ଦାମ୍ପତ୍ୟ ଝଡ଼ର କରୁଣ ପରିଣତି: ଶୋଇବା ଘରେ ସ୍ତ୍ରୀ ସମ୍ମୁଖରେ ସ୍ବାମୀର ମୃତ୍ୟୁ

ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାଲିଅନ୍ତା: ଶୋଇବା ଘରେ ସ୍ତ୍ରୀ ସମ୍ମୁଖରେ ସ୍ବାମୀର ସନ୍ଦେହଜନକ ମୃତ୍ୟୁ ଘଟିବା ମାମଲାଟି ଆଜି ବାଳକାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ଏହି ଫାଣ୍ଡି ଅଧୀନ ପୂରଣପଧାନ ଗ୍ରାମର ଦୀପ୍ତିରଞ୍ଜନ ବେହେରା(୨୬)। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୀପ୍ତିଙ୍କର ମୃତ୍ୟୁ ଘଟିଛି। ପ୍ରେମ ବିବାହ ଓ ମାତ୍ର ୧୧ ମାସର ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ପାଇଁ ଦୀପ୍ତିରଞ୍ଜନଙ୍କ ଜୀବନ ଯାଇଛି ବୋଲି ଆଲୋଚନା ହେଉଛି। ତେବେ ଏହାକୁ ପରିବାର ଲୋକେ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ପରେ ଏହା ଅଧିକ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଦୀପ୍ତିରଞ୍ଜନ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ ରହିଛି। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ମାମଲାକୁ ନେଇ ଛାନ୍‌ଭିନ୍ ଆରମ୍ଭ କରିଛି।

ମୃତ ଦୀପ୍ତିରଞ୍ଜନଙ୍କ ବାପା ବିନୋଦ ବେହେରାଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ପୁଅ ବୋହୂ ସେମାନଙ୍କ ଶୋଇବା ଘରେ ଥିଲେ। ହଠାତ୍ ବୋହୂ ମୁନିଙ୍କ ବାପା ଦିଲ୍ଲୀପ ସିଂହ ତାଙ୍କୁ ଫୋନ୍‌ କରିଥିଲେ ଓ ଝିଅକୁ ଫୋନ୍‌ ଦେବା ପାଇଁ କହିଥିଲେ। କିଛି ଝଗଡ଼ା ହୋଇଛି କି ବୋଲି ବିନୋଦ ସମୁଦିଙ୍କୁ ପଚାରିଥିଲେ ବି ସେ କିଛି ନକହି ତୁରନ୍ତ ମୁନିକୁ ଫୋନ୍‌ ଦେବା ପାଇଁ କହିଥିଲେ। ତରବର ହୋଇ ବିନୋଦ ପୁଅ ବୋହୂଙ୍କ ଶୋଇବା ଘରକୁ ଯାଇ କବାଟ ବାଡ଼େଇଥିଲେ। ମୁନି କବା‌ଟ ଖୋଲିବା ବେଳକୁ ଦୀପ୍ତିରଞ୍ଜନ ସଂଜ୍ଞାହୀନ ଅବସ୍ଥାରେ ଚଟାଣରେ ପଡ଼ିଥିବା ବିନୋଦ ଦେଖିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେତେବେଳକୁ ଦୀପ୍ତିରଞ୍ଜନଙ୍କ ମୃତ୍ୟୁ ହୋଇସାରିଥିଲା। ଘଟଣା ପରେ ବୋହୂ ମୁନିଙ୍କ ଉପରେ ସନ୍ଦେହ ହୋଇଥିଲା।

Bangalore Mirror

ତେଣୁ ବି‌ନୋଦ ବାଳକାଟି ଫାଣ୍ଡିରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘରେ ଏତେ ବଡ଼ କାଣ୍ଡ ଘଟିବା ପରେ ମୁନି ଶ୍ବଶୁରଙ୍କୁ ନକହି ନିଜ ବାପାଙ୍କୁ ଫୋନ୍‌ କରି ଜଣାଇବା ଓ ଦୀପ୍ତିରଞ୍ଜନ ସଂଜ୍ଞାହୀନ ହୋଇ ପଡ଼ି ରହିବା ସତ୍ତ୍ବେ ଘରେ କିଛି ନଜଣାଇବାରୁ ସମସ୍ତଙ୍କର ସନ୍ଦେହ ହୋଇଛି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ସେମାନଙ୍କ ଶୋଇବା ଘରକୁ ଟିକିନିଖି ଯାଞ୍ଚ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦୀପ୍ତିରଞ୍ଜନ ନିଆଳି ଥାନା ଦିନାସିଂହପାଟଣା ଗ୍ରାମର ଦିଲ୍ଲୀପ ସିଂହଙ୍କ ଝିଅ ମୁନି ସିଂହକୁ ପ୍ରେମ ବିବାହ କରିଥିଲେ। ମାତ୍ର ଅଳ୍ପ ଦିନ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ମାତ୍ର ୧୧ ମାସର ଦାମ୍ପତ୍ୟ ଜୀବନରେ ସବୁବେଳେ ଝଗଡ଼ା ଲାଗି ରହିଥିଲା।

ସମ୍ବନ୍ଧିତ ଖବର