ଭୁବନେଶ୍ୱର: ପ୍ରେମ ଜାଲରେ ଫସାଇ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଲୁଟ୍ ଓ ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ପ୍ରତାରକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ମୈତ୍ରୀବିହାର ଥାନା ସାଲିଆସାହି ନୀଳଚକ୍ରନଗରରେ ରହୁଥିବା ନୟାଗଡ଼ ଜିଲ୍ଲା ରଣପୁର ଥାନା ବେଗୁନିଆପାଟଣାର ସନ୍ତୋଷ କୁମାର ପାତ୍ର(୩୨)।
ପୁଲିସ ସୂଚନା ମୁତାବକ ୨୦୦୭ ମସିହାରୁ ମହିଳାଜଣଙ୍କ ବିବାହିତ। କିନ୍ତୁ ୭ ବର୍ଷ ହେଲା ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇ ଏକାକୀ ରହୁଥିଲେ। ସ୍ବାମୀଙ୍କ ସହ ଥିବା ସମୟରୁ ମହିଳା ଓ ଅଭିଯୁକ୍ତ ସନ୍ତୋଷ ମଧ୍ୟରେ ପରିଚୟ ହୋଇଥିଲା। ଛାଡ଼ପତ୍ର ପରେ ମହିଳା ଓ ସନ୍ତୋଷ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ସେମାନଙ୍କ ଘନିଷ୍ଠତା ଏମିତି ବଢ଼ିଲା ଯେ ଶେଷରେ ସନ୍ତୋଷ ବାହା ହେବ ବୋଲି ମହିଳାଙ୍କୁ ପ୍ରତିଶ୍ରୁତି ଦେଲା। ମହିଳାଜଣକ ମଧ୍ୟ ସନ୍ତୋଷ ସହ ନୂଆ ସଂସାର ଗଢ଼ିବାକୁ ବ୍ୟାକୁଳ ହୋଇପଡ଼ିଲେ। ମାତ୍ର ସନ୍ତୋଷ ଯେ ଭିତରେ ଭିତରେ ଭିନ୍ନ ଉଦ୍ଦେଶ୍ୟ ରଖି ଛଳନା କରୁଥିଲା, ଏକଥା ପ୍ରେମରେ ପାଗଳ ହୋଇଯାଇଥିବା ମହିଳା ବୁଝିବା ଅବସ୍ଥାରେ ନଥିଲେ। ତେଣୁ ଧୂର୍ତ୍ତ ସନ୍ତୋଷ ତାଙ୍କୁ ଯେତେବେଳେ ଯାହା ମାଗିଲା, ସେ ଦେଇଦେଉଥିଲେ। ସନ୍ତୋଷ ମହିଳାଙ୍କଠାରୁ ଟଙ୍କା ଯେତିକି ନେଇଛି, ତା’ଠାରୁ ବହୁ ଅଧିକ ଗହଣା ନେଇ ବନ୍ଧକ ରଖି ଟଙ୍କା ଖର୍ଚ୍ଚ କରିଛି। କିଛି ଦିନ ହେଲା ସନ୍ତୋଷର ଚାଲିଚଳଣକୁ ନେଇ ପୀଡ଼ିତାଙ୍କର ସନ୍ଦେହ ହେଲା। ବୁଝୁବୁଝୁ ଜଣାପଡ଼ିଲା ସେ ସନ୍ତୋଷ ଅନ୍ୟତ୍ର ବାହାହେବାକୁ ଯାଉଛି। ଏନେଇ ମହିଳାଜଣକ ତାକୁ ପଚାରିବା ପରେ ସେ ପ୍ରଥମେ ମନା କଲା, କିନ୍ତୁ ପରେ ସତ ମାନିଗଲା। କେବଳ ସେତିକି ନୁହେଁ, ତା’ଠାରୁ ଦୂରେଇ ରହିବାକୁ ସେ ପୀଡ଼ିତାଙ୍କୁ ରୋକ୍ଠୋକ୍ ଶୁଣାଇଦେଲା ଏବଂ ତା’ ପଛରେ ପଡ଼ି ଜୀବନ ନଷ୍ଟ କଲେ, ସେ ହତ୍ୟା କରିବାକୁ ପଛାଇବ ନାହିଁ ବୋଲି ଧମକ ଦେଲା।
Advertisment

Sambad is now on WhatsApp
Join and get latest news updates delivered to you via WhatsApp