ଖଣ୍ଡଗିରି: ଦୁଇ ଦିନ ଧରି ଲଗାତାର ବର୍ଷା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି। ବର୍ଷା ବିତ୍ପାତ ଯୋଗୁଁ ଖଣ୍ଡଗିରି ଆଖପାଖ ଅଞ୍ଚଳରେ ରହୁଥିବା ଶହଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ବିଶେଷକରି ଶ୍ରମିକ ଶ୍ରେଣୀର ଲୋକ ବେଶି ଦହଗଞ୍ଜ ହୋଇଛନ୍ତି। ଏଣେ ବର୍ଷାଜଳ ଘରେ ଲହଡ଼ି ମାରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସେମାନେ ଦୁଇ ଦିନ ହେଲା କାମକୁ ଯାଇ ପାରିନାହାନ୍ତି। ଅଧିକାଂଶଙ୍କ ଘରେ ଚୁଲୀ ମଧ୍ୟ ଜଳି ନଥିବା ଜଣାଯାଇଛି।
ରାଜଧାନୀରେ ଗାଁ ଭଳି ହନ୍ତସନ୍ତ
ସେହିପରି ୪୯ ନମ୍ବର ୱାର୍ଡ ଆଇଗିଣିଆ, ଡୁମୁଡୁମା ହାଉସିଂବୋର୍ଡ କଲୋନି ରାସ୍ତା, ନୂଆପଲ୍ଲୀ ବେହେରା ସାହି, ଭୋଇସାହି, ଷ୍ଟୁଡିଓ ଛକ ଚାଳସାହି, ସରଦାପଲ୍ଲୀ, ଜାଗମରା, ଶ୍ୟାମପୁର, ନୂଆଗାଁର ଏକାଧିକ ଆପାର୍ଟମେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହୋଇଛି। ଲୋକେ ରାଜଧାନୀରେ ରହୁଥିଲେ ମଧ୍ୟ କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଗାଁଠାରୁ କମ୍ ହସନ୍ତସନ୍ତ ହେଉ ନଥିବା କହିଥିଲେ। କିଛି ଲୋକ କେବଳ ଏହା ନାମକୁ ମାତ୍ର ରାଜଧାନୀ, ମାତ୍ର ରାଜଧାନୀର କୌଣସି ସୁବିଧା ନଥିବା କହି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଡ୍ରେନ୍ କାମ ସରୁନି, ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ବର୍ଷା ପାଣି
ମଲ୍ଲିକ କଂପ୍ଲେକ୍ସ ଭଳି ଅଞ୍ଚଳରେ ୪ ଲକ୍ଷ ଟଙ୍କାରେ ଡ୍ରେନ୍ ନିର୍ମାଣ ହେଉଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମୁନି। ଏଠାରେ ରହୁଥିବା ପ୍ରାୟ ୪୧୭ ପରିବାରର ପ୍ରାୟ ୫ହଜାର ଲୋକ ବର୍ତ୍ତମାନ ଜଳଘେରରେ ରହିଛନ୍ତି। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଢେଉ ଖେଳୁଥିବାରୁ ଗାଡ଼ିରେ ଯିବା ତ ଦୂରର କଥା, ଚାଲିଚାଲି ଯିବା ବି କଷ୍ଟକର ବ୍ୟାପାର। ଲେନ୍-୨ର ଅବସ୍ଥା ନ କହିବା ଭଲ। ମଲ୍ଲିକ କଂପ୍ଲେକ୍ସ ଲେନ୍-୨ରୁ ଶିରିପୁର ପର୍ଯ୍ୟନ୍ତ ନାଳ ନିର୍ମାଣ ହୋଇଛି। ମାର୍ଚରୁ ଏହାର କାମ ଆରମ୍ଭ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା ସରିନାହିଁ। ଏଠାରେ ଥିବା ପୁରୁଣା କଲଭର୍ଟ ଜାମ୍ ହୋଇଥିବାରୁ ଅବସ୍ଥା ଆହୁରି ସଂଗିନ୍ ହୋଇପଡ଼ିଛି। ଅନ୍ୟ ଲେନ୍ର ନାଳର ସ୍ଲାବ ଖୋଲା ଥିବାରୁ ଗାଈଗୋରୁ ସେଥିରେ ପଡ଼ିଯିବାର ଆଶଙ୍କା ରହିଛି। ରବିବାର ସେଥିରେ ଗୋଟିଏ ଗାଈ ପଡ଼ି ଗୁରୁତର ଆହତ ହୋଇଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ।
ବାହ୍ୟଜଗତରୁ ବିଚ୍ଛିନ୍ନ ପଣ୍ଡାକୁଦିଆ
ପଣ୍ଡାକୁଦିଆକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ପାଣି ଜମି ରହିଥିବାରୁ ସ୍ଥାନୀୟ ଅଧିବାସୀ ଘରୁ ଗୋଡ଼ କାଢ଼ି ପାରୁ ନାହାନ୍ତି। ପାଖାପାଖି ୯୦୦ ପରିବାର ଏବେ ପାଣିଘେରରେ ରହି ହନ୍ତସନ୍ତ ହେଉଛନ୍ତି। ସେମାନେ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ସ୍ଥିତି ଏମିତି ଯେ ଏବେ ସେଠାକୁ ଆମ୍ବୁଲାନ୍ସ କିମ୍ବା ପିସିଆର୍ ବି ଯାଇପାରିବ ନାହିଁ। ଏଠାରେ ଏକ ଡ୍ରେନ୍ ନିର୍ମାଣ ହେଲେ ସମସ୍ୟା ସମାଧାନ ହୋଇପାରନ୍ତା। କିନ୍ତୁ ବାରମ୍ବାର ଦାବି ପରେ ବି ପ୍ରଶାସନ ସେମାନଙ୍କ କଥା ଶୁଣୁନି ବୋଲି ଅଭିଯୋଗ ହୋଇଛି।
