ଜେଲ୍‌ ଗଲା ସ୍ୱାମୀ ହତ୍ୟାକାରୀ, ଦେହାବଶେଷର ଯାଞ୍ଚ ଆରମ୍ଭ

ଚିହ୍ନଟ ପାଇଁ ହେବ ଡିଏନ୍ଏ ଟେଷ୍ଟ

ବାଲିପାଟଣା: ବାଲିପାଟଣା ଥାନା ଅଧୀନ ବନମାଳିପୁର ଗାଁରେ ସ୍ବାମୀ ନିଧିରାମ ଗିରିଙ୍କ ହତ୍ୟା ଘଟଣାରେ ପତ୍ନୀ ଲିଲି ଜେଲ୍ ଯାଇଛି। ଗତକାଲି ତାକୁ ଗିରଫ କରାଯାଇଥିବା ବେଳେ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଲିଲିକୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ନିଧିରାମଙ୍କ ଜ୍ୱାଇଁ ପ୍ରତାପ କୁମାର ଦେବତାଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିପାଟଣା ପୁଲିସ୍‌ ନଂ- ୩୬୦/୨୦, ଆଇପିସି ଦଫ- ୩୦୨(ହତ୍ୟା) ଏବଂ ୨୦୧(ପ୍ରମାଣ ନଷ୍ଟ କରିବା)ରେ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ଘଟଣାର ୩ ମାସ ପରେ ବାଡ଼ି ପଛ ପଟୁ ଜବତ ହୋଇଥିବା ହାଡ଼, ଖପୁରି ଓ ଦେହାବଶେଷକୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଏହି ଦେହାବଶେଷ ଗୁଡ଼ିକର ଆଜି ଏଫଏମଟି (ଫୋରେନସିକ୍ ମେଡିକୋ ଟକ୍ସିକୋଲୋଜି) ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଧିରାମଙ୍କ ମୁଣ୍ଡକୁ ଓ ଛାତିକୁ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ବୋଲି ଲିଲି ପୁଲିସ୍‌ ଆଗରେ ବୟାନ ଦେଇଛି। ତେଣୁ ଖପୁରି ଓ ପଞ୍ଜରା ହାଡ଼ର କେଉଁ ଭାଗରେ ଆଘାତ ଲାଗିିଛି, ତାହାର ଯାଞ୍ଚ କରାଯିବ।

କେତେ ଦିନ ତଳେ ମୃତ୍ୟୁ ହୋଇଛି, ତାହା ମଧ୍ୟ ଖୋଜାଯିବ। ଏହା ସହ ଫରେନସିକ୍ ପଦ୍ଧତିରେ ବୟସ, ଲିଙ୍ଗ, ମିଳିଥିବା ଦେହାବଶେଷ ଶରୀରର କେଉଁ କେଉଁ ଅଂଶ ରହିଛି, ତାହାକୁ ଚିହ୍ନଟ କରାଯିବ। ଏହି ମାମଲାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିବାରୁ ଏ ସବୁ ପ୍ରମାଣର ଯଥେଷ୍ଟ ଆବଶ୍ୟକତା ରହିଛି। ସେହିପରି ଦେହାବଶେଷ ନିଧିରାମଙ୍କର ବୋଲି ଲିଲି ପୁଲିସ୍‌ ଆଗରେ ସ୍ବୀକାର କରିଛି। କିନ୍ତୁ ଏହାକୁ ପ୍ରମାଣ କରିବା ଲାଗି ଡିଏନ୍ଏ ପରୀକ୍ଷା କରାଯିବ। ଏଫଏମ୍‌ଟି ଯାଞ୍ଚ ସରିବା ପରେ ଡିଏନ୍ଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି କୋର୍ଟଙ୍କର ମଧ୍ୟ ଅନୁମତି ଲୋ଼ଡ଼ିବ ପୁଲିସ। ନିଧିରାମଙ୍କ ପୁଅ କିମ୍ବା ଝିଅଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ମିଳିଥିବା ହାଡ଼ ସହ ଡିଏନଏ ପଦ୍ଧତିରେ ମେଳ କରାଯିବା ପରେ ଏହି ପ୍ରମାଣକୁ କୋର୍ଟରେ ଦାଖଲ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଆହୁରି ଅନେକ ତଦନ୍ତ ବାକି ରହିଥିବା ଜଣାପଡ଼ିଛି।

ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ ଅଭିଯୋଗ
ଅନ୍ୟପକ୍ଷରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା ଗ୍ରାମବାସୀ ଦାବି କରୁଛନ୍ତି। କାରଣ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଦୁଇ ଦିନ ଧରି ଘର ଖଟ ତଳେ ରଖିବା ଓ ପ୍ରାୟ ଦୁଇ ଶହ ମିଟର ପର୍ଯ୍ୟନ୍ତ ନେଇ ପୋଡ଼ିବା ଏବଂ ପୋତିବା ଜଣଙ୍କର କାମ ହୋଇ ନ ପାରେ ବୋଲି ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ତେଣୁ ଏହି ହତ୍ୟାକାଣ୍ଡରେ ପତ୍ନୀ ଲିଲି ସହ ଆଉ ଜଣଙ୍କର ସମ୍ପୃକ୍ତି ଥାଇପାରେ ବୋଲି କୁହାଯାଉଛି। ପୁଲିସ ଅଧିକ ତଦନ୍ତ କଲେ ଏହାର ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଦାବି ହୋଇଛି। କିନ୍ତୁ ଲିଲି ଏକା ଏହି କାଣ୍ଡ ଭିଆଇ ଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର