ଛାତ ବଗିଚାରେ ଶହେ ପ୍ରଜାତିର ଗଛ, ମାଳି ଅମିୟଙ୍କ ହାତର ଯାଦୁ

ଚନ୍ଦ୍ରଶେଖରପୁର: ଛାତ ବଗିଚାରେ ହସୁଛନ୍ତି ଶହେ ପ୍ରଜାତିର ଗଛ। ସେଥିରେ ଫୁଲ, ଫଳ ଓ ପରିବା ଗଛ ରହିଛି। ଫୁଲ ଗଛରେ ମହକଭରା ରଙ୍ଗବେରଙ୍ଗର ଫୁଲ ଖେଳୁଥିବା ବେ‌ଳେ ଫଳ ଗଛରେ ଝୁଲୁଛି ନାନା କିସମର ଦେଶୀ ବିଦେଶୀ ଫଳ। ଗଛମାନଙ୍କ ଗହଣରେ ଫୁଲରୁ ଫୁଲ ଉଡ଼ି ବୁଲୁଛନ୍ତି ନାନା ଜାତିର ପ୍ରଜାପତି ଓ ମହୁମାଛି। କୁନିକୁନି ବାରମାସୀ ଚଢ଼େଇ ବି ବୁଲି ଆସନ୍ତି ଏହି ବଗିଚାକୁ। ତେଣୁ ବିଗତ ଦିନର ଲଣ୍ଡା କଂକ୍ରିଟ୍‌ ଛାତଟା ଏବେ ଜଣେ ବୃକ୍ଷପ୍ରେମୀଙ୍କ ହାତର ସ୍ପର୍ଶରେ ପାଲଟି ଯାଇଛି ସବୁଜ ବଗିଚା। ରାଜଧାନୀ ଶୈଳଶ୍ରୀବିହାରସ୍ଥିତ ଏକ କୋଠା ଛାତରେ ଗଢ଼ି ଉଠିଥିବା ଏହି ବଗିଚା ଗତ କିଛି ବର୍ଷ ଧରି ଲୋକଙ୍କ ପାଇଁ ଆଦର୍ଶ ପାଲଟିଛି ଓ ଏହାକୁ ଦେଖି ବହୁ ଲୋକ ଅନୁପ୍ରାଣିତ ହୋଇ ନିଜ ନିଜ ଛାତରେ ବଗିଚା ଗଢ଼ିବାରେ ଲାଗିଛନ୍ତି।

ସୁନ୍ଦର ଏହି ଛାତ ବଗିଚାର ମାଳି ହେଉଛନ୍ତି ଯାଜପୁର କଲୋଣ ଗାଁର ଅମିୟ ପ୍ରସାଦ ସାହୁ। ପୂର୍ବତଟ ରେଳପଥରେ ଆର୍‌ପିଏଫ୍‌ ଏସ୍‌ଆଇ ଭାବେ କାର୍ଯ୍ୟରତ ଅଛନ୍ତି। ଶୈଳଶ୍ରୀବିହାର ଅଞ୍ଚଳରେ ନମିତା ମହାନ୍ତିଙ୍କ ଘରେ ଭଡ଼ାରେ ରହୁଛନ୍ତି। ନିଜ ଘର ନୁହେଁ, କିନ୍ତୁ ନିଜ ଘରଠାରୁ ଅଧିକ ଯତ୍ନ କରନ୍ତି। ଗଛ, ଫୁଲ ଓ ଫଳ ପ୍ରତି ତାଙ୍କର ଅହେତୁକ ଭଲ ପାଇବା। ତେଣୁ ଭଡ଼ା ଘର ହୋଇଥିଲେ ବି ମାଲିକଙ୍କ ମନ ନେଇ ସେ ଛାତ ଉପରେ ଗଢ଼ିଛନ୍ତି ଏକ ସୁନ୍ଦର ବଗିଚା। ଭଳିକି ଭଳି ଫୁଲ, ଫଳ ଓ ପରିବାରେ ବଗିଚା ହସି ଉଠୁଛି। ବଗିଚାର ମାଳି ଅମିୟଙ୍କ ହାତର ଯାଦୁକରୀ ସ୍ପର୍ଶରେ ଶତାଧିକ ଦେଶୀବିଦେଶୀ ପ୍ରଜାତିର ଫୁଲ ଓ କିଛି ପନିପରିବା ଏହି ବଗିଚାରେ ଉତ୍ପାଦନ ହେଉଛି। ଜଣେ ପୁଲିସ କର୍ମଚାରୀ କାର୍ଯ୍ୟ ବ୍ୟସ୍ତତା ଭିତରେ ସମୟ ବାହାର କରି ଏଭଳି ଏକ ସୁନ୍ଦର ବଗିଚା କରିବାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। କିନ୍ତୁ ଅମିୟ ତାହା କରି ଦେଖାଇଛନ୍ତି। ସଉକ, ନିଷ୍ଠା ଏକାଠି ହେଲେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ ବୋଲି ଅମିୟ କୁହନ୍ତି। ଅର୍ଥ ଓ ପରିଶ୍ରମ ତ ଲାଗିବ। କିନ୍ତୁ ମନ ଥିଲେ, ପଇସା ଖର୍ଚ୍ଚ ବାଧିବ ନାହିଁ ବୋଲି ସେ କହୁନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜ ପାଖରେ ବାନ୍ଧି ରଖିବା ନିଶା ଆଗରେ ପଇସା ଖର୍ଚ୍ଚ କିଛି ନୁହେଁ ବୋଲି ସେ ଖୁସି ହୁଅନ୍ତି। ବଗିଚାକୁ ମିଳୁଥିବା ଅଜସ୍ର ପ୍ରଶଂସା ତାଙ୍କୁ ତାଙ୍କ ପରିଶ୍ରମର ଫଳ ଦେଇଥାଏ।

ବଜାରରେ କୌଣସି ନୂଆ ପ୍ରଜାତିର ଫୁଲ ଫଳ ଚାରା ତାଙ୍କ ନଜରରେ ପଡ଼ିବା ମାତ୍ରେ ସେ ତାକୁ କିଣି ଆଣନ୍ତି। ଛାତ ଉପରେ କୁଣ୍ଡରେ ଲଗାଇ ଯତ୍ନ ନିଅନ୍ତି। ଆବଶ୍ୟକ ମୁତାବକ ରାସାୟନିକ ଓ ଜୈବିକ ସାର ଦେଇ ଗଛକୁ ବଢାଇଥା’ନ୍ତି। ସକାଳେ ଓ ସନ୍ଧ୍ୟାରେ ସମୟ ଦିଅନ୍ତି ଓ ପରିଶ୍ରମ କରନ୍ତି। ତାଙ୍କ ସହଧର୍ମିଣୀ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ମଧ୍ୟ ଏହି କାମରେ ତାଙ୍କ ପଛରେ ଛାଇ ଭଳି ରହିଛନ୍ତି। ଏବେ ଏହି ଛାତ ବଗିଚାରେ ଗେଣ୍ଡୁ, ପେଟୁନିଆ, ସେବତୀ, ଡାଲିଆ, ଆଷ୍ଟୋର, କାଗଜଫୁଲ, ସାଲ୍‌ଭିଆ, ଅର୍କିଡ୍, ଆଣ୍ଟିରାହିନସ୍, ଡାୟନ୍ଥସ୍, ଉର୍ବନା, ଆଇସିୟମ୍ ଭଳି ଦେଶୀବିଦେଶୀ ଫୁଲ ଫୁଟୁଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ହାଇବ୍ରିଡ୍‌ ଜାତୀୟ ଓ ଫୁଲ ବଡ଼ ଆକର୍ଷଣୀୟ। ସେହିପରି ଛାତ ଉପରେ ରହିଛି ଛୋଟ ପନିପରିବା କୁଣ୍ଡ। ନାନା କିସମର ଲଙ୍କା, ଟମାଟ୍‌, କ୍ୟାପ୍‌ସିକମ, ବାଇଗଣ, ଲେଟୁସ୍, ସିମଲା ଲଙ୍କା, ଚେରି ଟମା‌‌ଟୋ ଆଦି ଗଛ ଡାଳରେ ଝୁଲୁଛି।

ବଡ଼ କଥା ହେଉଛି ଛାତ ବଗିଚା ସହ ତାଙ୍କ ଅନ୍ୟ ସବୁ ରୁମ୍‌ରେ ମଧ୍ୟ ସେନ୍ସିଡେରିଆ, ଯାମିଫୁଲିଆ, ସିଲଭରପ୍ଲାଟ୍, ମନିପ୍ଲାଣ୍ଟ, ଫର୍ଣ୍ଣ, ପିପନିଆ ଆଦି ପ୍ଲାଣ୍ଟ ଶୋଭା ପାଉଛି। କିଚେନ୍‌ରେ ମଧ୍ୟ କିଛି ଔଷଧୀୟ ପ୍ଲାଣ୍ଟ ରହିଛି। ଅମିୟଙ୍କ ଛାତ ବଗିଚା ସହ ଘର ସାରା ସବୁଆଡ଼େ ଗଛ ହିଁ ଗଛ ଦେଖିବାକୁ ମିଳେ। ଅମିୟଙ୍କ କହିବା କଥା, ସେ ତାଙ୍କ ବାପାଙ୍କ ଦ୍ବାରା ଅନୁପ୍ରାଣିତ। ତାଙ୍କ ବାପା ବୃକ୍ଷପ୍ରେମୀ ଥିଲେ। ବଗିଚା ସଉକ ପାଇଁ ପତ୍ନୀ ପ୍ରିୟଦର୍ଶିନୀଙ୍କ ସମର୍ଥନକୁ ସେ ଅଧିକ ଗୁରୁତ୍ବ ଦିଅନ୍ତି। ସେହିଭଳି ଘର ମାଲିକ ଶ୍ରୀମତୀ ମହାନ୍ତିଙ୍କ ସହଯୋଗ ପାଇଁ ତାଙ୍କୁ ମଧ୍ୟ ପ୍ରଶଂସା କରନ୍ତି। ସୂଚନାଯୋଗ୍ୟ ଏହି ଛାତ ବଗିଚା ପାଇଁ ୨୦୧୪ ମସିହାରେ ତାଙ୍କୁ ବିଏମ୍‌ସି ପକ୍ଷରୁ ନଗରବନ୍ଧୁ ସମ୍ମାନ ମିଳିଥିଲା। ସେହିଭଳି ନାଲ୍‌କୋ ପୁଷ୍ପ ପ୍ରଦର୍ଶନୀରେ ତିନି ତିନିଥର ଚାମ୍ପିଅନ୍‌ ହୋଇଥିଲା।

ସମ୍ବନ୍ଧିତ ଖବର