ହରପ୍ରିୟା ପୃଷ୍ଟି

Advertisment

ଭୁବନେଶ୍ୱର: ରାତି ୧୧ଟା ପରେ ଭୁବନେଶ୍ବରରେ ମିଳୁନି ଖାଇବା। ବଡ଼ ବଡ଼ ରେସ୍ତୋରାଁରେ ତାଲା, ରାସ୍ତାକଡ଼ ଦୋକାନ ବି ବନ୍ଦ। ଅପରାଧ ଭୟ ଲାଗି ‘ମୂଳୁ ମାଇଲେ ଯିବ ସରି...’ ନ୍ୟାୟରେ ପୁଲିସ ବୁଲିବୁଲି ଦୋକାନ ବନ୍ଦ କରି ଦେଉଛି। ପୂର୍ବରୁ ହୋଇଥିବା ‘ନାଇଟ୍‌ ଫ୍ଲି ମାର୍କେଟ୍‌’ ଯୋଜନା ନାଲିଫିତା ତଳେ ପଡ଼ିଥିବାରୁ ଟ୍ରେନ୍‌ ବା ବସ୍‌ରେ ଆସୁଥିବା ଯାତ୍ରୀମାନେ ରାଜଧାନୀରେ ଓହ୍ଲାଉ ଓହ୍ଲାଉ ଆତଙ୍କିତ ହେଉଛନ୍ତି। କାରଣ ଖାଇବାକୁ ଗଣ୍ଡେ ପାଉ ନାହାନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ଖାଦ୍ୟ ମଗାଇବାର ଯେଉଁ ବ୍ୟବସ୍ଥା ରହିଛି ତାହା ସମସ୍ତଙ୍କୁ ସୁହାଉ ନାହିଁ। ହାଇଦ୍ରାବାଦ୍, ବେଙ୍ଗାଲୁରୁ, କଲିକତା ଭଳି ମେଟ୍ରୋ ସହରରେ ରାତି ତମାମ୍‌ ସହରକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଦୋକାନ ବଜାର ଖୋଲା ରହୁଥିବା ବେଳେ ଓଡ଼ିଶା‌ର ରାଜଧାନୀର ଚରିତ୍ରରେ ମେଟ୍ରୋ ସିଟିର ସେ ସୁବିଧା ଦୃଶ୍ୟମା‌ନ ହେଉନାହିଁ। ଗୋଟିଏ ପଟେ ରାତିର ସୁରକ୍ଷାକୁ ନେଇ ସହରର ଅବସ୍ଥା ବିପନ୍ନ କଥାଟି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଅନ୍ୟପଟେ ରାତିରେ ଗ‌‌ଣ୍ଡେ ଖାଇବାକୁ‌ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଯାତ୍ରୀମାନେ ଅସନ୍ତୋଷ ଝାଡ଼ୁଛନ୍ତି। ଯଦିଓ କଟକଣା ପଛ‌ରେ ପୁଲିସ ନିର୍ଦ୍ଦେଶ ରହିଛି ବୋଲି କୁହାଯାଉଛି, ହେଲେ ଅଧିକାରୀମାନେ କିନ୍ତୁ ଏହି ଦୋଷ ନିଜ ମୁଣ୍ଡକୁ ନେବାକୁ ନାରାଜ। ପ୍ରତିକ୍ରିୟା ଦେଇ କହୁଛନ୍ତି, ଦୋକାନ ବନ୍ଦ କରିବା ‌ନେଇ ‌କୌଣସି କଡ଼ା‌ ନିୟମ ହୋଇନାହିଁ। ହେଲେ ଦୋକାନୀଙ୍କ ଯୁକ୍ତି ହେଉଛି, ଦୋକାନ‌ ଖୋଲିଲେ ପୁଲିସ ଧମକ ଚମକ ଦେଇ ବନ୍ଦ କରି ଦେଉଛି।  ଦୋକାନ ବନ୍ଦ୍‌ କାହିଁକି ହେଉଛି ‌‌ସେନେଇ କାହା ପାଖରେ କିଛି ଠୋସ୍‌ ଖବର ନାହିଁ, ହେଲେ ସତ ହେଉଛି ଯେ ରାତି ୧୧ଟା ପରେ ଦୋକାନ ବନ୍ଦ ରହୁଛି, ଖାଇବାକୁ ମିଳୁନି।

ତଥ୍ୟ କହୁଛି, ଭୁବନେଶ୍ବର ରେଳ ଷ୍ଟେସନଦେଇ କେବଳ ରାତି ୧୦ଟାରୁ ଭୋର ୫ଟା ମଧ୍ୟରେ କେଉଁଦିନ ୩୨ଟି ଟ୍ରେନ୍‌ ଚାଲୁଛି ତ ଆଉ କେଉଁଦିନ ୩୫ଟି। ବୁଧବାର ଓ ରବିବାର ସାପ୍ତାହିକ ଟ୍ରେନ୍‌ ଚଳାଚଳ କରୁଥିବାରୁ ଏହି ୨ଦିନ ରାତିରେ ଟ୍ରେନ୍‌ ସଂଖ୍ୟା ଅଧିକ ରହିଥାଏ। ମୋଟାମୋଟି ଭାବେ କହିବ‌ାକୁ ଗଲେ ସେହି ସମୟ ଭିତରେ ଦୈନିକ ହାରାହାରି ୩୦ରୁ ୪୦ ଟ୍ରେନ୍‌ ଚା‌ଲୁଛି। ଏହିସବୁ ଟ୍ରେନ୍‌‌ରୁ ପ୍ରତିଦିନ ରାତିରେ ୬ରୁ ୮ ହଜାର ଯାତ୍ରୀ ଭୁବନେଶ୍ବର‌ରେ ଓହ୍ଲା‌ଉଛନ୍ତି। ପୁଣି ତା’ଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଏଠାରୁ ଉକ୍ତ ଟ୍ରେନ୍‌ଗୁଡ଼ିକରେ ଚଢ଼ୁଛନ୍ତି; ଅନ୍ୟ ଶବ୍ଦରେ କହିଲେ, ଟ୍ରେନ୍‌ ପାଇଁ ଷ୍ଟେସନରେ ଅପେକ୍ଷା କରୁଛନ୍ତି। ସେହିପରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ରାତି ୧୦ଟା ପରଠାରୁ ପ୍ରାୟ ସବୁ ଜିଲ୍ଲାକୁ ବସ୍‌ ଯାଉଥିବା ବେଳେ ପ୍ରତି ୧୦ ମିନିଟ୍‌ରେ ଫୁଲବାଣୀ, ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ମୟୂରଭଞ୍ଜ, ମାଲକାନଗିରି, ସମ୍ବଲପୁର ଅଭିମୁ‌ଖେ ବାହାରୁଛି।‌ ରାଜ୍ୟ ବାହାରର କଲିକତାକୁ ଯିବା‌ପାଇଁ ୧୧ଟି ବସ୍‌, ଆସାନ‌ସୋଲକୁ ୪, ରାଞ୍ଚିକୁ ୫, ରାୟପୁରକୁ ୨ଟି ବସ୍‌ ନିୟମିତ ଯାତାୟାତ କରୁଛି। ଏଣୁ ପ୍ରତିଦିନ ଶହ ଶହ ଯାତ୍ରୀ ରାତିରେ ବରମୁଣ୍ଡାରୁ ଦୀର୍ଘଯାତ୍ରା ଆରମ୍ଭ କରୁଛନ୍ତି। ହେଲେ ଖାଇବା ବିନା ‌ସେମାନେ ଅକଥନୀୟ ପରିସ୍ଥିତିର ସା‌ମ୍ନା କରୁଛନ୍ତି। ନା ଷ୍ଟେସନ୍ ସମ୍ମୁଖରେ ସହଜରେ କିଛି ଖାଇବାକୁ ମିଳୁଛି, ନା ବସ୍ ଷ୍ଟାଣ୍ଡ୍‌ ଭିତରେ ‌ଗୋଟିଏ ମଧ୍ୟ ‌ଦୋକାନ ଖୋଲା ରହୁଛି। ସେମିତି ୧୨ଟା ପରେ ଭୁବନେଶ୍ବରରେ କୌଣସି ବିମାନ ଅବତରଣ କରୁ ନଥିବା ବେଳେ ଶେଷ ବିମାନ ରାତି ୧୨ଟା ୨୦ରେ ଉଡ଼ାଣ ଭରୁଛି। ରାତି ୮ଟାରୁ ୧୨ଟା ମଧ୍ୟରେ ହାରାହାରି ୬ଟି ବିମାନ ଅବତରଣ ଓ ଉଡ଼ାଣ ଭରୁଛି।  

