ଭୁବନେଶ୍ବର: ତିନିଦିନ ହେବ ରାଜଧାନୀରେ ବିଚିତ୍ର ପାଗ ଦେଖିବାକୁ ମିଳିଛି। ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ପାଗ କୋହଲା ରହୁଛି। ତାପମାତ୍ରା ସେତେଟା ଅଧିକ ରହୁନାହିଁ। ତେବେ ଦିନ ଯେମିତି ବଢ଼ୁଛି, ତାତି ବଢ଼ି ବଢ଼ି ଚାଲୁଛି। ପୂର୍ବାହ୍ନ ୧୧ଟା ବେଳକୁ ତାପମାତ୍ରା ୩୫ ଡିଗ୍ରି ପାଖାପାଖି ପହଞ୍ଚିବା ସହ ପ୍ରଚଣ୍ଡ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦୁଇଦିନ ପରି ଆଜି ମଧ୍ୟ ସକାଳ ସାଢ଼େ ୧୧ଟା ବେଳକୁ ସହରର ତାପମାତ୍ରା ୩୫ଡିଗ୍ରିରେ ପହଞ୍ଚିଥିଲା। ନା ଘରୁ ବାହାରି ହେଉଥିଲା, ନା ଘରେ ରହିହେଉଥିଲା। ତତଲା ପବନ ଶରୀରକୁ ପୋଡ଼ି ପକାଉଥିଲା। ବାହାରେ କାମ କରୁଥିବା ଲୋକେ ତ୍ରାହିତ୍ରାହି ଡାକୁଥିଲେ। ଖରା ଯେତିକି ଗୁଳୁଗୁଳି ତା’ଠୁ ଅଧିକ ରହୁଥିବାରୁ ଦେହରୁ ଅନବରତ ଝାଳ ବାହାରୁଥିଲା। ରାସ୍ତାଘାଟ ଖାଁ ଖାଁ ହୋଇଥିଲା। ଦିନ ୧ଟା ବେଳକୁ ବସ୍ଷ୍ଟାଣ୍ଡ, ପର୍ଯ୍ୟଟନ ସ୍ଥଳୀ ଜନଶୂନ୍ୟ ହୋଇଯାଇଥିଲା। ଯାହାର ନିହାତି ପଦାକୁ ଯିବାକୁ ଥିଲା ସିଏ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ଟ୍ରାଫିକ୍ ପୁଲିସ ବି ଖରାକୁ ସହ୍ୟ କରି ନପାରି ଗଛ ଛାଇ ଖୋଜୁଥିଲେ। ବୁଲା ଗୋରୁଗାଈଙ୍କ କଥା ତ ନ କହିବା ଭଲ। ସେମାନେ ପାଣି ପାଇଁ ଡହଳବିକଳ ହେଉଥିଲେ। କେବଳ ଦିନ ନୁହେଁ, ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁ ନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ଲୋକେ ଶାନ୍ତିରେ ଶୋଇପାରୁ ନାହାନ୍ତି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିଠାରୁ ଆଜି ସକାଳ ମଧ୍ୟରେ ଭୁବନେଶ୍ବରର ଆର୍ଦ୍ରତା ୭୮% ଏବଂ ଆଜି ଦିନ ସମୟରେ ୬୭% ରହିଥିଲା। ଯଦି ପୂର୍ବ ଦୁଇଦିନର ତାପମାତ୍ରାକୁ ଲକ୍ଷ୍ୟ କରିବା, ତେବେ ୨୧ ତାରିଖ ଦିନ ସହରରେ ବହୁ ସମୟ ଧରି ଆର୍ଦ୍ରତା ୭୦%ରୁ ଅଧିକ ରହିଥିଲା, ଯାହାକି ସ୍ବାଭାବିକଠାରୁ ଅଧିକ। ଗତକାଲି ମଧ୍ୟ ଅନୁରୂପ ଭାବେ ସକାଳଠାରୁ ହିଁ ଗୁଳୁଗୁଳି ଅନୁଭୂତ ହେଉଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୨ ଡିଗ୍ରି ଡେଇଁଯାଇଥିଲା। ଦିନ ସାଢ଼େ ୧୧ଟା ସୁଦ୍ଧା ସହରର ତାପମାତ୍ରା ୩୫.୪ ଡିଗ୍ରି ଓ ଆର୍ଦ୍ରତା ୭୦% ପାଖାପାଖି ରେକର୍ଡ କରାଯାଇଥିଲା। ଆସନ୍ତା ଦୁଇଦିନ ରାଜଧାନୀରେ ଦିନରେ ଗୁଳୁଗୁଳି ସହ ରାତିରେ ଗରମ ଅନୁଭୂତ ହେବାର ଆଶଙ୍କା ରହିଛି। ଦିନର ତାପମାତ୍ରା ୩୮ ଡିଗ୍ରି ଉପରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ବାରଙ୍ଗ: ବୁଧବାର ରାଜଧାନୀର ତାପାମାତ୍ରା ସହ ଗୁଳୁଗୁଳି ବଢ଼ି ଯିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ କଲବଲ ହେଲେଣି। ଦିନ ୧୦ଟା ଟପିବା ପରେ ବାଘ, ଭାଲୁ, ସିଂହ, ସିମ୍ପାଞ୍ଜି, ସମ୍ବର, ହରିଣ, ଜିରାଫ, ମାକଓ, ଲରି, ଲରିପାରାକିଟ, ପ୍ରେମ ପକ୍ଷୀ, କକାଟୋ, କକାଟିଲ ଭଳି ପକ୍ଷୀମାନେ ନିଜ ନିଜ ଖୁଆଡ଼ ଭିତର ଛାଇ ତଳକୁ ଯାଇ ଶୋଇ ରହିଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ସ୍ପ୍ରିଙ୍କଲର ସହାଯ୍ୟରେ ଦିନ ୧୧ଟାରୁ ଜଳ ସିଞ୍ଚନ କରିଥିଲେ। ଗରମରୁ ନିସ୍ତାର ପାଇବା ପାଇଁ ହିମାଳୟ କଳା ଭାଲୁ ଓ ବାଘମାନେ ଖୁଆଡ଼ ପରିସରରେ ଥିବା ଜଳାଶୟରେ ପଶି ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ବାଘମାନେ ଖାଇ ସାରିବା ପରେ ଖାଦ୍ୟ ଗ୍ରହଣ କକ୍ଷ ମଧ୍ୟରେ ପକା ଯାଇଥିବା ବରଫ ଉପରେ ଶୋଇ ରହିଥିଲେ। ସିଂହମାନେ ମଧ୍ୟ ନିଶ୍ଚଳ ହୋଇ ଗଛ ଛାଇ ତଳେ ଶୋଇ ରହିଥିଲେ। ହାତୀମାନଙ୍କୁ ପାଇପ୍ ଲଗାଇ ପାଣି ପକାଇ ଦିନକୁ ତିନି ଥର ଗାଧୋଇ ଦିଆଯାଉଛି। ହାତୀମାନଙ୍କୁ ଖାଇବା ପାଇଁ ନଡିଆ ଓ ଆଖୁ ଦିଆଯାଉଛି। ସେହିଭଳି ସିମ୍ପାଞ୍ଜିଙ୍କ ଖୁଆଡ ଭିତରେ ଖରା ବଢ଼ିବା ମାତ୍ରେ ଏସି ଚାଲୁ କରି ଦିଆଯାଉଛି।
ଏମାନଙ୍କ ସହିତ ହୁଲକ ଗିବନ୍, ସିଆମଙ୍ଗ ଗିବନ, କଟନ ଟଫ ତାମାରିନ୍, ସୁନେଲି ହାତ ତାମାରିନ୍, କ୍ୟାପାଚିନ୍, ଗୁଣ୍ଡୁଚି ମାଙ୍କଡ଼ ପ୍ରଭୃତି ମର୍କଟ ପ୍ରଜାତିଙ୍କ ଖୁଆଡ଼ରେ ଜଳ ସିଞ୍ଚନ କରାଯାଉଛି। ଏହି ପ୍ରଜାତିଙ୍କ ସହ ପକ୍ଷୀମାନଙ୍କ ଲାଗି ତରଭୁଜ, କଦଳୀ, ଅଙ୍ଗୁର, ଅମୃତଭଣ୍ଡା ଭଳି ଫଳ ସ୍ବତନ୍ତ୍ର ଖାଦ୍ୟ ଆକାରରେ ଦିଆଯାଉଛି। ସିମ୍ପାଞ୍ଜିମାନଙ୍କ ଲାଗି ସ୍ବତନ୍ତ୍ର ପଇଡ଼ ପାଣିର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଜନ୍ତୁ ବିଭାଗ ଏସିଏଫ୍ ନୂତନ କୁମାର ହେମ୍ବ୍ରମ। ସେହିଭଳି ଜୀବଜନ୍ତୁ ଓ ପକ୍ଷୀମାନଙ୍କ ଥକାପଣ ମେଣ୍ଟାଇବା ଓ ଅସୁସ୍ଥ ହେଲେ ସେମାନଙ୍କ ଚିକିତ୍ସା ଲାଗି ସମସ୍ତ ଆବଶ୍ୟକୀୟ ଔଷଧ ମହଜୁଦ ରଖାଯିବା ସହିତ ସେବା ଯୋଗାଇବା ପାଇଁ ଡାକ୍ତରୀ ଦଳ ସଜାଗ ରହିଥିବା ବରିଷ୍ଠ ଚିକିତ୍ସକ ଡାକ୍ତର ଶରତ କୁମାର ମିଶ୍ର କହିଛନ୍ତି।