ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ବିଷ ପିଇ ସ୍ୱାମୀଙ୍କ ଆତ୍ମହତ୍ୟା

ବାଲିପାଟଣା : ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ବିଷ ପିଇ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ବାଲିପାଟଣା ଥାନା ତରବୋଇ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ, ନରେନ୍ଦ୍ର ଓଝାଙ୍କ ପୁଅ ଅଶ୍ୱିନୀ ଓଝା ଓରଫ୍‌ ପପୁ (୨୭)।

ସୂଚନା ଅନୁସାରେ, ଅଶ୍ୱିନୀ କିଛି ବର୍ଷ ତଳେ ପ୍ରେମବିବାହ କରିଥିଲେ। ପତ୍ନୀଙ୍କ ସହ ସେ ଶିଶୁପାଳରେ ଏକ ଭଡ଼ାଘରେ ରହୁଥିଲେ। ଗୁରୁବାର ଦିନ ଅଶ୍ୱିନୀ ଡ୍ୟୁଟିକୁ ଯାଇଥିବା ବେଳେ ତାଙ୍କ ପତ୍ନୀ କେଉଁଆଡ଼େ ଚାଲି ଯାଇଥିଲେ। ଅଶ୍ୱିନୀ ଘରକୁ ଫେରିବା ପରେ ପତ୍ନୀଙ୍କୁ ନ ପାଇ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠି ବି ତାଙ୍କ ସନ୍ଧାନ ମିଳି ନଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଅଶ୍ୱିନୀ ଶୁକ୍ରବାର ସନ୍ଧ୍ୟାରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ଶନିବାର ସନ୍ଧ୍ୟାରେ ଅଶ୍ୱିନୀଙ୍କ ଶବ ଗାଁକୁ ଆସିଥିଲା। ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର