ବାର୍‌ହା ମୁଣ୍ଡ ସମେତ ୭ କିଲୋ ମାଂସ ଜବତ, ଶିକାରୀ ଗିରଫ

ମେଣ୍ଢାଶାଳ : ରାଜଧାନୀ ଉପକଣ୍ଠ ଚନ୍ଦକା ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ବହୁ ପରିମାଣରେ କମିଥିଲେ ବି କିଛି ଶିକାରୀ ସକ୍ରିୟ ଅଛନ୍ତି। ଆଜି ଚନ୍ଦକା ରେଞ୍ଜ୍‌ ଅଧୀନ ଚୁଡ଼ଙ୍ଗ ବାଲୁଙ୍କାରୁ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିବା ପରେ ପୁଣି ଶିକାରୀମାନେ ପଶୁ ଶିକାରରେ ମାତିଥିବା ପ୍ରମାଣ ମିଳିଛି। ଗିରଫ ଶିକାରୀ ହେଲା ବାଲୁଙ୍କା ଶବରସାହିର ମିଥୁନ ଦେହୁରୀ (୩୫)। ତା’ ନିକଟରୁ ଫାସ, କଟୁରି ସହ ଗୋଟିଏ ବାର୍‌ହାର କଟାମୁଣ୍ଡ, ଗୋଡ଼ ଓ ପ୍ରାୟ ୭ କିଲୋ ମାଂସ ଜବତ କରାଯାଇଛି। ବନ ବିଭାଗ ସୂଚନାନୁସାରେ, ବାର୍‌ହା ମାଂସ ବିକ୍ରି ହେଉଥିବା ଖବର ପାଇ ଏକ ଟିମ୍‌ ଶବର ସାହିରେ ଅତର୍କିତ ଚଢ଼ଉ କରିଥିଲା। ଗତରାତିରୁ ମିଥୁନ ବାର୍‌ହାକୁ ମାରି ଆଜି ସକାଳୁ କାଟି ବିକ୍ରି କରୁଥିଲା। ବନ ବିଭାଗ ଟିମ୍‌ ଚଢ଼ଉ କଲା ବେଳକୁ ମିଥୁନ ବାର୍‌ହାର ପ୍ରାୟ ଶତକଡ଼ା ୭୦ ଭାଗ ମାଂସ ବିକ୍ରି କରିସାରିଥିଲା। ଏହି ଟିମ୍‌ରେ ରାଜକିଶୋର ସେଠୀ, ରବୀନ୍ଦ୍ର କୁମାର ସାହୁ, ନିଲିଲତା ବେହେରା ସାମିଲ ଥିଲେ।

ସୂଚନାଯୋଗ୍ୟ, କିଛି ବର୍ଷ ହେଲା ଚନ୍ଦକା ଅଭୟାରଣ୍ୟ ଓ ସଂଲଗ୍ନ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ସଂଖ୍ୟା ବଢ଼ିଛି। ଶିକାର କମିଥିବାରୁ ବାର୍‌ହାମାନେ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏହି ମଉକାରେ କିଛି ଶିକାରୀ ଫାସ ବସାଇ ସେମାନଙ୍କୁ ଶିକାର କରୁଛନ୍ତି। ବଡ଼ କଥା ହେଉଛି, ବନ୍ୟଜନ୍ତୁଙ୍କ ମାଂସ ରାଜଧାନୀକୁ ବିକ୍ରି ପାଇଁ ଆସୁଛି। ରାଜଧାନୀ‌ରେ ଜଙ୍ଗଲୀ ମାଂସର ଭଲ ଚାହିଦା ଥିବାରୁ ଶିକାରୀମାନେ ପ୍ରୋତ୍ସାହନ ପାଉଛନ୍ତି। ଅନ୍ୟପକ୍ଷରେ ମେଣ୍ଢାଶାଳ, ଛତାବର, ଜାମୁଝରି, ଅରିଶଲ, ଗିରିଙ୍ଗାପୁଟ ଆଦି ଗ୍ରାମରେ କିଛି ଦିନ ହେଲା ବାର୍‌ହାମାନେ ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ କରୁଛନ୍ତି।

ସମ୍ବନ୍ଧିତ ଖବର