ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ

ଭୁବନେଶ୍ବର : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସିଆର୍‌ପି ମୁଣ୍ଡାବସ୍ତିର ବାନାମ୍ବର ମଲ୍ଲିକ(୪୨)। ପ୍ରଥମେ ମାଡ଼ ମାରିବା ଓ ପରେ ମୁହଁରେ ତକିଆ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା ବୋଲି ବାନାମ୍ବରର ସ୍ତ୍ରୀ ମୀନା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ, ମାଛ ବେପାର କରୁଥିବା ବାନା ୨୦୦୯ ମସିହାରେ ମୀନାଙ୍କୁ ଦ୍ବିତୀୟ ବିବାହ କରିଥିଲା। କିନ୍ତୁ ବିବାହ ପରଠୁ ସେ ମୀନାଙ୍କୁ ସନ୍ଦେହ ନଜରରେ ଦେଖୁଥିଲା। ବସ୍ତି ପିଲାଙ୍କ ସହ ମୀନାର ମିଳାମିଶା ଓ ଚଳପ୍ରଚଳକୁ ବାନା ସନ୍ଦେହ କରୁଥିଲା। ତେଣୁ ପ୍ରାୟ ସମୟ ସେ ନିଶା ଖାଇ ତାଙ୍କୁ ମାର୍‌ଧର୍ କରୁଥିଲା। ଏମିତିକି ବହୁ ସମୟ ବେପାରକୁ ନଯାଇ ଘରେ ବସି ରହୁଥିଲା। ଗତ ୧୫ ତାରିଖରେ ଏହି ଘଟଣା ସବୁ ସୀମା ଟପି ଯାଇଥିଲା। ବାନା ମଦ ପିଇ ଘରେ ବସିଥିବା ବେଳେ ବେପାରକୁ କାହିଁକି ଯାଉନାହଁ ବୋଲି ମୀନା ପଚାରିଥିଲା। ଏମିତି ଘରେ ବସି ରହିଲେ ପିଲାଛୁଆ କେମିତି ଚଳିବେ ବୋଲି ମୀନା ବୁଝାଇଥିଲା। କିନ୍ତୁ ବାନା ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ମୀନା ଉପରେ ଥିବା ତା’ ସନ୍ଦେହ ଅଧିକ ଦୃଢ଼ ହୋଇଥିଲା। ତେଣୁ ଉତ୍‌କ୍ଷିପ୍ତ ହୋଇ ବାନା ପନିକି ପଟାରେ ମୀନାକୁ ନିର୍ମମ ଭାବେ ପିଟି ଚାଲିଲା ଓ ତାଙ୍କ ଗୋଟିଏ ହାତ ଭାଙ୍ଗି ଦେଇଥିଲା। ଏତିକିରେ ବି ବାନାର ମନକୁ ଶାନ୍ତି ମିଳିନଥିଲା। ଜୀବନରେ ମାରି ଦେବାକୁ ଏକ ତକିଆ ଆଣି ମୀନାର ମୁହଁକୁ ଚାପି ଧରିଥିଲା।

ସମ୍ବନ୍ଧିତ ଖବର