ମାନବବାଦ ହେଉଛି ପ୍ରକୃତ ଶିକ୍ଷା: ରାଜ୍ୟପାଳ

୯ମ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘ ଉଦ୍‍ଘାଟିତ

ଚନ୍ଦ୍ରଶେଖରପୁର: ମାନବବାଦ ହେଉଛି ପ୍ରକୃତ ଶିକ୍ଷା। ଆଜି ୯ମ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ ଛାୟା ଜାତିସଂଘକୁ ଉଦ୍‍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏହା କହିଛନ୍ତି। ଶ୍ରୀ ଲାଲ୍‍ କହିଲେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ନିଜେ ନିଜର ଶିକ୍ଷକ। ସେମାନେ ଜ୍ଞାନ ଆହାରଣ କରିବା ସହ ଏଥିରୁ ଶିକ୍ଷା ଲାଭ କରିଥାନ୍ତି। ଆମେମାନେ ଆତ୍ମକୈନ୍ଦ୍ରିକ ହେବା ଅପେକ୍ଷା ବିଶ୍ୱ କୈନ୍ଦ୍ରିକ ହେବା ଉଚିତ୍‍ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଛାୟା ଜାତିସଂଘର ବିଷୟବସ୍ତୁ ଶରଣାର୍ଥୀ ସମସ୍ୟା ଉପରେ ଆଲୋକପାତ କରି ପ୍ରଫେସର ଲାଲ୍‍ କହିଲେ, ବିଶ୍ୱ ମାନବବାଦ ଦ୍ୱାରା ଶରଣାର୍ଥୀ ସମସ୍ୟାର ସମାଧାନ ହୋଇପାରିବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ୟୁଏନ୍‍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର କହିଲେ ସମଗ୍ର ବିଶ୍ୱର ଶାନ୍ତି ଓ ସମୃଦ୍ଧି ପାଇଁ ମିଳିତ ଜାତିସଂଘର ସମସ୍ତ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଶରଣାର୍ଥୀ ସମସ୍ୟା ଆଦି ବିଶ୍ୱ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ଦୃଷ୍ଟିକୋଣ ସହ ସାମଗ୍ରିକ ବିକାଶ ଦିଗରେ ମିଳିତ ଜାତିସଂଘ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଜ୍ଞାନ ଆହରଣ କରିବାର ଏହା ହେଉଛି ଏକ ପ୍ରକୃଷ୍ଟ ମଞ୍ଚ। ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ପ୍ରଥମ କରି କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ଛାୟା ଜାତିସଂଘ ଆରମ୍ଭ କରିଥିଲା। ଶରଣାର୍ଥୀ ସମସ୍ୟା ଉପରେ ଆଲୋଚନା କରି ଶ୍ରୀ ସାମନ୍ତ କହିଲେ ବିଭିନ୍ନ କାରଣରୁ ସମଗ୍ର ବିଶ୍ୱରେ ବିସ୍ଥାପନ ଏକ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏହି ସମସ୍ୟା ସମାଧାନ ନିମନ୍ତେ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ଚେୟାରପର୍ସନ୍‍ ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଉପସ୍ଥିତ ଥିଲେ। ଛାୟା ଜାତିସଂଘର ମହାସଚିବ ଭାବେ ନାଭ୍ୟା ଘଡ଼େଇ ଏବଂ ଉପ ମହାସଚିବ ସାନନ୍ଦିତା ବାନାର୍ଜୀ ମନୋନୀତ ହୋଇଛନ୍ତି। ତିନି ଦିନଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରୁ ୭୦୦ରୁ ଊର୍ଦ୍ଧ୍ୱ ଛାତ୍ର ପ୍ରତିନିଧି ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର