ବାରଙ୍ଗ : ପର କଲେ ପତ୍ନୀ ଓ ରକ୍ଷିତା, ଜେଲ ଗଲେ ସ୍ୱାମୀ

ବାରଙ୍ଗ : ଘରେ ବିବାହିତା ପତ୍ନୀ ଓ ପିଲା ଥାଇ ଫୋନ୍ କଲରୁ ୩ ଛୁଆ ଥିବା ମହିଳାଙ୍କ ସହ ପ୍ରେମ ହେଲା। ପ୍ରେମ ପରିଣତ ହେଲା ଗୋପନ ପ୍ରଣୟରେ। ଏକାଠି ରହିଲେ। ୬ ବର୍ଷ ପରେ ଜାଣି ପାରିଲା ପତ୍ନୀ। ସ୍ବାମୀଙ୍କୁ ବୁଝାଇ ଫେରାଇ ଆଣିବାକୁ ଉଦ୍ୟମ କରି ବିଫଳ ହେଲେ। ରକ୍ଷିତା ପ୍ରେମରେ ଅନ୍ଧ ପତି ଠାରୁ ମାଡ଼ ବି ଖାଇଲେ। ନିରାଶ ହୋଇ ପତ୍ନୀ ପୁଲିସର ଆଶ୍ରୟ ନେଲେ। ଚନ୍ଦକା ଥାନା ପୁଲିସ ଅଭିଯୁକ୍ତ ସ୍ବାମୀ କୁକୁଡ଼ାଖଣ୍ତି ଗ୍ରାମର ପପୁ ଓରଫ ପ୍ରକାଶ ବେହେରାକୁ ଥାନାକୁ ଆଣି ପଚରାଉଚରା କଲା। ଏତିକି ବେଳେ ରକ୍ଷିତା ଆସି ଥାନାରେ ତା’ ସହିତ ଛଅ ବର୍ଷ ଧରି ସମ୍ପର୍କ ଥିବାରୁ ପରିବାର ଭରଣ ପୋଷଣ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କଲା। ଭରଣ ପୋଷଣ ଅର୍ଥ ଦେବାକୁ ଅସମର୍ଥ ବୋଲି ପ୍ରକାଶ କହିବାରୁ ପୁଲିସ ଚନ୍ଦକା ଥାନାରେ ଏକ ମାମଲା ରୁଜୁ କରି ପ୍ରକାଶକୁ କୋର୍ଟ ଚାଲାଣ କରିଛି। ଶେଷରେ ନା ବିବାହିତା ପତ୍ନୀ ନା ରକ୍ଷିତା କେହି ତା’ର ହେଲେ ନାହିଁ, ସେ ଗଲା ଜେଲ ହାଜତକୁ। ଏଭଳି ଘଟଣା ଚନ୍ଦକା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର