ଖୋଲିବ ‘ହ୍ୟୁମାନ୍‌ ଲାଇବ୍ରେରି’, ସଫଳ ମଣିଷଙ୍କୁ ସାମ୍ନାସାମ୍ନି ପଢ଼ିବେ

ଭୁବନେଶ୍ୱର : ଜଣେ ସଫଳ ମଣିଷ ଏକ ପ୍ରେରଣାଦାୟୀ ବହିଟିଏ। ପ୍ରତିକୂଳ ପରିବେଶରେ ବଞ୍ଚୁଥିବା ମଣିଷଟିଏ ଯେବେ ସମସ୍ତ ବାଧା ବନ୍ଧନକୁ ଅତିକ୍ରମ କରି ସଫଳତାର ଶୀର୍ଷକୁ ଛୁଏଁ ତାହା କୌଣସି ବହିର ରୋମାଞ୍ଚକର କାହାଣୀଠୁ କମ୍‌ ନୁହେଁ। ଏମାନେ ବହିର ଫର୍ଦରେ ଦେଖିବାକୁ ମିଳନ୍ତିନି। କିନ୍ତୁ ଏମାନଙ୍କୁ ପଢ଼ି, ଜଣେ ଯେ ଆଗକୁ ବଢ଼ିବାକୁ ବାଟ ଖୋଜିପାରିବ ସେଇ ଉଦ୍ଦେଶ୍ୟ ନେଇ ଏକ ଅଭିନବ ଉଦ୍ୟମ କରିଛି ‘ଭୁବନେଶ୍ୱର ପୋଏଟ୍ରି କ୍ଲବ୍‌’। କିଛି ଯୁବସାଥୀଙ୍କ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ‘ହ୍ୟୁମାନ ଲାଇବ୍ରେରି’। ଯେଉଁଠି ସଫଳ ମଣିଷଙ୍କୁ ଭେଟି ତାଙ୍କ ସହ ଖୋଲା ଆଲୋଚନା କରିବାର ସୁଯୋଗ ଦେବ ଏହି ଲାଇବ୍ରେରି।

ଆସନ୍ତା ୧୫ ତାରିଖରେ ପଟିଆ କିଟ୍‌ ଛକସ୍ଥିତ ରିକେସ୍‌ କାଫେରେ ଏହି ଯୋଜନାର ଶୁଭାରମ୍ଭ ହେବ। ଏଠାରେ ବିଭିନ୍ନ ଶ୍ରେଣୀ ତଥା କମ୍ୟୁନିଟିର ୧୦ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ପଢ଼ିବାର ସୁଯୋଗ ମିଳିବ। କିନ୍ନରରୁ ପ୍ରଶାସକ ହୋଇଥିବା ବ୍ୟକ୍ତିତ୍ୱ ହୁଅନ୍ତୁ ଅବା ଜାତିପ୍ରଥା ଯୋଗୁଁ ବାସନ୍ଦ ହୋଇ ସୁଦ୍ଧା ନିଜକୁ ସଫଳତାର ଶିଖରରେ ପହଞ୍ଚାଇଥିବା ସଫଳ ବ୍ୟକ୍ତିବିଶେଷ। ସମସ୍ତ ବାଧାବନ୍ଧନକୁ ଅତିକ୍ରମ କରି ସଫଳ ହୋଇଥିବା ଏହିଭଳି ୧୦ଜଣ ବ୍ୟକ୍ତିଙ୍କୁ ଭେଟି ତାଙ୍କ ସାଙ୍ଗେ କଥାବାର୍ତା ସହ ପ୍ରଶ୍ନ ପଚାରିବାର ସୁଯୋଗ ଦେବ ଏହି ମହତ୍ୱାକାଂକ୍ଷୀ ଆୟୋଜନ। ପ୍ରତିକୂଳ ପରିସ୍ଥିତି ଭିତରେ ଜିଉଁଥିବା ମଣିଷମାନେ ଯଦି ଭାବୁଥିବେ, ତାଙ୍କ ପାଇଁ ସଫଳତା ଏକ ସ୍ୱପ୍ନ, ତେବେ ସେମାନେ ଏହି ବ୍ୟକ୍ତିତ୍ୱମାନଙ୍କୁ ଭେଟିବା ନିତାନ୍ତ ଆବଶ୍ୟକ। ବିଶେଷତଃ ଯୁବବର୍ଗ ଭିତରେ ଅନେକ ସମୟରେ ଡିପ୍ରେସନ୍‌ ଦେଖିବାକୁ ମିଳୁଥିବା ବେଳେ ଏହିଭଳି ଏକ ସୁଯୋଗ ତାଙ୍କୁ ବଞ୍ଚିବାର ରାହା ଦେଖାଇବ ବୋଲି କହିଛନ୍ତି ଦିବ୍ୟସ୍ୱରୂପା ମହାନ୍ତି।

ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୮ଟି କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିମାନଙ୍କୁ ଭେଟି ଖୋଲା ଆଲୋଚନାର ସୁଯୋଗ ମିଳିବ। ମାତ୍ର ୪୦୦ ଯୁବକ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସାମିଲ୍‌ ହୋଇପାରିବେ। ଏଥିରେ ଅଂଶଗ୍ରହଣ ପାଇଁ ସେପରି କୌଣସି ଦେୟ ରଖାଯାଇନାହିଁ। ଇଚ୍ଛୁକ ବ୍ୟକ୍ତିବିଶେଷ ଦି ଭୁବନେଶ୍ୱର ପୋଏଟ୍ରି କ୍ଲବ୍‌ର ଫେସ୍‌ବୁକ୍‌ ପେଜ୍‌ରେ ଏ ସମ୍ବନ୍ଧରେ ସବିଶେଷ ବିବରଣୀ ପାଇପାରିବେ ନଚେତ୍‌ ମୋ: ୭୫୩୭୮୪୪୨୪୨ରେ ଯୋଗଯୋଗ କରିପାରିବେ।

ସମ୍ବନ୍ଧିତ ଖବର