ଭୁବନେଶ୍ବର: କଂଗ୍ରେସ ଭବନରେ ଆଜି ଏକ ମିଶ୍ରଣ ପର୍ବ ପୂର୍ବରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଜଟଣୀ ନିର୍ବାଚନ ମଣ୍ଡଳୀର ଜଣେ ବିଜେପି ନେତାଙ୍କୁ କଂଗ୍ରେସରେ ସାମିଲ କରିବାକୁ ନେଇ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି। ପରିସ୍ଥିତି ବିଗିଡ଼ି ଯାଉଥିବା ଦେଖି କଂଗ୍ରେସ ପକ୍ଷରୁ ଶେଷ ମୁହୂର୍ତ୍ତରେ ମିଶ୍ରଣ ପର୍ବକୁ ବାତିଲ୍ କରାଯାଇଛି। ଜଟଣୀରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏଠାରେ ବିଧାୟକ ଥିବା ସୁରେଶ ରାଉତରାୟ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତେଣୁ ତାଙ୍କ ପୁତୁରା ସଂଗ୍ରାମ ରାଉତରାୟ କଂଗ୍ରେସରୁ ଟିକେଟ୍ ଆଶାୟୀ ରହିଛନ୍ତି। ହେଲେ ଆଜି ବିଧାୟକ ଶ୍ରୀ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଏକ ମିଶ୍ରଣ ପର୍ବର ଆୟୋଜନ କରିଥିଲେ। ଏଥିରେ ବିଜେପି ଦଳର ନେତା ସନ୍ତୋଷ ଜେନା କଂଗ୍ରେସରେ ସାମିଲ ହେଉଥିବା କୁହାଯାଇଥିଲା। ପ୍ରଥମେ ଅପରାହ୍ଣ ୪ଟା ୪୫ ମିନିଟ୍ ଓ ପରବର୍ତ୍ତୀ ସମୟରେ ସଂଧ୍ୟା ୬ଟାରେ ଏହି ମିଶ୍ରଣ ପର୍ବକୁ ଘୁଞ୍ଚାଇ ଦିଆଯାଇଥିଲା। କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା।
ହେଲେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବା ପୂର୍ବରୁ କଂଗ୍ରେସ ଭବନରେ ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକମାନେ ପହଞ୍ଚି ହଙ୍ଗାମା କରିଥିଲେ। ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ ବର୍ଷିଥିଲେ। ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ। ଏପରିକି ଆଉ କାହାରିକୁ ଟିକେଟ୍ ଦିଆଗଲେ ଜଟଣୀ ମାଟିରେ ପଶିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ସଂଗ୍ରାମ ଗଣମାଧ୍ୟମକୁ କହିଛନ୍ତି ଯେ ୧୯୯୫ ମସିହାରୁ କଂଗ୍ରେସ ସହ ସେ ଜଡ଼ିତ ଅଛନ୍ତି। ଜଟଣୀରେ କଂଗ୍ରେସକୁ ନଷ୍ଟ କରିବା ପାଇଁ ବାପ-ପୁଅ ଚକ୍ରାନ୍ତ ଚଳାଇଛନ୍ତି। ବିଧାୟକ ସୁରେଶ ରାଉତରାୟ ପ୍ରାୟୋଜିତ କାର୍ଯ୍ୟକ୍ରମ କରି କଂଗ୍ରେସକୁ ନଷ୍ଟ କରିବା ପାଇଁ ଯୋଜନା କରିଛନ୍ତି। ଗତ ଥର ଜଟଣୀରୁ ଲଢ଼ିବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଜି ଆଉ ଜଣଙ୍କୁ ସାମିଲ କରିବାକୁ ଯୋଜନା ହୋଇଛି। ଜଟଣୀ କଂଗ୍ରେସକୁ ହତ୍ୟା କରିବାକୁ ଉଦ୍ୟମ କଲେ ହଜାର ହଜାର କଂଗ୍ରେସ କର୍ମୀ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଛନ୍ତି।
ଅନ୍ୟପକ୍ଷରେ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, ଜଟଣୀ ପାଇଁ ଏକ ରଣନୀତି ପ୍ରସ୍ତୁତି ପାଇଁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ହେଲେ କଥା ଲିକ୍ ହୋଇଯିବା କାରଣରୁ ଜଟଣୀ କଂଗ୍ରେସର କିଛି କର୍ମୀ ଆସି ବିରୋଧ କରିଥିଲେ। ସେମାନଙ୍କୁ ବୁଝାସୁଝା କରାଯାଇଛି। ଆଉ ଦିନେ କିମ୍ବା ଦୁଇଦିନ ଏ ସଂପର୍କରେ ପୁଣି ସୂଚନା ଦିଆଯିବ ବୋଲି ସିଦ୍ଧାର୍ଥ କହିଛନ୍ତି। ଉଲ୍ଲେଖ ଯେ ପାଣ୍ଡବ ଜେନା ଫାଉଣ୍ଡେସନ୍ର ଅଧ୍ୟକ୍ଷ ସନ୍ତୋଷ ଜେନା ଗତମାସରେ ବିଜେପିରେ ସାମିଲ ହୋଇଥିଲେ। ଯଦିଓ ସେ ପୂର୍ବରୁ ବିଜେପିର କର୍ମକର୍ତ୍ତା ରହିଥିଲେ, ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନ ଦେବାକୁ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବାହାର କରାଯାଇଥିଲା। ଏବେ ପୁଣିଥରେ ସେ ବିଜେପିରୁ ଟିକେଟ୍ ଆଶାୟୀ ରହିଥିଲେ। ମାତ୍ର ଜଟଣୀରୁ ବିଶ୍ବରଂଜନ ବଡ଼ଜେନା ପୁଣିଥରେ ବିଜେପି ଟିକେଟ୍ ପାଇଲେ। ଏଣୁ ସନ୍ତୋଷ କଂଗ୍ରେସକୁ ଆଖେଇଥିବା କୁହାଯାଉଛି।