ଡିଜିଟାଲ୍ ମାର୍କେଟିଂ ନାଁରେ ଶତାଧିକ ଲୋକଙ୍କୁ ଠକେଇ

ବିହାରରୁ ଜଣେ ଗିରଫ

ଭୁବନେଶ୍ବର: ‘ହ୍ବାଟ୍ସଆପ୍, ଟେଲିଗ୍ରାମ୍‌, ଗୁଗୁଲ ପେ, ୟୁଟ୍ୟୁବ୍ ଭଳି ମାଳମାଳ ଆପ୍ ହେଉଛି ବିଦେଶୀ। ଏଗୁଡ଼ିକୁ ବ୍ୟବହାର କଲେ ବିଦେଶୀ କମ୍ପାନି ଲାଭାନ୍ବିତ ହେବା ସହ ଦେଶର ଟଙ୍କା ମଧ୍ୟ ବାହାରକୁ ଯାଉଛି। ତେଣୁ ଦେଶୀ ବା ଭାରତୀୟ ଭର୍ସନ ଆପ୍ ବ୍ୟବହାର କରି ଦେଶର ଅର୍ଥନୀତି ନୂଆ ଦିଗ ଦେଖାଯାଇ ପାରିବ। ଏହାସହ ଘରେ ବସି ଲକ୍ଷଲକ୍ଷ ଟଙ୍କା ରୋଜଗାର କରି ହେବ’।

ଏଭଳି ପ୍ରଲୋଭନ ଦେଖାଇ ଓଡ଼ିଶାର ଶତାଧିକ ଲୋକଙ୍କଠାରୁ ଦେଢ଼କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ବିହାର ମୁଜାଫରପୁର୍‌ରୁ ଜଣକୁ ଗିରଫ କରିଛି। ସେ ହେଲା, ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲଜିସ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ପ୍ରିନ୍ସ କୁମାର। ପ୍ରିନ୍ସ ନାଁରେ ଅଭିଯୋଗ ଖାଲି ଓଡ଼ିଶାରେ ସୀମିତ ନାହିଁ। ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ୭ଟି ରାଜ୍ୟରେ ସେ ଏଭଳି ଉପାୟରେ ଲୋକଙ୍କୁ ଠକିଥିବା ଜଣାଯାଇଛି। ଏହି ଠକେଇ ସଂପର୍କରେ ବାଲେଶ୍ବରର ପ୍ରଶାନ୍ତ କୁମାର ମହାଲିକଙ୍କ ସମେତ ଶତାଧିକ ଲୋକେ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ଇଓଡବ୍ଲୁ ମାମଲା ରୁଜୁ ଘଟଣାର ତଦନ୍ତ କରିଥିଲା।

ତଦନ୍ତରୁ ଜଣାପଡ଼ିଛି, ପ୍ରିନ୍ସ ୨୦୨୦ ମାର୍ଚ୍ଚରେ ଉତ୍ତର ଓଡ଼ିଶାରେ ଏକ ବୈଠକ କରିଥିଲେ। ବୈଠକ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଵାଇଓଡିଆର୍‌ଏମ୍ ନାମକ ଏକ ଆପ୍‌ ବାବଦରେ ବିସ୍ତୃତ ଲେଖାଥିବା ଲିଫ୍‌ଲେଟ୍ ବାଣ୍ଟିଥିଲା। ଲୋକଙ୍କୁ ବୋକା ବନାଇ ଟଙ୍କା ଆଦାୟ କରିବା ପାଇଁ ପ୍ରଥମେ ଭାରତ କ୍ଷତିରେ ପଡ଼ୁଛି କହି ଭାବବିହ୍ବଳ କରାଇଥିଲା। ଏହା ପରେ ରାତାରାତି ଲକ୍ଷପତି ବନାଇବ କହି କିଛି ଆପ୍ ବ୍ୟବହାର କରିବାକୁ କହିଥିଲା।

ଯେଉଁଥିରେ ଅନଲାଇନ୍ କିଣିବା ପାଇଁ ସପ୍‌ସବ୍‌କୁଛ୍, ଟଙ୍କା ନେଣଦେଣ ପାଇଁ ମାଇଁ ପେ’, ଚଳଚ୍ଚିତ୍ର ଦେଖିବା ପାଇଁ ମାଇଁ ଟ୍ୟୁବ୍ ଵାର୍ଲ୍ଡ, ଭିଡିଓ ଓ ଫାଇଲ୍ ସେୟାର୍ ପାଇଁ ଭିଡ୍‌ସ୍କୋପ୍, ଚାଟିଂ ପାଇଁ ଚିଠି ଓ ଖେଳିବା ପାଇଁ ଗୋ-ଗେମ୍ ୧୧ ଭଳି ୬ଟି ଆପ୍ ବ୍ୟବହାର କରିବାକୁ କହିଥିଲା। ଏହାର ସବ୍‌ସ୍କ୍ରିପସନ୍ ଫି’ ପାଇଁ ୧୫ ହଜାରରୁ ଦେଢ଼ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ସ୍କିମ୍ ଥିବା କହିଥିଲା। ସବ୍‌ସ୍କ୍ରିପସନ୍ କରି ପ୍ରତିଦିନ ୫ରୁ ୭ମିନିଟ୍ ଦେଖିଲେ ସପ୍ତାହକୁ ୭ଶହ ଟଙ୍କା ପର୍ଯ୍ୟନ୍ତ ମିଳିବ। ଯେତେ ଅଧିକ ଟଙ୍କାର ସ୍କିମ୍ ନେଇ ସବସ୍କ୍ରିପସନ୍ କରିବ, ସେତେ ଅଧିକ ଟଙ୍କା ପ୍ରତିଦିନ ପାଇବ ବୋଲି ସେ ଲିଫଲେଟ୍‌ରେ ଲେଖା ଥିଲା।

ଲୋଭନୀୟ ଅଫର ଦେଖି ଲୋକେ ଟଙ୍କା ଲଗାଇଥିଲେ ଏବଂ ପ୍ରାୟ ୬ମାସ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ମଧ୍ୟ ପାଇଥିଲେ। ପରେ ହଠାତ୍ ଆପ୍ ବନ୍ଦ ହୋଇଯାଇଥିଲା। ଲୋକେ କମ୍ପାନି ନିର୍ଦ୍ଦେଶକ ପ୍ରିନ୍ସ କୁମାରକୁ ଯୋଗାଯୋଗ କରିବାରୁ କୋଭିଡ୍ ଚାଲିଥିବା କହି ଲୋକଙ୍କୁ ଠକି ଚାଲିଥିଲା। ପରେ ଏନେଇ ଅଭିଯୋଗ ପରେ ଇଓଡବ୍ଲୁ ଆଜି ପ୍ରିନ୍ସକୁ ଗିରଫ କରିଛି। ଆଜି ମଥୁରାସ୍ଥିତ ସିଜେଏମ୍ କୋର୍ଟରେ ଇଓଡବ୍ଲୁ ତାକୁ ହାଜର କରାଇବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଥିବା ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର