ମରିଗଲା ମାନବିକତା, କଲେଜ ଛାତ୍ରୀଙ୍କୁ ମାଡ଼ ମାରି ଲୁଟିନେଲେ ମୋବାଇଲ୍

୪ ଲୁଟେରାଙ୍କ ସହ ସହ ଏକୁଟିଆ ଲଢ଼ିଲେ ଛାତ୍ରୀ, ମାଡ଼ ମାରି ଲହୁଲୁହାଣ କରିଦେଲେ ଲୁଟେରା

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଦିନ ଦିପହରରେ ଜଣେ କଲେଜ ଛାତ୍ରୀଙ୍କୁ ଘେରିଥିଲେ ୪ ଲୁଟେରା। ତାଙ୍କ ହାତରୁ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରୁଥିବା ଲୁଟେରାମାନଙ୍କୁ ସାହସର ସହ ମୁକାବିଲା କରୁଥିଲେ ଯୁବତୀ। ଅପରପକ୍ଷରେ ଲୁଟେରାମାନେ ତାଙ୍କୁ ଛୁରି ଦେଖାଇ ମାଡ଼ ମାରି ଲହୁଲୁହାଣ କରି ଦେଉଥିଲେ। ଚଳଚ୍ଚିତ୍ରର ଦୃଶ୍ୟ ଭଳି ବିଚ୍ ରାସ୍ତା ଉପରେ ପ୍ରାୟ ୧୦ ମିନିଟ୍‌ ଧରି ଲୁଟେରାମାନଙ୍କ ସହ ଯୁବତୀଙ୍କ ରକ୍ତାକ୍ତ ସଂଘର୍ଷ ଚାଲିଥିଲା। ରାସ୍ତାରେ ଯା‌ଉଥିବା ଲୋକେ ଏହା ଦେଖୁଥିଲେ, କିନ୍ତୁ କେହି ଜଣେ ଯୁବତୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁନଥିଲେ। ଅଳ୍ପ ଦୂରରେ ଟ୍ରାଫିକ୍ ପୁଲିସ୍‌ ଥିଲେ ବି ସେ ଯେମିତି ସ୍ଥାଣୁ ପାଲଟିଯାଇଥିଲେ। ସତେ ଯେମିତି ସେମାନଙ୍କ ଭିତରେ ମାନବିକତା ମରି ସାରିଥିଲା ଅବା ସଶସ୍ତ୍ର ଲୁଟେରାମାନଙ୍କ ସହ ଲଢ଼ିବା ପାଇଁ କେହି ସାହସ ଜୁଟାଇ ପାରି ନ ଥିଲେ। ଆଉ ଏହାର ସୁଯୋଗ ନେଇ ଯୁବତୀଙ୍କ ମୋବାଇଲ ଛଡ଼ାଇ ନେଇ ପଳାଇ ଯାଇଥିଲେ ଲୁଟେରା। ଲୁଟେରାମାନେ ପଳାଇଯିବା ପରେ ଅଳ୍ପ କେତେଜଣ ଯାହା ତାଙ୍କ ପାଖକୁ ଯାଇ କେବଳ ସମବେଦନା ଜଣାଇଥିଲେ।

ମଙ୍ଗଳବାର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଘଟିଥିଲା ଏଭଳି ଅଘଟଣ। ତାହା ପୁଣି ରାଜଧାନୀର କେଉଁ ଅପହଞ୍ଚ ବା ଉପକଣ୍ଠ ଅଞ୍ଚଳରେ ନୁହେଁ; ବରଂ ଜନଗହଳିପୂର୍ଣ୍ଣ ସିଟି ଓମେନ୍ସ କଲେଜ ଟ୍ରାଫିକ୍ ଛକ ନିକଟରେ। ସିଟି ଓମେନ୍ସ କଲେଜ ଛାତ୍ରୀ ହରପ୍ରିୟା ମହାନ୍ତି କ୍ଲାସ୍‌ ସାରି କଲେଜରୁ ଚାଲି ଚାଲି ଘରକୁ ଫେରୁଥିଲେ। ଏତିକିବେଳେ ଦୁଇଟି ବାଇକ୍‌ରେ ୪ ଜଣ ଲୁଟେରା ତାଙ୍କ ହାତରୁ ମୋବାଇଲ ଫୋନ୍‌ ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ ବିଫଳ ହେବାରୁ ସେମାନେ ଗାଡ଼ିରୁ ଓହ୍ଲାଇ ଆସି ହରପ୍ରିୟାକୁ ଛୁରି ଓ ବ୍ଲେଡ୍‌ ଦେଖାଇ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ହରପ୍ରିୟା ତଥାପି ସାହସ କରି ସେମାନଙ୍କ ସହ କିଛି ସମୟ ପାଇଁ ଲଢ଼ିଥିଲେ। କିନ୍ତୁ ଲୁଟେରାମାନେ ତାଙ୍କ ମୁହଁକୁ ମୁଥ ମାରି ରକ୍ତାକ୍ତ କରି ଦେଇଥିଲେ। ଶେଷରେ ଛାତ୍ରୀ ଜଣକ ଲୁଟେରାମାନଙ୍କ ସମ୍ମୁଖରେ ହାର୍ ମାନିବାକୁ ବାଧ୍ୟ ହୋଇଥିଲେ।
ଏ ନେଇ ହରପ୍ରିୟା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ତେବେ ଲୋକଙ୍କ ଅସହଯୋଗ ଯୋଗୁଁ ସେ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି। ତାଙ୍କ କହିବା କଥା ହେଲା, ଯଦି ସେ ଜଣେ ଝିଅଟିଏ ହୋଇ ୪ ଜଣ ଲୁଟେରାଙ୍କ ସହ ଲଢ଼ିପାରିଲେ, ତେବେ ସ୍ଥାନୀୟ ଲୋକଙ୍କ ସହଯୋଗ କରିଥିଲେ ହୁଏତ ଲୁଟେରା ଧରାପଡ଼ିଥାନ୍ତେ।

ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଏହି ୪ ଲୁଟେରା ସ୍ଥାନୀୟ ଅଞ୍ଚଳର। ସେମାନେ ନିଶା ପାଇଁ ଏକୁଟିଆ ତଥା ଅସହାୟ ଲୋକଙ୍କୁ ଟାର୍ଗେଟ୍ କରନ୍ତି। ଏପରିକି ପ୍ରତିବାଦ କି ସ୍ଥାନୀୟ ଲୋକ ବାରଣ କଲେ ପାଖରେ ଛୁରି, ଭୁଜାଲିରେ ଲୋକଙ୍କୁ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ତେବେ ଦିନ ଦ୍ବିପ୍ରହରରେ ଏଭଳି ଲଜ୍ଜାଜନକ ଘଟଣା ରାଜଧାନୀବାସୀଙ୍କୁ ଆଚମ୍ବିତ କରିଥିବା ବେଳେ ପୁଲିସ ଲୁଟେରାମାନଙ୍କୁ ସାବାଡ୍‌ କରୁ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର