ଜଟଣୀ: ହିନ୍ଦୁ ପରମ୍ପରାରେ ପ୍ରକୃତି ପୂଜାର ଗୁରୁତ୍ବ ରହିଆସିଛି। ହିନ୍ଦୁମାନେ ପ୍ରକୃତିରେ ଈଶ୍ବରଙ୍କୁ ଦେଖନ୍ତି। ତେଣୁ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁଙ୍କୁ ପୂଜା କରିବା ଭାରତୀୟ ସଂସ୍କୃତିରେ ବହୁ ପ୍ରାଚୀନ ପ୍ରଥା। ସେମିତି ଏକ ପରମ୍ପରା ହେଉଛି ନାଗଦେବତା ପୂଜା। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ‘ନାଗ ଚତୁର୍ଥୀ’ କୁହାଯାଏ। ଏହି ତିଥିରେ ନାଗଦେବତାଙ୍କ ଉପାସନା କରିବା ବିଧି ରହିଛି। ବିବାହିତା ମହିଳାମାନେ ଏହି ବ୍ରତ ପାଳନ କରନ୍ତି। ସନ୍ତାନଙ୍କ ସମୃଦ୍ଧି କାମନା କରିବା ସହ ସର୍ପଦୋଷ ଖଣ୍ଡନ କରିବାକୁ ମହିଳାମାନେ ଏହି ବ୍ରତ କରନ୍ତି। ବିଶେଷକରି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନାଗ ଚତୁର୍ଥୀ ଉପାସନା ଦେଖିବାକୁ ମିଳେ। ତେଲଗୁ ସମ୍ପ୍ରଦାୟର ମହିଳାମାନେ ଏହି ଉପାସନା କରନ୍ତି। ଭାରତର ଯେଉଁ ଯେଉଁ ଜାଗାରେ ତେଲଗୁ ସମ୍ପ୍ରଦାୟ ଲୋକେ ବାସ କରନ୍ତି, ସେଠାରେ ଏହି ବ୍ରତ ବା ଉପାସନାର ଚିତ୍ର ଦେଖିବାକୁ ମିଳେ।
ବଡ଼ କଥା ହେଉଛି କାର୍ତ୍ତିକ ମାସ ଏକ ଧର୍ମ ମାସ ବୋଲି କେବଳ ଓଡ଼ିଶାରେ ନୁହେଁ, ଦକ୍ଷିଣ ଭାରତରେ ମଧ୍ୟ ବିଶ୍ବାସ କରାଯାଏ। ସେଥିପାଇଁ କାର୍ତ୍ତିକ ମାସରେ ହିଁ ନାଗଦେବତା ଉପାସନା କରାଯାଏ। ଆଜି ନାଗ ଚତୁର୍ଥୀ ଅବସରରେ ଜଟଣୀରେ ଏହି ଉପାସନା ଦେଖିବାକୁ ମିଳିଥିଲା। ଏଠାରେ ବର୍ଷବର୍ଷ ଧରି ରହିଆସୁଥିବା ତେଲଗୁ ସମ୍ପ୍ରଦାୟର ମହିଳାମାନେ ଏହି ବ୍ରତ ପାଳନ କରିଆସୁଛନ୍ତି। ବିଧିବିଧାନ ଅନୁସାରେ ଆଜି ମହିଳାମାନେ ଜଟଣୀ ଶନିଶ୍ଚର ମନ୍ଦିର ନିକଟସ୍ଥ ଏକ ଉଇ ହୁଙ୍କା ନିକଟରେ ଏକତ୍ର ହୋଇଥିଲେ। ସାଧାରଣତଃ ଉଇ ହୁଙ୍କାରେ ନାଗ ସାପ ରହୁଥିବାରୁ ମହିଳାମାନେ ସେଠାରେ ପୂଜାର୍ଚ୍ଚନା କରନ୍ତି। ପ୍ରଥମେ ହୁଙ୍କା ଚାରିକଡ଼କୁ ସଫାସୁତୁରା କରାଯାଏ। ହୁଙ୍କାରେ ଶୁଦ୍ଧ ଜଳସିଞ୍ଚନ କରିବା ସହ ହଳଦୀ ପାଣି ଓ ଖିର ଢାଳି ଶୁଦ୍ଧ କରାଯାଏ। ହୁଙ୍କା ଉପରେ ନୂଆ ବସ୍ତ୍ର ରଖିବା ପରେ ଧୂପକାଠି କିମ୍ବା ଘୃତ ସଳିତା ଜାଳି ଦିଆଯାଏ। ଏହାପରେ କଦଳୀ ପତ୍ରରେ ଫୁଲ, ଚନ୍ଦନ, ଅରୁଆ ଚାଉଳ, ଦୂବ, ବରକୋଳି ପତ୍ର ସହିତ ବିଭିନ୍ନ ଫଳମୂଳ ରଖି ଅର୍ପଣ କରାଯାଏ। ରୋଚକ କଥା ହେଉଛି ନାଗଦେବତାଙ୍କ ପାଇଁ କୁକୁଡ଼ା ଅଣ୍ଡା ମଧ୍ୟ ଭୋଗ ଲାଗି ପାଇଁ ଅର୍ପଣ କରାଯାଏ। ବ୍ରତଧାରୀମାନଙ୍କ କହିବା କଥା ନାଗ ସାପ ଦେବତା ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ଭଗବାନ ସପ୍ତଫେଣି ନାଗ ଉପରେ ଅନନ୍ତ ଶୟନ କରିଛନ୍ତି। ବାସୁକୀ ନାଗ ଯୋଗୁ ସାଗର ମନ୍ଥନ ହୋଇପାରିଥିଲା। ଦେବଦେବ ମହାଦେବ ଶିବଙ୍କ ଗଳାରେ ନାଗ ସାପ ଶୋଭା ପାଉଛି। ମହାଭାରତରେ ଭୀମ ଓ ଅର୍ଜୁନଙ୍କ ସହ ନାଗବଂଶର ସମ୍ପର୍କ ବର୍ଣ୍ଣନା କରାଯାଇଛି। ନାଗକନ୍ୟା ବେଲାବଳୀଙ୍କୁ ଭୀମ ଓ ନାଗକନ୍ୟା ଉଲ୍ଲୁପିଙ୍କୁ ଅର୍ଜୁନ ବିବାହ କରିଥିଲେ। ତେଣୁ ନାଗ ପୂଜା କରିବା ଦ୍ବାରା ମାନସିକ ପୂରଣ ହୁଏ ବୋଲି କୁହାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-10-2025-10-26-06-03-15.jpg)