ଭୁବ‌େନଶ୍ବର: ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ହୋଇ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଶ୍ରମିକ ଚାଲି ଚାଲି ଯିବେନି। ସେଥିପାଇଁ ବସ୍‌ରେ ନିଆଯାଉଛି। କିନ୍ତୁ ଏହା ଏବେ ଜାତୀୟ ରାଜପଥ କଡ଼ରେ ରହୁଥିବା ଲୋକଙ୍କ ପାଇଁ ଚିନ୍ତା ପାଲଟିଛି। ଖାସ୍‌ କରି ରାଜଧାନୀ ପାଇଁ। ବାହାର ରାଜ୍ୟରୁ ବହୁ ବସ୍‌ରେ ପ୍ରବାସୀ ଶ୍ରମିକ ଆସୁଥିବାବେଳେ ସେମାନେ ଝାଡ଼ା, ପରିସ୍ରା ପାଇଁ ବିଭିନ୍ନ ସ୍ଥାନରେ ଅଟକୁଛନ୍ତି। ଏପରିକି ଖାଦ୍ୟ ପାଇଁ ବିଭିନ୍ନ ସ୍ଥାନରେ ରହୁଛନ୍ତି। ଗୋଟିଏ ଦୋକାନକୁ ୧୦ରୁ ୧୨ଜଣ ଏକାବେଳେ ଯାଉଥିବାବେଳେ ନିକଟରେ ଥିବା ଲୋକଙ୍କ ସହ ବି ମିଶୁଛନ୍ତି। କେବଳ ଏତିକି ନୁହେଁ ରାସ୍ତାରେ ଅଇଁଠା ଖାଦ୍ୟ, କୁଳୁକୁଚା‌ ପାଣି ପକାଉଛନ୍ତି।

Advertisment

ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ। ତେଣୁ ଏବେ ରାଜରାସ୍ତା କଡ଼ରେ ଘର କରିଥିବା ଲୋକ ଏବଂ ରାଜଧାନୀବାସୀ ଚିନ୍ତାରେ ପଡ଼ିଗଲେଣି। ରାଜଧାନୀ ଭିତରେ ପ୍ରବାସୀ ଶ୍ରମିକଙ୍କ ଗାଡ଼ି ନଅଟକାଇ କେବଳ ସହର ବାହାରେ ଗୋଟିକିଆ ଦୋକାନ ରଖି ଗାଡ଼ି ଅଟକାନ୍ତୁ। ଏହାଦ୍ବାରା ଅଧିକ ଲୋକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେନି ବୋଲି ସାଧାରଣରେ ଦାବି ହେଉଛି।

ପ୍ରବାସୀଙ୍କୁ ନେଇ ବସ୍ତିରେ ଉତ୍ତେଜନା
ଚନ୍ଦ୍ରଶେଖରପୁର: ବାହାର ରାଜ୍ୟରେ କାମ କରୁଥିବା କିଛି ପ୍ରବାସୀ ଓଡ଼ିଆ ଆଜି ଇନ୍‌ଫୋସିଟି ଅଞ୍ଚଳରେ ଥିବା ବସ୍ତିରେ ପହଞ୍ଚିବା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ଉଭୟ ପ୍ରବାସୀ ଶ୍ରମିକ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ବଚସା ହେବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। ଘଟଣା ଅନୁଯାୟୀ ଇନ୍‌ଫୋସିଟି ଥାନା ନିକଟରେ ଥିବା ଏକ ଅଣ ଓଡ଼ିଆ ବସ୍ତିରେ ଆଜି ମଧ୍ୟାହ୍ନରେ କିଛି ପ୍ରବାସୀ ଓଡ଼ିଆ ପହଞ୍ଚି‌ଥିଲେ। ସେମାନଙ୍କ କହିବା ଅନୁଯାୟୀ ଖଣ୍ଡଗିରି ନିକଟରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମାତ୍ର କୌଣସି ଲକ୍ଷଣ ନଥିବାରୁ ସେମାନଙ୍କୁ ହୋମ୍ କ୍ବାରାଣ୍ଟିନ୍‌ରେ ରହିବା ପାଇଁ ପଠାଇ ଦିଆଗଲା। ‌ଏହାପରେ ପ୍ରାୟ ୧୦ରୁ ଅଧିକ ‌ଯୁବକ ଆସି ନିଜ ଘର ବଙ୍ଗଳାବସ୍ତିରେ ପହଞ୍ଚିଥିଲେ। ହେଲେ ସେଠାକାର ଲୋକ ସେମାନଙ୍କୁ ବସ୍ତିରେ ପୂରାଇ ଦେଇନଥିଲେ। ପୁଲିସ୍ ପହଞ୍ଚି ନିକଟସ୍ଥ ‌ଘରୋଇ ସ୍ବାସ୍ଥକେନ୍ଦ୍ରରେ ସେମାନଙ୍କର ସ୍ବାସ୍ଥ ପରୀକ୍ଷା କରି ବସ୍ତିରେ ଛାଡ଼ିଥି‌ଲା। ତଥାପି ବସ୍ତି ଲୋକମାନେ ବୁଝିବା ପାଇଁ ନାରାଜ ଥିବାରୁ ପୁଲିସ୍ ସେମାନଙ୍କୁ ତାଗିଦ କରି ଶାନ୍ତିଶୃଙ୍ଖଳାରେ ରହିବା ପାଇଁ ପରାମର୍ଶ ଦେଇଥିଲା।

ରାତିରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ଅଟକାଇଲା ପୁଲିସ
ତ୍ରିଶୁଳିଆ: ବାରଙ୍ଗ ଥାନା ଅନ୍ତର୍ଗତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଝାଡଖଣ୍ଡ ରାଜ୍ୟର ୧୫ଜଣ ଶ୍ରମିକ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟାଳୟ କ୍ୟାମ୍ପସରୁ ଲୁଚିକରି ଚାଲିଯାଇଥିଲେ। ସେମାନେ ନିକଟସ୍ଥ ରେଳଧାରଣରେ ଚାଲିଚାଲି ଯାଉଥିବା ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ସଦଳ ବଳେ ସେମାନଙ୍କୁ ନରାଜ ମାର୍ଥାପୁର ଷ୍ଟେସନ ରେଳଧାରଣା ନିକଟରେ ଅଟକାଇଥିଲେ। ଶ୍ରୀ ମଲ୍ଲିକ ସେମାନଙ୍କୁ ବୁଝାସୁଝା କରି ବିଶ୍ୱବିଦ୍ୟାଳୟ ପରିସର ମଧ୍ୟକୁ ନେଇଯାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜିମା ଦେଇଥିଲେ। ତେବେ ଶନିବାର ସକାଳ ୧୦ଟାରେ ସେମାନଙ୍କୁ ସରକାରୀ ବସ ଯୋଗେ ବାଲିକୁଦା ନିକଟରେ ଥିବା ଏଲ୍‌ଏନ୍‌ଟି ଟ୍ରେନିଂ ସେଣ୍ଟରରେ ପହଞ୍ଚା ଯାଇଥିଲା। ସେଠାରୁ ସେମାନେ ବସ୍ ଯୋଗେ ଝାଡଖଣ୍ଡ ଯିବେ ବୋଲି ଜଣାପଡ଼ିଛି।