ଲକ୍‌ଡାଉନରେ ବିପୁଳ ଚୋରା ମଦ କାରବାର: ରାଜଧାନୀରେ ୪୪ ବିଦେଶୀ ମଦ ଦୋକାନ ୧୦୩ ବାର୍ ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ଅବକାରୀ ଥାନା ଅଧୀନରେ ୪୪ ବିଦେଶୀ ମଦ ଦୋକାନ ରହିଥିବା ବେଳେ ୧୦୩ଟି ବାର୍‌ ରହିଛି। ଏହାଛଡ଼ା ୮୮ଟି ଦେଶୀ ମଦ ଦୋକାନ ରହିଛି। ଲକଡାଉନ୍ ପରଠାରୁ ଏସବୁ ଦୋକାନ ବନ୍ଦ ରହିଛି। କିନ୍ତୁ ଚୋରା ମଦ କାରବାର ଯଥେଷ୍ଟ ବଢି ଯାଇଛି। ବିପୁଳ ପରିମାଣର ଚୋରା ମଦ କାରବାର ଚାଲିଥିବା ବେଳେ ରାଜଧାନୀ ପେଣ୍ଠସ୍ଥଳ ପାଲଟିଛି। ବିପୁଳ ପରିମାଣର ମଦ ପୁଲିସ ହାତରେ ଧରା ପଡ଼ିଥିବା ବେଳେ ଅବକାରୀ ବିଭାଗ କିନ୍ତୁ ଫେଲ୍ ମାରିଛି। ବିଭିନ୍ନ ଥାନା ପୁଲିସ ଓ କୁଇକ୍ ଆକ୍ସନ ଟିମ୍ ହାତରେ ଲକ୍‌ଡାଉନ ସମୟରେ ପ୍ରାୟ ୧୯୦ ଲିଟର ବିଦେଶୀ ମଦ ଜବତ ହୋଇଛି। ସେହିପରି କମିସନରେଟ ପୁଲିସ ୪୦୫ ଲିଟର ଦେଶୀ ମଦ ଜବତ କରିଛି। ଏ ସଂକ୍ରାନ୍ତରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୩୫ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୫ରୁ ଅଧିକ ଗାଡ଼ି ବି ଜବତ କରିଛି। ଅନ୍ୟପକ୍ଷରେ ଗତ ଏପ୍ରିଲ ମାସରେ ଅବକାରୀ ଥାନା ମାତ୍ର ୨.୭ ଲିଟର ବିଦେଶୀ ମଦ ଓ ୧୫୭ ଲିଟର ଦେଶୀ ମଦ ଜବତ କରିଛି। ୮ଟି ମାମଲା ରୁଜୁ ହୋଇଥିବା ବେଳେ ୮ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ସ୍କୁଟି ଜବତ କରିଛି ଅବକାରୀ ଥାନା।

ସମ୍ବନ୍ଧିତ ଖବର