ଖଣ୍ଡଗିରି ମେଳା ବନ୍ଦ ପରେ.. ଶହଶହ ବେପାରୀ ନିରାଶ

ଖଣ୍ଡଗିରି,୧୦।୨(ଇମିସ): ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। କେବଳ ବିଧି ଓ ପରମ୍ପରା ଅନୁସାରେ ରାଣୀ ଗୁମ୍ଫାକୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରା କରିବେ ଓ ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ମେଳାରେ ଷ୍ଟଲ୍ ପଡ଼ିବ ନାହିଁ କି ଅପେରା ପ୍ରଦର୍ଶନ ହେବ ନାହିଁ। ବିଏମ୍‌ସିର ଏହି ନିଷ୍ପତ୍ତି ଶହଶହ ବେପାରୀ ଓ ଅପେରା ପାର୍ଟିମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମେଳାରେ ସେମାନଙ୍କ ଦି’ ପଇସା କମାଇବା ଆଶା ଅ‌ାଶାରେ ରହିଯାଇଛି।

ଖଣ୍ଡଗିରି ପାହାଡ଼ ନିକଟ‌ ବିଭିନ୍ନ ଦୋକାନ କରିଥିବା ଓ ବେପାରୀମାନେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦୀର୍ଘ ୮ ମାସ ହେବ ଘରେ ହାତ ବାନ୍ଧି ବସିଥିଲେ। କରୋନା କଟକଣା ହଟିବା ପରେ ଗତ କିଛି ଦିନ ହେଲା ସେମାନେ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ପୂର୍ବ ଭଳି ପର୍ଯ୍ୟଟକଙ୍କ ସଂଖ୍ୟା ନ ହେବାରୁ ବେପାର ଭଲ ହେଉନାହିଁ। ଖଣ୍ଡଗିରି ମେଳା ହୋଇଥିଲେ, ସେମାନେ କିଛି ରୋଜଗାର କରିଥାଆନ୍ତେ। ମାତ୍ର ବିଏମ୍‌ସି ନିଷ୍ପତ୍ତି କଣ୍ଟା ସାଜିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। କଟକଣା ଭିତରେ ମେଳା ଆୟୋଜନ କରିବାରେ କିଛି ସମସ୍ୟା ନଥିଲା। ମାତ୍ର ପୂରା ମେଳା ବନ୍ଦ କରି ସେମାନଙ୍କ ରୋଜଗାର ରାସ୍ତାରେ ଖାଲ ଖୋଳି ଦିଆଗଲା ବୋଲି ସେମାନେ ଦୁଃଖର ସହ କହିଛନ୍ତି।

ସ୍ଥାନୀୟ ବ୍ୟବସାୟୀ ସୂର୍ଯ୍ୟକାନ୍ତ ରାଉତଙ୍କ କହିବା କଥା ଏବେ ମୁଣ୍ଡରେ ହାତ ଦେଇ ବସିବା ଛଡ଼ା ଅନ୍ୟ କିଛି ରାସ୍ତା ନାହିଁ। ବଡ଼ବଡ଼ିଆମାନେ ପାର୍ଟି କରୁଛନ୍ତି, ସଭା ସମିତି କରୁଛନ୍ତି। କିଛି ସମସ୍ୟା ନାହିଁ। ରାଜଧାନୀର ବିଭିନ୍ନ ମାର୍କେଟ୍‌ରେ ମେଳାଠାରୁ ଅଧିକ ଲୋକ ଭିଡ଼ ହେଉଛି। ସେଠି କରୋନା ସଂକ୍ରମଣ ହେଉନି। ଖଣ୍ଡଗିରି ମେଳାରେ କ’ଣ ଏମିତି ଅଧିକ ଭିଡ଼ ହୋଇଥାଆନ୍ତା ‌ଯେ କରୋନା ସଂକ୍ରମଣ ହୋଇଥାଆନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ମେଳାରୁ କିଛି ରୋଜଗାର କରି ବର୍ଷକର କ୍ଷତିରୁ କିଛି ଭରଣା କରିବୁ ବୋଲି ଯେଉଁ ଆଶା କରିଥିଲୁ, ତାହା ମରିଗଲା ବୋଲି ସେ କହିଛନ୍ତି। ସେହିଭଳି ବ୍ୟବସାୟୀ ପ୍ରସନ୍ନ ସାହୁଙ୍କ କହିବାନୁସାରେ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ଖଣ୍ଡଗିରି ବୁଲିବାକୁ କେହି ପର୍ଯ୍ୟଟକ ଆସି ନଥିଲେ। ଏବେ କଟକଣା କୋହଳ ହେବା ପରେ କିଛି ପର୍ଯ୍ୟଟକ ଆସୁଛନ୍ତି। ମେଳା ହୋଇଥିଲେ ଆହୁରି କିଛି ଲୋକ ବୁଲିବାକୁ ଆସିଥାନ୍ତେ ଓ ଭଲ ବେପାର କରି ଧାରକରଜର ମୁକ୍ତି ପାଇଥାଆନ୍ତୁ। ମାତ୍ର ଶେଷରେ ସେ ଆଶା ବି ଗଲା। ସମାନ କଥା କହିଛନ୍ତି ସ୍ଥାନୀୟ ଉଠା ଦୋକାନୀମାନେ। ବର୍ଷକୁ ଥରେ ସେମାନେ ଏହି ମେଳାରେ ଅସ୍ଥାୟୀ ଦୋକାନ କରି କିଛି ରୋଜଗାର କରନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତ ହୋଇ ସାରିଥିଲେ। କିନ୍ତୁ ବିଏମ୍‌ସି ଗରିବ ପେଟରେ ଲାତ ମାରିଲା।

ସମ୍ବନ୍ଧିତ ଖବର