ଟୋକନ୍ ଅପେକ୍ଷାରେ ଶହ ଶହ ଚାଷୀ, ଧାନ ମଣ୍ଡିକୁ ତାଲା ବନ୍ଦ ଧକ୍କା!

ଭୁବନେଶ୍ବର: କରୋନା ରୋକିବା ପାଇଁ ସରକାର ଖୋର୍ଦ୍ଧା ଜିଲ୍ଲାରେ ତାଲା ବନ୍ଦ ଲାଗୁ କରିଥିବାରୁ ଶହ ଶହ ଚାଷୀ ଏବେ ଚିନ୍ତାରେ। ଆଗକୁ ଧାନ ମଣ୍ଡି ଖୋଲିବ କି ନାହିଁ ସରକାର ସ୍ପଷ୍ଟ କରିନଥିବାରୁ ଟୋକନ୍‌ ଅପେକ୍ଷାରେ ଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେଣୁ ଯୋଗାଣ ବିଭାଗ ଏ ଦିଗରେ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମହଲରୁ ଦାବି ହେଉଛି। ଚାଷୀମାନଙ୍କଠାରୁ ମିଳିଥିବା ଅଭିଯୋଗ ଅନୁସାରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଖରିଫ୍ ଧାନ ମଣ୍ଡି ଚାଲୁ ରହିବ ବୋଲି ଯୋଗ‌ାଣ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର କରୋନା ପାଇଁ ଧାନ ମଣ୍ଡି ଚାଲୁ ରହିବା ପ୍ରସଙ୍ଗ ଅସ୍ପଷ୍ଟ ରହିଛି।

ରାଜଧାନୀ ଉପକଣ୍ଠ ବିଭିନ୍ନ ସେବା ସମବାୟ ସମିତି ପକ୍ଷରୁ ମିଳିଥିବା ସୂଚନାନୁସାରେ ଏବେ ବି ଶହ ଶହ ଚାଷୀଙ୍କୁ ଟୋକନ୍ ମିଳିନାହିଁ। ତେଣୁ ସେମାନଙ୍କ ପାଇଁ ଧାନ ବିକିବା ସମସ୍ୟା ହୋଇପଡ଼ିଛି। ଯଦି ମଣ୍ଡି ଖୋଲା ନଯାଏ ତେବେ ସେମାନେ ବାଧ୍ୟ ହୋଇ ଘରୋଇ ବେପାରୀଙ୍କ ଦ୍ବାରସ୍ଥ ହେବେ ଓ ବେପାରୀମାନେ ଏହି ମଉକାରେ କମ୍ ଦରରେ ଧାନ ବିକିବାକୁ ଚାଷୀମାନଙ୍କୁ ବାଧ୍ୟ କରିବେ। ଏମିତି ହେଲେ ଚାଷୀମାନେ ଘୋର କ୍ଷତି ସହିବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ପ୍ରଥମରୁ ସରକାର ଟୋକନ୍ ଦେବାରେ ବିଳମ୍ବ କଲେ। ଫଳରେ ଏବେ ଏଇ ଅବସ୍ଥା। ତେଣୁ ତାଲା ବନ୍ଦ ହଟିବା ପରେ ଏପ୍ରିଲ୍ ମାସ ପର୍ଯ୍ୟନ୍ତ ମଣ୍ଡି ଚାଲୁ ରଖିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି। ଏ ନେଇ ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ଧାନ ମଣ୍ଡି ଚାଲୁ ହେବ କି ନା, ତାହା ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର