ସ୍ତ୍ରୀକୁ ପିଟିପିଟି ହତ୍ୟା ମାମଲା : ପରକୀୟା ପ୍ରୀତି ସନ୍ଦେହରେ ମାରିଦେଲା

ରଙ୍ଗଲାଲ ଗିରଫ; ରକ୍ତଭିଜା କାଠ ବେଣ୍ଟ ଓ ଫୁଙ୍କନଳୀ ଜବତ
ନିଶା ଯୋଗୁଁ ପରିବାର ଛାରଖାର, ୨ ଶିଶୁ ଅନାଥ

ଚନ୍ଦ୍ରଶେଖରପୁର : ଗୁରୁବାର ମୈତ୍ରୀବିହାର ବୀର ବିର୍ସା ମୁଣ୍ଡା ଲକ୍ଷ୍ମୀପୁର ବସ୍ତିରେ ସ୍ତ୍ରୀ ମାମିନାକୁ ନୃଶଂସ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀ ରଙ୍ଗଲାଲ୍‌ ପୁର୍ତ୍ତି(୪୦)କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ପରକୀୟା ପ୍ରୀତି ସନ୍ଦେହରେ ନିଶାରେ ଚୁର୍‌ ହୋଇ ରଙ୍ଗଲାଲ୍‌ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ବୀକାର କରିଛି। ଅନ୍ୟପକ୍ଷରେ ଆଜି ପୁଲିସ୍ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ସହଯୋଗରେ ଛାନ୍‌ଭିନ୍ କରିବା ପରେ ଘର ଭିତରୁ ରକ୍ତ ଭିଜା କାଠ ବେଣ୍ଟ ଓ ଏକ ଲୁହା ଫୁଙ୍କନଳୀ ଜବତ କରିଛି। ଶବ ପଞ୍ଚନାମା କରାଯିବା ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଛି। ମାମିନାଙ୍କ ମୃତଦେହ ବ୍ୟବଚ୍ଛେଦ ଓ ଅନ୍ତିମ ସଂସ୍କାର ପାଇଁ ଆଜି ପୁଲିସ ରଙ୍ଗଲାଲ୍‌କୁ କୋର୍ଟ ଚାଲାଣ କରିପାରିନାହିଁ। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ପୁଲିସ ସୂଚନାନୁସାରେ ରଙ୍ଗଲାଲ୍‌ ଓ ମାମିନାଙ୍କ ମଧ୍ୟରେ ଗତ କିଛି ଦିନ ହେଲା ଝଗଡ଼ା ଲାଗୁଥିଲା। ମାମିନାଙ୍କ ଚରିତ୍ରକୁ ସନ୍ଦେହ କରି ରଙ୍ଗଲାଲ୍‌ ପ୍ରବଳ ନିଶା ସେବନ କରୁଥିଲା ଓ ଘରେ ତାଙ୍କୁ ମାର୍‌ଧର କରୁଥିଲା। ତେବେ ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ପାରି ମାମିନା ପୂର୍ବରୁ ପୁଲିସର ଦ୍ବାରସ୍ଥ ହେବା ସହ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ। ମାତ୍ର ପାରିବାରିକ ଗଣ୍ଡଗୋଳ ଦିନେ ଏମିତି ଚରମ ପରିଣତି ଆଣିବ ବୋଲି କେହି ବିଶ୍ବାସ କରି ନ ଥିଲେ। ବୁଝାସୁଝା ପରେ ଓ ନିଶା ଛାଡ଼ିବା ପରେ ରଙ୍ଗଲାଲ୍‌ ବଦଳି ଯାଉଥିବାରୁ ଏହି ମାରଧର ଘଟଣାକୁ କେହି ଗୁରୁତ୍ବ ଦେଇନଥିଲେ। ମାତ୍ର ଗତକାଲି ଅପରାହ୍ଣରେ ନିଶାରେ ଟଳମଳ ହେଉଥିବା ରଙ୍ଗଲାଲ୍‌ ସବୁ ସୀମା ଟପି ଯାଇଥିଲା। ତା’ ରାଗ ପଞ୍ଚମକୁ ଉଠିଯିବା ପରେ ସେ ହିତାହିତ ଜ୍ଞାନ ଭୁଲି ଯାଇଥିଲା। ଦୁଇଟି କୋମଳମତି ଶିଶୁ(ପୁଅ ଓ ଝିଅ)ଙ୍କ ଆତୁର କ୍ରନ୍ଦନ ତାକୁ ଶୁଭି ନ ଥିଲା। ପ୍ରଥମେ କାଠବେଣ୍ଟରେ ପିଟିପିଟି ମାମିନାକୁ ଲହୁଲୁହାଣ କରିଦେଇଥିଲା। ତା’ ପରେ ବି ତା ରାଗ ଥମି ନ ଥିଲା। ଚୁଲି ପାଖରେ ପଡ଼ିଥିବା ଲୁହା ଫୁଙ୍କନଳୀ ଉଠାଇ ମାମିନାକୁ ପିଟି ଚାଲିଥିଲା। ଏମିତିକି ବେଶ୍‌ କିଛି ସମୟ ଛଟପଟ ହୋଇ ମାମିନାର ରକ୍ତ ଜୁଡ଼ୁବୁଡ଼ୁ ଶରୀର ନିଶ୍ଚଳ ହୋଇ ପଡ଼ିବା ପରେ ବି ରଙ୍ଗଲାଲ୍‌ ପିଟି ଚାଲିଥିଲା।

ନିଶା ଛାଡ଼ିଯିବା ପରେ ସ୍ତ୍ରୀର ଶବ ଧରି କାନ୍ଦିଲା
ଗୁରୁବାର ଅପରାହ୍ଣରେ ନିଶା ଓ କ୍ରୋଧରେ ଅନ୍ଧ ହୋଇ ବ୍ରହ୍ମଚଣ୍ଡାଳ ପାଲଟି ଯାଇଥିଲା ରଙ୍ଗଲାଲ୍‌। ସ୍ତ୍ରୀ ମାମିନା ମରିଯିବା ପରେ ତା ନିଶା ଖସିଥିଲା। ଏହାପରେ ପ୍ରାୟ ୩ଘଣ୍ଟା କାଳ ସ୍ତ୍ରୀର ଶବକୁ ଧରି ରଙ୍ଗଲାଲ୍ ଖୁବ୍ କାନ୍ଦିଥିଲା। କିନ୍ତୁ ଘଟଣା ବାବଦରେ କାହାକୁ କିଛି ନ କହି ଘର ଭିତରେ ଚୁପ୍‌ ହୋଇ ରହିଥିଲା। କିଛି ସମୟ ପୂର୍ବରୁ ଘର ଭିତରୁ ଶୁଭୁଥିବା ଚିତ୍କାର ହଠାତ୍ ବନ୍ଦ ହୋଇଯିବା ଓ ଘର ଭିତରେ ନିରବତା ଦେଖି ପଡ଼ୋଶୀମାନେ ସନ୍ଦେହ କରିଥିଲେ। ତେଣୁ କିଛି ଲୋକ ଘର ଭିତରକୁ ଯାଇ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ।

ଜଡ଼ ପାଲଟି ଯାଇଥିଲେ ଦୁଇ ପିଲା
ପୂର୍ବରୁ ରଙ୍ଗଲାଲ୍‌ ମାମିନାକୁ ମାର୍‌ଧର କରୁଥିଲା। କିନ୍ତୁ ଗତକାଲି ତା’ ଉଗ୍ର ରୂପ ଦେଖି ପିଲା ଦୁଇଟି ଅଧିକ ଭୟଭୀତ ହୋଇ ପଡ଼ିଥିଲେ। ମାମିନା ମରିଯିବା ପରେ ସେମାନେ ଜଡ଼ ପାଲଟି ଯାଇଥିଲେ। ପଡ଼ୋଶୀମାନେ ଘର ଭିତରକୁ ଯାଇ ଦେଖିବାବେଳକୁ ପିଲା ଦୁଇଟି ଏକ କୋଣରେ ଜାକିଜୁକି ହୋଇ ବସିଥିଲେ। ସାନ ଭଉଣୀଟି ଭାଇ ପାଖକୁ ଲାଗି ଜୁଳୁଜୁଳୁ ହୋଇ କେବଳ ଚାହିଁ ରହିଥିଲା। ସେମାନେ ପଡ଼ୋଶୀମାନଙ୍କୁ ଦେଖିବା ପରେ ବି ନିର୍ବାକ୍‌ ଅବସ୍ଥାରୁ ମୁକୁଳି ପାରିନଥିଲେ। ଆଜି ସେମାନଙ୍କୁ ତାଙ୍କ ମାମୁ ନିଜ ପାଖକୁ ନେଇ ଯାଇଛନ୍ତି।

ମୋ ପିଲାଙ୍କୁ ଟିକେ ଦେଖିବି ସାର୍
ଆଜି ସକାଳେ ଥାନାରେ ବେଶି କାନ୍ଦିଥିଲା ରଙ୍ଗଲାଲ୍‌। ପୁଅଝିଅଙ୍କୁ ଦେଖିବା ପାଇଁ ବହୁ ନେହୁରା ହୋଇଥିଲା। ସେମାନେ କାହା ପାଖରେ ରହି‌ବେ ବୋଲି କହି ବାହୁନି ବାହୁନି କାନ୍ଦୁଥିଲା। ‘ସେମାନଙ୍କୁ ‌ଟିକେ ଦେଖିବି, ସାର୍’ ବୋଲି ବାରମ୍ବାର ଚିତ୍କାର କରୁଥିଲା। ପିଲାମାନଙ୍କୁ ମାମୁ ନେଇ ଯାଇଥିବା କହିବା ପରେ ମଧ୍ୟ ରଙ୍ଗଲାଲ୍‌ ସେମାନଙ୍କୁ ଦେଖିବା ପାଇଁ କାକୁତିମିନତି ହୋଇଥିଲା। ମାତ୍ର ମାମୁ ପିଲା ଦୁଇଟିଙ୍କୁ ଥାନାକୁ ଆଣି ନ ଥିଲେ।

ସମ୍ବନ୍ଧିତ ଖବର