ଭୁବନେଶ୍ବର: କରୋନା ଲକ୍ଡାଉନ୍ ଯୋଗୁଁ ପ୍ରଭାବିତ ହୋଇଥିବା ଦେହଜୀବୀମାନଙ୍କୁ ରାସନ୍ ଓ ଖାଦ୍ୟ ଯୋଗାଇଦେବା ପାଇଁ ଓଡ଼ିଶା ମାନବାଧିକାର ଆୟୁକ୍ତ ନିର୍ଦେଶ ଦେଇଛନ୍ତି। ଏନେଇ ଆୟୁକ୍ତ ପକ୍ଷରୁ ବିଏମ୍ସି କମିସନର୍ଙ୍କୁ ନିର୍ଦେଶ ଦିଆଯାଇଛି। ନିର୍ଦେଶନାମା ମୁତାବକ, ଦେହଜୀବୀମାନଙ୍କର ରାସନ କାର୍ଡ ଥାଉ ଅବା ନଥାଉ, ସେମାନଙ୍କୁ ରାସନ୍ ଯୋଗାଇ ଦିଆଯାଉ ବୋଲି କୁହାଯାଇଛି। ଏହାକୁ ଗୁରୁତ୍ବର ସହ ନେବାକୁ ମାନବାଧିକାର ଆୟୁକ୍ତ ଜଷ୍ଟିସ ବି.ପି ଦାସ କହିଛନ୍ତି। ସମାଜସେବୀ ତଥା ‘ମାଧ୍ୟମ’ ଓ ‘ମହିଳା ଅଧିକାର ଅଭିଯାନ’ର ଅଧ୍ୟକ୍ଷା ନମ୍ରତା ଚଢ଼ାଙ୍କ ପିଟିସିନ୍ ପରେ ଏହି ନିର୍ଦେଶ ଦିଆଯାଇଛି। ଲକ୍ଡାଉନ୍ ପାଇଁ ଦୁର୍ଦ୍ଦଶା ଭୋଗୁଥିବା ଦେହଜୀବୀଙ୍କ କଥା ସେ ପିଟିସନ୍ରେ ଦର୍ଶାଇଥିଲେ। ଏଥିସହ ଦେହଜୀବୀମାନଙ୍କୁ କିଛି ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ସେ ରାସନ୍ ମଧ୍ୟ ଯୋଗାଇ ଦେଇଥିଲେ। ଏନେଇ ଶ୍ରୀମତୀ ଚଢ଼ା କହିଛନ୍ତି, ସମସ୍ତଙ୍କ କଥା ବିଚାରକୁ ନିଆଯାଉଛି। ସରକାର ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ୟାକେଜ୍ ଘୋଷଣା କରୁଛନ୍ତି। ହେଲେ ଦେହଜୀବୀଙ୍କ କଥା ବିଚାରକୁ ନିଆଯାଇନାହିଁ। କେବଳ ଏବେ ସେମାନେ ଦୁର୍ଦ୍ଦଶା ଭୋଗୁନାହାନ୍ତି, ଆଗକୁ ସେମାନଙ୍କ ପେଟ ଚିନ୍ତା ଆହୁରି ବଢ଼ିବ। ସ୍ବେଚ୍ଛାସେବୀ ସଂଗଠନ ଯଦିଓ କିଛି ସହାୟତା ଯୋଗାଇ ଦେଇଛନ୍ତି, ମାତ୍ର ଏହା ସବୁବେଳେ ସମ୍ଭବ ନୁହେଁ। ସରକାରଙ୍କ ସହାୟତା ବିନା ସେମାନେ ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2020/06/d8f97h98s7hs98fh7s98fhsfhsfhhfshfshfhfhssfhfhsfhsfhsfhfhfh.jpg)
ନିକଟରେ ଅନିଲ ଧିର୍ ଭୁବନେଶ୍ବର ଓ ପାରାଦୀପରେ ଦେହଜୀବୀମାନଙ୍କର ଦୟନୀୟ ସ୍ଥିତି ବାବଦରେ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। କରୋନା ଲକଡାଉନ୍ ଯୋଗୁଁ ଦେହ ବେପାର ବନ୍ଦ ହୋଇଯିବା ପରେ ସେମାନଙ୍କ ଚଳିବା ଦୟନୀୟ ହୋଇଯାଇଛି ବୋଲି ଉଲ୍ଲେଖ କରିଥିଲେ। ଶ୍ରୀ ଧିର୍ କହିଛନ୍ତି, ଲକ୍ଡାଉନ୍ ଓ କରୋନା ସେମାନଙ୍କ ପେଟ ଚିନ୍ତା ବଢ଼ାଇ ଦେଇଛି। ସେମାନଙ୍କର କାହାର ବି ଜନଧନ ଆକାଉଣ୍ଟ ନାହିଁ। ତେବେ ସେମାନଙ୍କ ନିକଟରେ ଆଧାର କାର୍ଡ ରହିଛି। ତେଣୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଜନଧନ ଆକାଉଣ୍ଟକୁ ପରିବର୍ତ୍ତିତ କରିବାକୁ ସେ ଅନୁରୋଧ କରିଛନ୍ତି। ଫଳରେ ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫୦୦ଟଙ୍କା ଲେଖାଏଁ ପାଇପାରିବେ ବୋଲି ସେ କହିଛନ୍ତି।