ଗର୍ଭବତୀ ସ୍ତ୍ରୀକୁ ହାତୁଡ଼ିରେ ପିଟି ହତ୍ୟା, ସ୍ବାମୀ ଗିରଫ: ଉଜୁଡ଼ିଗଲା ୭ ମାସର ଦାମ୍ପତ୍ୟ ଜୀବନ

ପୁରୁଣା ଭୁବନେଶ୍ୱର: ବିବାହ ପରଠାରୁ ୭ମାସ ହେଲା ଯୌତୁକ ବାବଦରେ ଦେଢ଼ ଲକ୍ଷ ଟଙ୍କା ଦାବି କରି ଆସୁଥିବା ସ୍ବାମୀ ଶେଷରେ ପାଲଟିଗଲା ପିଶାଚ। ହାତୁଡ଼ିରେ ମୁଣ୍ଡ ଓ ମୁହଁକୁ ପିଟି ପିଟି ୩ ମାସର ଗର୍ଭବତୀ ସ୍ତ୍ରୀକୁ ଅତି ବୀଭତ୍ସ ଭାବେ ହତ୍ୟା କଲା ସ୍ବାମୀ। ଆଜି ସନ୍ଧ୍ୟାରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏହି ହତ୍ୟାକାଣ୍ଡ ଘଟିଛି ଏୟାର୍‌ପୋର୍ଟ ଥାନା କାର୍‌ଗିଲ ବସ୍ତିରେ। ମୃତ ମହିଳା ହେଲେ ଶକୁନ୍ତଳା ମାଝି(୨୫)। ପୁଲିସ ଅଭିଯୁକ୍ତ ସ୍ବାମୀ ମୁରଲୀଧର ବେହେରା(୩୦)କୁ ଗିରଫ କରିବା ସହ ମୃତଦେହକୁ ଜବତ କରି ଅଧିକ ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନାନୁଯାୟୀ, ୭ମାସ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ମୁରଲୀ ଓ ଶକୁନ୍ତଳାଙ୍କ ମଧ୍ୟରେ ଯୌତୁକ ବାବଦ ଦେଢ଼ ଲକ୍ଷ ଟଙ୍କାକୁ ନେଇ ସବୁବେଳେ ଗଣ୍ଡଗୋଳ ହେଉଥିଲା। ଆଜି ସନ୍ଧ୍ୟାରେ ଏହି ଗଣ୍ଡ‌ଗୋଳ ଉଗ୍ରରୂପ ଧାରଣ କରିଥିଲା। ମୁରଲୀ ନିଜ ରୁମ୍‌କୁ ଭିତରୁ ବନ୍ଦ କରି ଶକୁନ୍ତଳାଙ୍କୁ ପିଟିଥିଲା। ଏକ ହାତୁଡ଼ିରେ ତାଙ୍କ ମୁଣ୍ଡ ଓ ମୁହଁକୁ ନୃଶଂସ ଭାବେ ପିଟି ପକାଇଥିଲା। ଚଟାଣ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେବା ପରେ ଶକୁନ୍ତଳା ଶେଷରେ ଆଖି ବୁଜି ଦେଇଥିଲେ। ମୁରଲୀଙ୍କ ରୁମ୍‌ ଭିତରୁ ଶକୁନ୍ତଳାଙ୍କ ଆର୍ତ୍ତ ଚିତ୍କାର ଶୁଭୁଥିଲେ ମଧ୍ୟ ବଡ଼ଭାଇ ପାଣ୍ଡବ, ତାଙ୍କ ସ୍ତ୍ରୀ ଓ ମା’ ମଞ୍ଜୁ କିଛି କରି ପାରିନଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ସେମାନେ କବାଟ ଭାଙ୍ଗିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ଘର ଭିତରୁ ରକ୍ତର ସୁଅ ବହି ବହି କବାଟର ତଳ ଫାଙ୍କ ଦେଇ ବାହାରକୁ ଆସିବା ଦେଖିବା ପରେ ସେମାନେ ବିଚଳିତ ହୋଇପଡ଼ିଥିଲେ। ତେଣୁ ବଡ଼ ଭାଇ ପାଣ୍ଡବ ଓ ମା’ ମଞ୍ଜୁ ବଡ଼ ପାଟିରେ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ଶକୁନ୍ତଳା ମରିଯିବା ପରେ ହଠାତ୍ ମୁରଲୀ କବାଟ ଖୋଲି ବାହାରକୁ ଦୌଡ଼ିଥିଲା। ମା’ ମଞ୍ଜୁ ଘର ଭିତରକୁ ପଶିବା ବେଳକୁ ଶକୁନ୍ତଳାଙ୍କ ମୃତଦେହ ଡ୍ରେସିଂ ଟେବୁଲ ପାଖରେ ପଡ଼ିଥିଲା। ପଡ଼ୋଶୀମାନଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ଥାନା ଅଧିକାରୀ ଉମାକାନ୍ତ ସ୍ବାଇଁ ଓ ପରେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର ପହଞ୍ଚିଥିଲେ। କିଛି ସମୟ ପରେ ଡିସିପି ଉମାକାନ୍ତ ଦାଶ ମଧ୍ୟ ସେଠାରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ଶକୁନ୍ତଳାଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପୁଲିସ ଘଟଣାସ୍ଥଳରୁ ଏକ ହାତୁଡ଼ି ଜବତ କରିଛି। ପରେ ବସ୍ତି ଲୋକଙ୍କ ସହଯୋଗରେ ମୁରଲୀକୁ ଗିରଫ କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେଲା ମୁରଲୀର ମାନସିକ ଅବସ୍ଥା ଭଲ ନଥିଲା। କାମଧନ୍ଦା ନଥିବାରୁ ସେ ସବୁବେଳେ ଅଶାନ୍ତିରେ ରହୁଥିଲା। ପୂର୍ବରୁ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ମୁରଲୀ କିଛି ଦିନ ହେଲା ମୂଲପାତି ଲାଗୁଥିଲା। ତେଣୁ ଶ୍ବଶୁର ଘରୁ ଯୌତୁକ ଟଙ୍କା ପାଇବା ପାଇଁ ସେ ବ୍ୟାକୁଳ ଥିଲା। ହୁଏତ ଏହି କାରଣରୁ ରାଗରେ ସେ ଶକୁନ୍ତଳାକୁ ହତ୍ୟା କରିଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର