ପ୍ରେମ କରି ଭୁଲ କରିଦେଲି… : ଦିବ୍ୟାଙ୍ଗ ବୋଲି ଛାଡ଼ି ପଳାଇଲା ପ୍ରତାରକ ସ୍ୱାମୀ

ଭୁବନେଶ୍ୱର : ଦିବ୍ୟାଙ୍ଗ ବୋଲି ଜାଣି ବି ପ୍ରେମ ନିବେଦନ କରିବାରେ ସେ କାର୍ପଣ୍ୟ କରି ନଥିଲା। ବାହା ହୋଇ ସଂସାର କରିବ ବୋଲି ସ୍ୱପ୍ନ ବି ଦେଖାଇଲା। ଯୁବକଙ୍କ ପ୍ରେମପୂର୍ଣ୍ଣ କଥାରେ ଢଳି ପଡ଼ିଥିଲେ ଦିବ୍ୟାଙ୍ଗ ଯୁବତୀ। ଏହାର ସୁଯୋଗ ନେଇ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲା। ଗର୍ଭବତୀ ହେବା ପରେ କିନ୍ତୁ ପ୍ରେମିକ ଜଣଙ୍କ ଧରାଛୁଆଁ ଦେଲାନି। ହେଲେ ଯୁବତୀ ଜଣଙ୍କ ଥିଲେ ନୋଛଡ଼ବନ୍ଧା। ବହୁ ସଂଘର୍ଷ ପରେ ଯୁବକଙ୍କୁ ବିବାହ କଲେ। ବିବାହ ପରେ ଯୁବକ ଜଣକ ତାଙ୍କୁ ଭୁବନେଶ୍ୱର ଆଣି ଭଡ଼ା ଘରେ ରଖିଲେ। ମାତ୍ର କିଛି ଦିନ ରହିବା ପରେ ଦିବ୍ୟାଙ୍ଗ ସ୍ତ୍ରୀକୁ ଘରେ ଛାଡ଼ିଦେଇ ଚମ୍ପଟ ମାରିଛି ପ୍ରେମିକ। ୪ମାସ ଅପେକ୍ଷା ପରେ ପ୍ରତାରକ ସ୍ୱାମୀ ବିରୋଧରେ ମୁହଁ ଖୋଲିଛନ୍ତି ପୀଡ଼ିତା ଯୁବତୀ।

ଯୁବତୀଙ୍କ କହିବା ଅନୁଯାୟୀ ପ୍ରତାରକ ସ୍ୱାମୀ ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁସ୍ଥିତ ଖଇର ବେଠି ଗ୍ରାମର ଧୀରେନ ଗଉଡ଼। ପୋଲିଓରେ ଆକ୍ରାନ୍ତ ଯୁବତୀଙ୍କ ସହିତ ଧୀରେନଙ୍କର ୪ ବର୍ଷ ତଳୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଧୀରେନ୍‌ ଯୁବତୀଙ୍କ ଘରକୁ ପ୍ରତିଦିନ ଯିବା ଆସିବା କରନ୍ତି। ଗତ ମେ ମାସ ୩ ତାରିଖରେ ଧୀରେନ ଘରକୁ ଆସିବା ପରେ ଯୁବତୀଙ୍କ ମା’ ଉଭୟଙ୍କୁ ଘରେ ତାଲା ପକାଇ ଗାଁ ଲୋକଙ୍କୁ ଡାକି ଦେଇଥିଲେ। ତେଣୁ ଧୀରେନ ବିବାହ କରିବ ବୋଲି ସମସ୍ତଙ୍କ ସାମ୍ନାରେ ମାନିଥିଲା ଓ ନିଜ ଘରକୁ ଆଣିଲା। କିନ୍ତୁ ଏହାକୁ ଧୀରେନ୍‌ର ବଡ଼ବାପା ବିରୋଧ କଲେ। ଏ ନେଇ ଯୁବତୀ ଜଣଙ୍କ ହିଞ୍ଜିଳିକାଟୁ ଥାନାକୁ ଯାଇଥିଲେ। ପରେ ଆପୋସ ସମାଧାନ ପରେ ମେ ୧୭ ତାରିଖରେ ଗାଁ ପାଖ ମା’ ଶ୍ୟାମଳାଇ ମନ୍ଦିରରେ ଉଭୟଙ୍କର ବାହାଘର ହେଲା। କିନ୍ତୁ ବିବାହ କରି ଶାଶୂଘରେ ପହଞ୍ଚିବା ପରେ ଶାଶୂ ଯୁବତୀଙ୍କୁ ଘରେ ପୂରେଇ ଦେଇ ନଥିଲେ। ତେଣୁ ଧୀରେନ୍‌ ତାଙ୍କୁ ଗାଁରୁ ଆଣି ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ପହଞ୍ଚିଲେ। ପ୍ଲାଟ୍‌ଫର୍ମରେ ୩ଦିନ କାଟିବା ପରେ ଉଭୟ ମେ ୨୨ ତାରିଖରେ ଭୁବନେଶ୍ୱର ଆସି ୟୁନିଟ୍‌ ୫ କେଶରୀ ନଗର ବସ୍ତିରେ ଘର ଭଡ଼ା ନେଇ ରହିଲେ। ତେବେ ଭୁବନେଶ୍ୱରରେ ରହିବା ପରେ ଧୀରେନ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ। ଗର୍ଭସ୍ଥ ଅବସ୍ଥାରେ ପେଟକୁ ଆଘାତ ଦେଇ ଗର୍ଭ ନଷ୍ଟ କରିଦେଇ ଜୁନ୍‌ ମାସରେ କୁଆଡ଼େ ଚାଲିଗଲା ଯେ ଆଉ ଫେରିଲା ନାହିଁ। ଏ ସମ୍ପର୍କରେ ଯୁବତୀ ଜଣଙ୍କ ଜୁଲାଇ ୧୩ ତାରିଖରେ ମହିଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ମହିଳା ଥାନା ହିଞ୍ଜିଳିକାଟୁ ଥାନାରେ ଜଣାଅ ବୋଲି କହି ଫେରେଇଦେଲେ। ଏବେ ‘ନିଖିଳ ଉତ୍କଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ’ରେ ସିଲେଇ ତାଲିମ୍‌ ନେଉଛନ୍ତି। କିନ୍ତୁ ତାଲିମ୍‌ର ଅବଧି ପୂରି ଆସୁଥିବା ବେଳେ ବାକି ଜୀବନ କେମିତି କାଟିବେ ସେନେଇ ଥଳକୂଳ ପାଉନାହାନ୍ତି।

ଛୋଟେଇ ଛୋଟେଇ ଥାନାରୁ ନବୀନ ନିବାସ ଏବଂ ମହିଳା କମିସନରୁ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟାଳୟ ଧାଉଁଛନ୍ତି। ନବୀନ ନିବାସରେ ପହଞ୍ଚିବା ପରେ ମହିଳା ଥାନା ଏତଲା ଗ୍ରହଣ କରିଛି। ତେବେ ଦିବ୍ୟାଙ୍ଗ ବୋଲି ଯେ ତାଙ୍କୁ ଏତେ ହିନିମାନ ହେବାକୁ ପଡ଼ିବେ ତାହା ଯୁବତୀଙ୍କୁ ମାଲୁମ ନଥିଲା। ସେଇଥିପାଇଁ ସେ କାନ୍ଦିକାନ୍ଦି ଦୁଃଖ ବଖାଣିବା ବେଳେ କହିଥିଲେ, ପ୍ରେମ କରି ମୁଁ ଭୁଲ କରିଦେଲି…

ସମ୍ବନ୍ଧିତ ଖବର