ଭୋକରେ ଆଉଟୁପାଉଟୁ ଛୋଟ ଛୁଆ
ଫୁଲେଶ୍ୱରୀ ବସ୍ତିର ରଞ୍ଜନ କୁଣ୍ଡୁଙ୍କ କହିବା କଥା, ୨ଦିନ ହେଲା ତାଙ୍କ ଘରେ ପାଣି ଲହଡ଼ି ଭାଙ୍ଗୁଛି। ଘର ଲୋକ ଉପବାସରେ ଅଛନ୍ତି। ଛୋଟ ଛୁଆ ଖାଇବା ବିନା ଭୋକରେ ଆଉଟୁପାଉଟୁ ହେଉଛନ୍ତି। ରାସ୍ତା ବିପଦପୂର୍ଣ୍ଣ ଓ ଗଡ଼ାଣିଆ ହୋଇଥିବାରୁ ରାସ୍ତାର ସବୁ ପାଣି ଆସି ଘରେ ପଶୁଛି। କେବଳ ତାଙ୍କର ନୁହେଁ, ପୂରା ବସ୍ତିରେ ସମାନ ଅବସ୍ଥା। କିଏ ପଡ଼ିଶା ଘରେ ଯାଇ ଆଶ୍ରା ନେଇଛନ୍ତି ତ କିଏ ଖଟ ଉପରେ ବସି ରହି ବାଲ୍ତିରେ ପାଣି କାଢ଼ୁଛନ୍ତି। ତେବେ ଆଗରୁ ରାସ୍ତା ତିଆରିକୁ ନେଇ ସମସ୍ତେ ଜନପ୍ରତିନିଧିଙ୍କ ନିକଟରେ ନିବେଦନ କରିଥିଲେ ହେଁ କେହି ଶୁଣି ନଥିଲେ। ରାସ୍ତା କାମ ନ ହେବାରୁ ଏବେ ଭୋଗିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ସେହିପରି କେ-୭ ଅଞ୍ଚଳରେ ରାସ୍ତାରେ ଥିବା ବଡ଼ବଡ଼ ଖାଲରେ ପାଣି ଜମି ରହିବା ଫଳରେ ଦୁର୍ଘଟଣା ଘଟୁଛି। ଲୋକମାନେ ଖାଲ ଜାଣି ନପାରି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତ ୨ଦିନ ମଧ୍ୟରେ ୫ରୁ ୭ଜଣ ଲୋକ ଏହାଦ୍ବାରା ଆହତ ହୋଇଥିବା ସୂଚନା ମିଳିଛି। ସେହିପରି କେତେକ ରାସ୍ତାରେ ପାଇପ୍ ବିଛା ଯାଇଥିବାରୁ ଖୋଳି ଦିଆଯାଇ ଛାଡ଼ି ଦିଆଯାଇଥିଲା। ବର୍ଷବର୍ଷ ଧରି ରାସ୍ତା ମରାମତି କରା ନଯିବାରୁ ଉକ୍ତ ରାସ୍ତାରେ ପାଣି ଜମି ରହି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି।
୧୦ ପରିବାର ଅଖିଆ ଅପିଆ, ରାତି ଅନିଦ୍ରା
ସିଦ୍ଧି ବିହାରରୁ ବରବାରି ପର୍ଯ୍ୟନ୍ତ ରାସ୍ତା ପାଣି ଜମା ହୋଇଛି। ବରବାରି ହମ୍ପ୍ସର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ପାତ୍ରପଡ଼ା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପଛ ପାଚେରିକୁ ଲାଗିଥିବା ରହମନ ନଗର ବା କବାଡ଼ିଆ ସାହିରେ ୧୦ରୁ ଅଧିକ ପରିବାରଙ୍କ ଘରେ ରାତିରେ ପାଣି ପଶିଯିବାରୁ ପରିବାରଲୋକେ ହଇରାଣ ହୋଇଛନ୍ତି। ଘରର ଲୋକମାନେ ଦୁଇ ଦିନ ହେଲା ନା ଶୋଇ ପାରୁଛନ୍ତି, ନା ଖାଇ ପାରୁଛନ୍ତି। କିଛି ଲୋକ ପମ୍ପ ଲଗାଇ ଘରୁ ପାଣି କାଢ଼ୁଥିବା ଦେଖାଯାଇଛି। ତେବେ ଉକ୍ତ ଅଞ୍ଚଳରେ ଅନେକ ଲୋକଙ୍କ ଝାଟିମାଟି ଘର ହୋଇଥିବାରୁ ଚଟାଣ ଧସି ଯାଇଥିବା ଦେଖିବାକୁ ମିଳିଛି। ଘରେ ପାଣି ନ ପଶିବା ପାଇଁ ଲୋକେ ବାଲିବନ୍ଧ ମଧ୍ୟ କରିଥିଲେ। ସେହିପରି ଫୁଲ୍ଲେଶ୍ବରୀ ବସ୍ତିରେ ସ୍ମୃତିବନ ଓ ମେଡିସିନାଲ ଗାର୍ଡେନର ଅଧାଗଢ଼ା ପାଚେରି ବାଟ ଦେଇ ବସ୍ତିକୁ ପାଣି ପଶିଯାଇଥିଲା। ବସ୍ତିର ପ୍ରାୟ ସମସ୍ତଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଥିଲା। ଖାଲଖମା ଥିବା ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଲୋକେ ଜଳବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି।