ଭୁବନେଶ୍ବର : ବାପଘରୁ ଟଙ୍କା ନ ଆଣିବାରୁ ପତ୍ନୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କଲା। ପରିବାରଲୋକଙ୍କ ସହ ମିଶି ମହିଳାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଚେଷ୍ଟା କଲା। କିନ୍ତୁ କୌଣସିମତେ ମହିଳାଜଣଙ୍କ ବର୍ତ୍ତିଯିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରି ଘରୁ ତଡ଼ିଦେଲା। ଯୌତୁକ ନିର୍ଯାତନା ସଂପର୍କିତ ଏଭଳି ଏକ ଅଭିଯୋଗ ଆଜି ଖାରବେଳନଗର ଥାନାରେ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କ ବିରୋଧରେ ଯୌତୁକ ନିରୋଧୀ ଦଫାରେ ମାମଲା ରୁଜୁ କରିଛି।

Advertisment

publive-image

ନିର୍ଯାତିତା ମହିଳା ରଶ୍ମି ଘଡ଼େଇଙ୍କ ଅଭିଯୋଗ ଅନୁସାରେ, ୨୦୧୭ ମସିହାରେ ସେ ଖୋର୍ଦ୍ଧା ଦଳେଇପୁଟର ଚନ୍ଦନ ରାଉତରାୟଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା। ପୁଅ ଜନ୍ମ ହେବାର ୨ବର୍ଷ ପରେ ସ୍ବାମୀ ଚନ୍ଦନ ତାଙ୍କୁ ବାପଘରୁ ୫ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଇଥିଲେ। କିନ୍ତୁ ରଶ୍ମି ଟଙ୍କା ଆଣିବାକୁ ମନା କରିବାରୁ ଚନ୍ଦନ ତାଙ୍କୁ ମାଡ଼ ମାରି ମୁହଁ ଫଟାଇ ଦେଇଥିଲେ। ଏ ସଂପର୍କ‌‌‌‌‌ରେ ରଶ୍ମି ବାପଘର ଲୋକଙ୍କୁ ଜଣାଇଥିଲେ। ତେଣୁ ରଶ୍ମିଙ୍କ ବାପା ଚନ୍ଦନଙ୍କୁ ଘରକୁ ଡାକି ବୁଝାସୁଝା କରିବା ସହ ଝିଅକୁ ମରାମରି ନ କରିବାକୁ କହିଥିଲେ। ଏହାସହ ୫୦ ହଜାର ଟଙ୍କା ଦେଇଥିଲେ। ଦମ୍ପତିଙ୍କ ମଧ୍ୟରେ କିଛି ଦିନ ଠିକ୍‌ଠାକ୍‌ ଚାଲିବା ପରେ ପୁଣି ଥରେ ରଶ୍ମିଙ୍କୁ ବାପଘରୁ ଟଙ୍କା ଆଣିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଳହ ହେବାରୁ ଚନ୍ଦନ ଓ ତାଙ୍କ ବାପା ମା’ ରଶ୍ମିଙ୍କ ଦେହରେ କିରାସିନି ଢାଳି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। କୌଣସିମତେ ରଶ୍ମି ବର୍ତ୍ତିଯାଇଥିଲେ ହେଁ ଚନ୍ଦନ ତାଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ। ଟଙ୍କା ନ ଆଣିବା ପର୍ଯ୍ୟନ୍ତ ଘରକୁ ଆସିପାରିବ ନାହିଁ ବୋଲି ଧମକ ଦେଇ ତାଙ୍କୁ ବିଦା କରିଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, କାର୍‌ କିଣିବାକୁ ବାପଘରୁ ୨ଲକ୍ଷ ଟଙ୍କା ନ ଆଣିବାରୁ ମାଡ଼ ମାରି ସ୍ତ୍ରୀକୁ ଗାୟବ୍‌ କରିଦେବା ନେଇ ଗତକାଲି ମଞ୍ଚେଶ୍ବର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଆଜି ଖାରବେଳନଗର ଥାନାରେ ରୁଜୁ ଏ ମାମଲା ବୁଦ୍ଧିଜୀବୀମହଲ‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ରାଜଧାନୀ ଭଳି ଶିକ୍ଷିତ ସହରରେ ଏଭଳି ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।