ଖଣ୍ଡଗିରି: ଆଜି ସକାଳେ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ପୁରୁଣା ଟୋଲ୍ଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବୋଲଗଡ଼ ଥାନା ଅଧୀନ ଗୁଡ଼ିଆସାହିର ଅଶୋକ ରଞ୍ଜନ ମଲ୍ଲିକ(୪୦)। ଅଶୋକ ନିଜର ସ୍ତ୍ରୀ ଓ ଦୁଇବର୍ଷର ପୁଅଙ୍କୁ ନେଇ ବାଇକ୍ରେ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଅଶୋକ ବାଇକ୍ ସହ ଟ୍ରକ୍ ଚକ ତଳେ ଚାପି ହୋଇଯାଇଥିଲା ବେଳେ ସ୍ତ୍ରୀ ରଶ୍ମିତା ଚମ୍ପତ୍ତି ଓ ପୁଅ ନୃସିଂହଙ୍କ ଗୋଡ଼ ଉପରେ ଟ୍ରକ୍ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଅଶୋକଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ରଶ୍ମିତା ଓ ପୁଅ ନୃସିଂହଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ମୃତ ଅଶୋକ ଖୋର୍ଦ୍ଧା ମନ୍ଦାରବସ୍ତ ହାଇସ୍କୁଲରେ କିରାଣି ଭାବେ କାର୍ଯ୍ୟରତ ଥିଲେ। ରାଖୀ ପୂର୍ଣ୍ଣିମା ପାଇଁ ଅଶୋକ ସପରିବାର ୟୁନିଟ-୧ ସ୍ଥିତ ନିଜ ଭଉଣୀଙ୍କ ଘରକୁ ଯାଇଥିଲେ। ସକାଳେ ଗୁରୁଜଙ୍ଗସ୍ଥିତ ଘରକୁ ଫେରୁଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି। ଏ ନେଇ ଦୁର୍ଘଟଣା ଘଟିଥିବା ସ୍ଥାନରେ କିଛି ସମୟ ଧରି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ (ଏପି୩୯ଭିଇ୭୯୫୬)କୁ ଜବତ କରିବା ସହିତ ଚାଳକକୁ ଗିରଫ କରି ତଦନ୍ତ ଚଳାଇଛି। ବାରମ୍ବାର ଦୁର୍ଘଟଣା ପାଇଁ ଗଙ୍ଗପଡ଼ା ରାସ୍ତା ଅପବାଦ ମୁଣ୍ଡାଉଛି। ଗତିରୋଧକ ଯନ୍ତ୍ର ଥିବା ସତ୍ତ୍ବେ ଗାଡ଼ି ଦ୍ରୁତଗତିରେ ଯା’ଆସ କରୁଛି। ଛକ ଅଞ୍ଚଳରେ ଗାଡ଼ି ୭୦ରୁ ୮୦ କିମି ବେଗରେ ଯାଉଛି। ଫଳରେ ରାସ୍ତା ପାରିହେବାକୁ ଭୟ ଲାଗୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଟ୍ରକ୍ ଧକ୍କାରେ ସ୍ବାମୀ ମୃତ ସ୍ତ୍ରୀ ଓ ପୁଅ ଗୁରୁତର
ଆଜି ସକାଳେ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ପୁରୁଣା ଟୋଲ୍ଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବୋଲଗଡ଼ ଥାନା ଅଧୀନ......
/sambad/media/media_files/2025/08/12/untitled-6-2025-08-12-06-44-35.jpg)