଟରୁ ୨୦ପ୍ରକାରର ବାଣ ଜବତ କରାଯାଇଛି। ତେବେ ଅଭିଯୁକ୍ତ ଦୁଇ ଜଣ ସମ୍ପର୍କରେ ଭାଇ ହୋଇଥିବା ବେଳେ ସେମାନେ ଦୀର୍ଘ ଦିନ ହେଲା ଗ୍ରାମର ନିଜ ଘରେ ବାଣ ଭିଡ଼ିବା ସହ ବିକ୍ରି ପାଇଁ ଗଚ୍ଛିତ ରଖିଥିଲେ।
ସୂଚନାଯୋଗ୍ୟ ଯେ, ଜଟଣୀ ଥାନା ଅଞ୍ଚଳର କୁସୁମାଟି ମଝିସାହିରେ ଦୀର୍ଘ ଦିନ ହେଲା ଗିରଫ ଦୁଇ ଭାଇ ନିଜ ଘରେ ବାଣ ଭିଡ଼ିବା ସହ ବାହାରୁ ବାଣ ଆଣି ଗଚ୍ଛିତ ରଖିଥିଲେ। ଚଳିତବର୍ଷ ଦୀପାବଳି ପାଇଁ ବିକ୍ରି ଆରମ୍ଭ କରି ଦେଇଥିଲେ। ହେଲେ ଆଜି ସକାଳେ ପୁଲିସର ଏକ ଟିମ୍ ଖବର ପାଇ ଅତର୍କିତ ଚଢ଼ଉ କରିଥିଲା। ଗ୍ରାମରେ ବେଆଇନ ବାଣ ତିଆରି କରି ବିକ୍ରି କରିବା ଘଟଣାକୁ ଗ୍ରାମବାସୀମାନେ ନାପସନ୍ଦ କରିବା ସହ ଭୟଭୀତ ଅବସ୍ଥାରେ ରହିଥିଲେ। ପୁଲିସ ଚଢ଼ଉ ସମୟରେ ସେମାନଙ୍କ ନିକଟରେ କୌଣସି ଲାଇସେନ୍ସ ନଥିବା ଜାଣିବାକୁ ପାଇଥିଲା। ଜବତ ବାଣ ଗୁଡ଼ିକ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ଥାନାରେ କେସ ନଂ ୩୭୫/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଅଭିଯୁକ୍ତମାନେ କେଉଁ ଜାଗାରୁ ବାଣ କିଣୁଥିଲେ ଏବଂ ସେମାନେ ଆଉ କେଉଁଠି ବାଣ ସବୁ ଗଚ୍ଛିତ ରଖିଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲିଛି। ଆଗାମୀ ଦିନରେ ଏହିଭଳି ବେଆଇନ ବାଣ ତିଆରି ହେଉଥିବା ସ୍ଥାନମାନଙ୍କରେ ଚଢ଼ଉ ଜାରି ରହିବ ବୋଲି ଜୋନ୍ ଏସିପି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।