କୌତୂହଳର କଥାହେଲା, ଦୋକାନ ସିନା ବନ୍ଦ; ଜୋମାଟୋ, ସ୍ବିଗି ଭଳି ହୋମ୍‌ ଡେଲିଭରି ସଂସ୍ଥା କିନ୍ତୁ ସାରାରାତି ରେସ୍ତୋରାଁରୁ ଅର୍ଡର ନେଇ ଡେଲିଭରି କରୁଛନ୍ତି। ସେମାନଙ୍କୁ ପୁଲିସର ଭୟ ନାହିଁ। ଏମିତି କେମିତି? ଏ ବାବଦକୁ ସେମାନେ ମୋଟା ଅଙ୍କର ସର୍ଭିସ୍‌ ଚାର୍ଜ, ଡେଲିଭରି ବୟ ମଧ୍ୟ ବାଧ୍ୟତାମୂଳକ ଟିପ୍‌ ଆଦାୟ କରୁଛନ୍ତି। ‌ଏ ସମସ୍ତ ପ୍ରକରଣ ପରେ ମଧ୍ୟ ଖାଇବା ପାଇବା ସମସ୍ତଙ୍କ ପାଇଁ ସହଜ ବ୍ୟାପାର ‌ହେଉନାହିଁ। ଯଦି ସ୍ମାର୍ଟଫୋନ୍ ନାହିଁ ବା ଥିଲେ ବି ସ୍ବିଗି/ଜୋମାଟୋ ଆପ୍‌ ଡାଉନ୍‌ଲୋଡ୍‌ କରି ଅର୍ଡର୍ କରିବା ଜଣାନାହିଁ, ତେବେ ଉପବାସ ରହିବ‌ା‌ ଥୟ। ଏ ନେଇ ପୁଲିସ ଡିସିପି ପିନାକ ମିଶ୍ରଙ୍କ କହିବା କଥା, ଦୋକାନ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆ ଯାଇନାହିଁ। ସମ୍ବେଦନଶୀଳ ସ୍ଥାନ, ଗଣ୍ଡଗୋଳ ହେଉଥିବା ଆଶଙ୍କା ରହୁଥିବା ସମସ୍ତ ସ୍ଥାନକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ବସଷ୍ଟାଣ୍ଡ୍‌ କି ରେଳ ଷ୍ଟେସନ ପାଖ କିମ୍ବା ଅନ୍ୟ ସ୍ଥାନରେ ‌ଦୋକାନ ବନ୍ଦ କରିବାକୁ ନେଇ କଠୋର ନିର୍ଦ୍ଦେଶାବଳୀ ନାହିଁ। ଓଡ଼ିଶା ଉଠ‌ା‌‌ଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁଙ୍କ କହିବା କଥା‌, ରାତିରେ ରାଜ୍ୟ ସରକାର ‘ରାତି ବଜାର’ କରିବା କଥା। ଦିଲ୍ଲୀ, ମୁମ୍ବାଇ, କଲିକତା ଆଦିରେ ରାତି ବଜାର ଥିବାବେ‌ଳେ ଓଡ଼ିଶାରେ ମଧ୍ୟ ଏଭଳି ବ୍ୟବସ୍ଥା ‌ହେବା ଆବଶ୍ୟକ। କିନ୍ତୁ ସରକାର ତାହା‌ ନକରି ପୁଲିସ ମା‌ଧ୍ୟମରେ ରାତି ୧୧ ସୁଦ୍ଧା ସବୁ ଦୋକାନରେ ତାଲା ଝୁଲାଇବାକୁ ବାଧ୍ୟ କରୁଛନ୍ତି।