ଭୁବନେଶ୍ବର: ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ସମୟରେ ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ସମ୍ମୁଖ ଫ୍ଲାଏଓଭର ବ୍ରିଜ୍ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଶ୍ରମିକ ପରିବାର ଉଜୁଡ଼ି ଯାଇଛି। ଅଜଣା ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ସାଲିଆସାହିରେ ରହୁଥିବା ଶ୍ରମିକ ରବି ମୁଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ରାଇବୁ ମୁଣ୍ଡା(୧୨) ଗୁରୁତର ଆହତ ହୋଇଛନ୍ତି। ରାଇବୁର ଦୁଇ ଗୋଡ଼ କ୍ଷତିଗ୍ରସ୍ତ ହୋଇଛି ଓ ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି। ରବିଙ୍କ ପତ୍ନୀ ପ୍ରତିମା ମୁଣ୍ଡା ମଧ୍ୟ ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଖବର ଅନୁଯାୟୀ, ରବି, ପ୍ରତିମା ଓ ରାଇବୁ ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ପଟୁ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହୋଇ କସ୍ତୁରବା ପଡ଼ିଆ ପାଖ ଫ୍ଲାଏଓଭର୍କୁ ଯାଉଥିଲେ। ସେତିକିବେଳେ ଖଣ୍ଡଗିରି ଦିଗରୁ ବାଣୀବିହାର ଆଡ଼କୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ରବି ଓ ତାଙ୍କ ପୁଅ ରାଇବୁକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ରବି କିଛି ବାଟ ଛିଟିକି ପଡ଼ିବା ପରେ ଟ୍ରକ୍ଟି ତାଙ୍କ ମୁଣ୍ଡରେ ମାଡ଼ିଯିବା ସହ ରାଇବୁର ଜଙ୍ଘ ଉପରେ ଚଢ଼ିଯାଇଥିଲା।
ଘଟଣାସ୍ଥଳରେ ରବିଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ରାଇବୁ ଗୁରୁତର ଅବସ୍ଥାରେ ଚେତା ହରାଇ ପଡ଼ିଥିଲା। ପ୍ରତିମାଙ୍କ ଆଖି ଆଗରେ ଏସବୁ ଘଟିଯାଇଥିଲା। ତେଣୁ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ରବିଙ୍କ ମୃତଦେହକୁ ଜବତ କରିବା ସହ ତୁରନ୍ତ ରାଇବୁ ଓ ପ୍ରତିମାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ରାଇବୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ତାକୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଟ୍ରକ୍କୁ ଠାବ କରିବା ପାଇଁ ପୁଲିସ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଚଳାଇଛି।
ସମସ୍ତେ ଦେଖୁଥିଲେ, ଉଦ୍ଧାର କଲେନି
ପ୍ରତିମାଙ୍କ ଆଖି ଆଗରେ ସ୍ବାମୀ ରବିଙ୍କ ମୃତଦେହ ପଡ଼ିଥିବା ବେଳେ ପୁଅ ରାଇବୁ ଗୁରୁତର ହୋଇ ନିର୍ଜୀବ ଅବସ୍ଥାରେ ପଡ଼ିଥିଲା। ପ୍ରତିମା ଚିତ୍କାର କରି କାନ୍ଦୁଥିଲେ ଓ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ପୁଅକୁ ଡାକ୍ତରଖାନା ନେବାକୁ ନେହୁରା ହେଉଥିଲେ। ଅନେକ ଲୋକ ନ ଦେଖିଲା ପରି ପଳାଇ ଯାଉଥିବା ବେଳେ ଆଉ କିଛି ମୋବାଇଲ୍ରେ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏସ୍ଆଇ ରବିନାରାୟଣ ପାତ୍ର ଓ ସତ୍ୟ ନାରାୟଣ ବାରିକ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ପୁଲିସ ଗାଡ଼ିରେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଯାଇଥିଲେ। ସେଠାରୁ ପୁଲିସ ରାଇବୁକୁ ନେଇ ଏମ୍ସରେ ଭର୍ତ୍ତି କରିବା ସହ ଅସ୍ତ୍ରୋପଚାର ପାଇଁ ଦରକାର ୨ ୟୁନିଟ୍ ରକ୍ତ ଯୋଗାଡ଼ କରିଥିଲା।
ସାଙ୍ଗ ଘରେ ଭୋଜି ଖାଇ ଫେରୁଥିଲେ
ମୃତ ରବି ମୁଣ୍ଡାଙ୍କ ଘର କେନ୍ଦୁଝର ଜିଲ୍ଲା ବାଲିଆ ଥାନା ଅଞ୍ଚଳରେ। ସେ ଗତ କିଛି ବର୍ଷ ହେଲା ସାଲିଆସାହିରେ ରହୁଥିଲେ। କିନ୍ତୁ ଗତ କିଛି ଦିନ ତଳେ ଜଣେ ବଡ଼ ଠିକାଦାରଙ୍କ ପାଖରେ କାମ କରିବାକୁ ପରିବାର ସହିତ ଶ୍ୟାମପୁରକୁ ଚାଲି ଯାଇଥିଲେ। ସୋମବାର ରବି ପତ୍ନୀ ଓ ପୁଅକୁ ଧରି ସାଲିଆସାହିସ୍ଥିତ ଆଦିବାସୀ ଗାଁରେ ରହୁଥିବା ସାଙ୍ଗ ଘରକୁ ଭୋଜି କରିବାକୁ ଆସିଥିଲେ। ଗତ ରାତିରେ ଭୋଜି ସାରିବା ପରେ ଆଜି ସେମାନେ ନୂଆପଲ୍ଲୀ ଆଇଡି ମାର୍କେଟ୍ରୁ ଘର ପାଇଁ ୫ କେଜି ଚାଉଳ ଓ ଅନ୍ୟାନ୍ୟ ସଉଦା କିଣି ଶ୍ୟାମପୁର ଫେରୁଥିଲେ। ମାତ୍ର ବାଟରେ ଘଟିଗଲା ଏହି ଅଘଟଣ।