ପୋଖରୀପୁଟ୍ ଖେଳ ପଡ଼ିଆରେ ମଲ୍ଟି ପରପଜ୍ ହଲ୍: କାଟିଦେଲେ ଶହେ ଗଛ
କିଏ ଦେଲା ଅନୁମତି? ବଡ଼ଗଛ କଟାଯିବା ମିଛ: ପୂର୍ବତନ କର୍ପୋରେଟର
ଭୁବନେଶ୍ବର : ପୋଖରୀପୁଟ ଖେଳ ପଡ଼ିଆ ପରିସରରେ ମଲ୍ଟି ପରପଜ୍ ହଲ ନିର୍ମାଣ ପାଇଁ ବଳି ପଡ଼ିଲା ଶତାଧିକ ଗଛ। ଗଛ କାଟିବା ପରେ ମିନିଟ୍ରକ୍ରେ ସେଗୁଡ଼ିକୁ ପଡ଼ିଆ ଭିତରୁ ଉଠାଇ ନିଆଯାଇଛି। କିନ୍ତୁ ଡିଏଫ୍ଓଙ୍କ ପାଖରେ ଏନେଇ କୌଣସି ଖବର ନାହିଁ। କାହା ଅନୁମତିରେ ପୂର୍ତ୍ତ ବିଭାଗ ନିୟୋଜିତ କରିଥିବା ଠିକାଦାର ଶହ ଶହ ଗଛ କାଟିଦେଲେ? ଗଛ କାଟିବା ପରେ ନେଲେ କୁଆଡ଼େ? ଏଭଳି ଅନେକ ପ୍ରଶ୍ନ ଏବେ ଏହି ପ୍ରକଳ୍ପକୁ ବିବାଦକୁ ଟାଣିଛି।
ପୋଖରୀପୁଟ୍ ମୌଜା ପ୍ଲଟ୍ ନମ୍ବର ୪୦୧, ୫୮୪, ୫୮୫, ୫୮୭, ୫୮୮, ୫୮୯ରେ ଏହି ଖେଳ ପଡ଼ିଆ ରହିଛି। ପୂର୍ବରୁ ଜଣେ ସ୍ଥାନୀୟ ଲୋକ ବିହାରୀଲାଲ୍ ଜେନା ଏହି ଜମିକୁ ଖେଳ ପଡ଼ିଆ ପାଇଁ ସଂରକ୍ଷିତ ରଖିବାକୁ ଉଦ୍ୟମ କରିବା ସହ ବୃକ୍ଷରୋପଣ କରି ଯତ୍ନ ନେଉଥିଲେ। ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ ତାଙ୍କ ସ୍ମୃତିରେ ଏହି ଖେଳପଡ଼ିଆ ନାଁ ‘ବିହାରୀଲାଲ୍ ଷ୍ଟାଡିୟମ’ ମଧ୍ୟ ରଖିଥିଲେ। ପ୍ରବେଶ ତୋରଣରେ ଏହି ନାମ ଲେଖାଯାଇଥିଲା। କିନ୍ତୁ କ’ଣ ହେଲା କେଜାଣି, ରାତି ଅଧରେ କେହି ଦୁର୍ବୃତ୍ତ ତାଙ୍କ ନାମ ଲିଭାଇ ପୋଖରୀପୁଟ ଖେଳ ପଡ଼ିଆ ଲେଖି ଦେଇଥିଲା। ଏନେଇ ବିହାରୀଲାଲ୍ ଟ୍ରଷ୍ଟ ପକ୍ଷରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଟ୍ରଷ୍ଟ ଏଠାରେ ବିଭିନ୍ନ କ୍ରୀଡ଼ା ଆୟୋଜନ କରିବା ସହ ସମ୍ପୃକ୍ତ ଜମିକୁ ଟ୍ରଷ୍ଟ ନାମରେ କରିଦେବା ପାଇଁ ଆବେଦନ କରିଥିଲା। ଇତିମଧ୍ୟରେ କ୍ରୀଡ଼ା ବିଭାଗ ପୂର୍ତ୍ତ ବିଭାଗ ଜରିଆରେ ଏହି ଷ୍ଟାଡିୟମ ନିର୍ମାଣ କାମ ଜାରି ରଖିଛି। ମଲ୍ଟି ପରପଜ୍ ହଲ ଓ କ୍ରୀଡ଼ାର ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ପାଇଁ ୬କୋଟି ମଞ୍ଜୁର ହେବା ସହ କାମ ଆରମ୍ଭ ହୋଇଛି। ତେବେ ଶହ ଶହ ଗଛ କଟା ହେବା ନେଇ ଅଭିଯୋଗ ହେବା ପରେ ବିବାଦ ଘନେଇଛି। କେବଳ ଗଛ କଟାଯାଇନି ବରଂ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ବିଡିଏ ତିଆରି କରିଥିବା ପାଚେରି ମଧ୍ୟ ଭାଙ୍ଗି ଦିଆଯାଇଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯଦି କୌଣସି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଗଛ କାଟିବାକୁ ପଡ଼ୁଛି, ତେବେ କଟା ଯାଉଥିବା ଗଛର ୧୦ଗୁଣ ଗଛ ଲଗାଇବାକୁ ପଡ଼ିବ ଏବଂ ସେସବୁ ବଞ୍ଚିବା ନିଶ୍ଚିତ କରିବ। କିନ୍ତୁ ନିକଟ ଅତୀତରେ ସହର ଭିତରୁ ହଜାର ହଜାର ଗଛ କଟାଯାଇଛି। ନୀଳାଦ୍ରିବିହାରରେ ୨୦୦ ଫୁଟିଆ ରାସ୍ତା ନିର୍ମାଣ ବେଳେ ପ୍ରାୟ ଦେଢ଼ ହଜାର ଗଛ କାଟି ଦେଇଥିଲେ। ସେହିଭଳି ଏମ୍ଏଲଏ କଲୋନିରେ ନିର୍ମାଣ ହେବାକୁ ଥିବା କୋଠା ପାଇଁ ଶହଶହ ଗଛ କାଟି ଦିଆଯାଇଛି। ଉଭୟ ପ୍ରକଳ୍ପରେ ବଳି ପଡ଼ିଥିବା ଗଛ ପାଇଁ ଗୋଟିଏ ହେଲେ ବୃକ୍ଷରୋପଣ ହୋଇନାହିଁ।
ଏ ନେଇ ବିହାରିଲାଲ୍ ସ୍ପୋର୍ଟସ୍ ଟ୍ରଷ୍ଟ ସଭାପତି ଅକ୍ଷୟ ଜେନା କହିଛନ୍ତି, ୧୮୧୯ ମସିହାରୁ ଟ୍ରଷ୍ଟ ପକ୍ଷରୁ ଏଠାରେ ବିଭିନ୍ନ କ୍ରୀଡ଼ାର ଆୟୋଜନ ସହ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏଠାରେ ମିନି ଷ୍ଟାଡିୟମ୍ ନିର୍ମାଣ ହେଲେ ହଜାର ହଜାର କ୍ରୀଡ଼ାବିତ୍ ଉପକୃତ ହେବେ। କିନ୍ତୁ ଏଠାରେ ଅନାବଶ୍ୟକ ଥିବା ଏକ ୱାକିଂ ଟ୍ରାକ୍ ବିଏମ୍ସି ନିର୍ମାଣ କରୁଛି। ଯାହା ପାଇଁ ପାଚେରି ଭାଙ୍ଗି ଦେବା ସହ ଗଛ କାଟି ଦେଉଛି। ଏଣୁ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟାଦେଶ ବାତିଲ କରିବାକୁ ବିଏମ୍ସି କମିସନରଙ୍କୁ ଚିଠି ଲେଖାଯାଇଛି।
ଏ ନେଇ ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ କହିଛନ୍ତି, ଦୀର୍ଘ ଦିନ ପରେ ପଡ଼ିଆଟି ନୂଆ ରୂପ ନେବାକୁ ଯାଉଛି। ରାଜଧାନୀ ଓ ଉପକଣ୍ଠର ହଜାର ହଜାର କ୍ରୀଡ଼ାବିତ୍ଙ୍କ ପାଇଁ ସ୍ବପ୍ନର ଷ୍ଟାଡିୟମ୍ ହେବ। ଖାଲୁଆ ଜାଗାରେ ମାଟି ପଡ଼ିବା ସହ ସମଗ୍ର ପଡ଼ିଆରେ ଘାସ ଲାଗିବ। ପଡ଼ିଆର ଗୋଟିଏ ପାର୍ଶ୍ବ ଆବର୍ଜନା ହୋଇପଡ଼ିଥିଲା। ବଡ଼ବଡ଼ ଗଛ କିଛି କଟାଯାଇନି। ଯାହା ଛୋଟ ଛୋଟ ଗଛ ଥିଲା ତାହା କଟାଯାଇଛି। କେତେକ ଏହି ଉନ୍ନତିକୁ ସହି ପାରୁ ନାହାନ୍ତି।