ଭୁବନେଶ୍ବର: ସାବିତ୍ରୀ ପୂର୍ବରୁ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ। ୨ ବର୍ଷ ତଳେ ମନ୍ଦିରରେ ଦୁହେଁ ବିବାହ କରିଥିଲେ। ପରେ ସ୍ତ୍ରୀକୁ ଛାଡି  ଅନ୍ୟତ୍ର  ବିବାହ କରିଛି ସ୍ବାମୀ। ବିବାହ ପ୍ରଘଟ ହେବାପରେ  ସ୍ବାମୀ ଘରଆଗରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ପୁଲିସ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ପ୍ରତାରଣାର ଶିକାର ହୋଇଥିବା ମହିଳା ଏୟାରପୋର୍ଟ ଥାନାରେ  ଅଭିଯୋଗ କରିଛନ୍ତି।

Advertisment

ଯୁବତୀଙ୍କ କହିବା ଅନୁସାରେ, ୨୦୨୩ ମସିହାରେ ସୋସିଆଲ ମିଡିଆରୁ ତାଙ୍କର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିବା ଏସ୍‌ ବାଲାଜୀ ରାଓଙ୍କ ସହ ସଂପର୍କ ଗଢ଼ିଉଠିଥିଲା। ପେଷାରେ ମେଡିସିନ୍  ରିପ୍ରେଜେଣ୍ଟେଟିଭ୍ ଥିବା ବାଲଜୀ ଯୁବତୀଙ୍କ ସହ ଦୁଇମାସ  ମିଳାମିଶା କରିଥିଲେ ଓ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ସହମତିରେ ୨୦୨୩ ମସିହା ମେ ୧୩ ତାରିଖରେ ନାରାୟଣୀ ମନ୍ଦିରରେ ଉଭୟ ବିବାହ  କରିଥିଲେ।  ଯୁବତୀଙ୍କୁ ମନ୍ଦିରରେ ବିବାହ କରି ମଧ୍ୟ ବାଲାଜୀ ତାଙ୍କୁ ନିଜ ଘରକୁ ନ ନେଇ ଯୁବତୀଙ୍କ ଘରେ ରହିଥିଲେ। ଇତିମଧ୍ୟରେ ଚଳିତ ମାସ ୫ ତାରିଖରେ କୋର୍ଟବିବାହ କରିବାକୁ ବାଲାଜୀ ଓ ଯୁବତୀ  ଆଇନଜୀବୀଙ୍କ ଜରିଆରେ କୋର୍ଟରେ ଆବେଦନ କରିଥିଲେ। ୧୨ ତାରିଖ ଦିନ ସହିଦନଗରସ୍ଥିତ ଏକ ମନ୍ଦିରରେ ପୁଣି ଥରେ ବାଲଜୀ ପୂଜକଙ୍କ ସାମନାରେ ଯୁବତୀଙ୍କୁ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥିଲେ। ଦୁଇ ଦୁଇଥର ବିବାହ, କୋର୍ଟମ୍ୟାରେଜ୍‌ ପାଇଁ ଆବେଦନ ପରେ ମଧ୍ୟ ବାଲାଜୀ ତାଙ୍କୁ ନିଜ ଘରକୁ ନେଉନଥିବାରୁ  ଯୁବତୀ ମନରେ ସନ୍ଦେହ ହୋଇଥିଲା। ତେଣୁ ସେ ଶ୍ବଶୁର ଘରକୁ  ଯିବାକୁ ଜିଦ୍‌ କରିଥିଲେ। ମାତ୍ର ବାଲାଜୀ ଯୁବତୀଙ୍କୁ କିଛି ନ ଜଣାଇ ଗତ ୨୬ ତାରିଖରେ ଅନ୍ୟତ୍ର ବିବାହ କରିଥିଲେ।

ଯାହାର ଟେର୍‌ ଅଭିଯୋଗକାରିଣୀ ପାଇ ପାରିନଥିଲେ।  ଶେଷରେ  ଅଭିଯୋଗକାରିଣୀ ଗତକାଲି ରାତିରେ ନ୍ୟୁ ଫରେଷ୍ଟ ପାର୍କରେ ରହୁଥିବା ସ୍ବାମୀଙ୍କ ଘରକୁ ଯାଇଥିଲେ। ତାଙ୍କ କାନ୍ଥରେ ସ୍ବାମୀ ଏସ. ବାଲାଜୀଙ୍କ ସହିତ ଅନ୍ୟ ଜଣେ ଯୁବତୀଙ୍କ ବିବାହ ନେଇ ଲେଖା ଦେଖିବା ପରେ ଅଭିଯୋଗକାରିଣୀଙ୍କ ହୋସ୍‌ ଉଡ଼ିଯାଇଥିଲା। ସ୍ବାମୀଙ୍କ ଘର ସମାନାରେ ଏନେଇ ପାଟିତୁଣ୍ଡ କରିଥିଲେ। ଶେଷରେ ସ୍ବାମୀଙ୍କ ଘରଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।  ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇବା ପୂର୍ବରୁ  ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ଏୟାରଫିଲଡ୍ ଥାନାରେ ଯୁବତୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଅପରପକ୍ଷେ ବିବାହ ପରେ ବାଲାଜୀ ବିଶାଖାପାଟଣା ଚାଲିଯାଇଥିବାରୁ ବାଲାଜୀଙ୍କ ପରିବର ଲୋକଙ୍କୁ ଥାନା‌କୁ ଡାକି ପୁଲିସ ପଚରାଉଚରା କରୁଛି। ଦୁଇଦିନ ମଧ୍ୟରେ ବାଲାଜୀ ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ୍‌ ଜାରି କରିଛି।