‌ଯୌତୁକ ଜୁଇରେ ନବବଧୂ!

ସ୍ବାମୀ ଅଟକ

ବାଲିଅନ୍ତା: ବଇଁଚୁଆ ପଞ୍ଚାୟତ ବଢ଼େଇସାହିରେ ଯୌତୁକ ପାଇଁ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ହେଲେ, ଜୟଦେବ ବାରିକ(୨୫)ଙ୍କ ପତ୍ନୀ ସୁମିତ୍ରା ବାରିକ(୨୧)। ଅଧିକ ଯୌତୁକ ଦାବି କରି ସ୍ବାମୀ ଓ ତାଙ୍କ ପରିବାରଲୋକ ମିଳି ମିଶି ସୁମିତ୍ରାଙ୍କୁ ମାରି ଦେଇଥିବା ତାଙ୍କ ବଡ଼ଭାଇ ଅର୍ଜୁନ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସ୍ବାମୀ ଜୟଦେବଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସୂଚନାନୁସାରେ, ସହିଦନଗର ଥାନା ଅଧୀନ ବାଙ୍କୁଆଳ ଗ୍ରାମର ସ୍ବର୍ଗତ କୈଳାସ ପ୍ରଧାନଙ୍କ ଝିଅ ସୁମିତ୍ରା ଗତ ମାର୍ଚ୍ଚ ୧୧ତାରିଖରେ ବଢ଼େଇସାହିର ସ୍ବର୍ଗତ ରବୀନ୍ଦ୍ର ବାରିକଙ୍କ ପୁଅ ଜୟଦେବଙ୍କୁ ବିବାହ କରିଥିଲେ। ଜୟଦେବ ଏକ ଘରୋଇ ସଂସ୍ଥାରେ ଡେଲିଭରି କର୍ମଚାରୀ ଭାବେ କାମ କରୁଥିଲେ। ବିବାହର ମାତ୍ର ଅଳ୍ପଦିନ ପରେ ଜୟଦେବ ଓ ସୁମିତ୍ରାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଜୟଦେବ ଓ ତାଙ୍କ ଶାଶୁଘର ଲୋକ ଅଧିକ ଯୌତୁକ ଦାବି କରି ସୁମିତ୍ରାଙ୍କୁ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଗତ ରାତି ୩ଟାରେ ସୁମିତ୍ରାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇପଡ଼ିଥିଲା। ପରିବାରଲୋକ ସୁମିତ୍ରାଙ୍କୁ ତୁରନ୍ତ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ସ୍ବାମୀ ଜୟଦେବଙ୍କ କହିବାନୁସାରେ, ଶାରୀରିକ ଅସୁସ୍ଥତା ଯୋଗୁଁ ସୁମିତ୍ରାଙ୍କ ମୃତ୍ୟୁ ଘଟିଛି। ଗତ ରାତି‌ରେ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତ‌ାଙ୍କୁ ହସ୍ପିଟାଲ ନିଆଯାଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥା‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେଷ ଖବର ମୁତାବକ, ସୁମିତ୍ରାଙ୍କ ଶବ ନେବାକୁ କେନ୍ଦ୍ର କରି ଉଭୟ ବାପଘର ଓ ଶାଶୁଘର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାପଘର ଲୋକ ଶବକୁ ସତ୍କାର ପାଇଁ ତାଙ୍କ ଗାଁକୁ ନେଇ ଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର