ସ୍ତ୍ରୀଙ୍କ ପରକୀୟା ପ୍ରୀତି ପାଇଁ ସ୍ବାମୀଙ୍କ ବିଷପାନ ପ୍ରସଙ୍ଗ: ପ୍ରେମିକ ବିରୋଧରେ ମୁହଁ ଖୋଲିଲେ ସ୍ତ୍ରୀ

ବାଲିପାଟଣା: ଗତକାଲି ସ୍ଥାନୀୟ ବାରିଲୋ ଗାଁର ପ୍ରଶାନ୍ତ ଭୋଇଙ୍କ ବିଷ ପିଇ ଆତ୍ମହତ୍ୟା ମାମଲାରେ ଆଜି ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ମୁହଁ ଖୋଲିଛନ୍ତି। ପଡ଼ୋଶୀ ଯୁବକ ତଥା ସନ୍ଧ୍ୟାଙ୍କ ପ୍ରେମିକ କୁହା ଯାଉଥିବା ହାପିଙ୍କ ବିରୋଧରେ ସେ ବିଷୋଦ୍‌ଗାର କରିଛନ୍ତି। ତାଙ୍କ ଅନିଚ୍ଛା ସତ୍ତ୍ବେ ବାରମ୍ବାର ହାପି ତାଙ୍କୁ ପ୍ରେମ ନିବେଦନ କରି ହଇରାଣ କରିବା ଓ ଜୋର୍‌ କରି ତାଙ୍କ ଘରେ ପଶିଥିଲା ବୋଲି ସନ୍ଧ୍ୟା ଅଭିଯୋଗ କରିଛନ୍ତି। ସେହିଭଳି ପୁଲିସ ଏଏସ୍‌ଆଇ କିଛି ନବୁଝି ତାଙ୍କ ସ୍ବାମୀଙ୍କୁ ଧମକ ଦେବାରୁ ସେ ମାନସିକ ଭାରସାମ୍ୟ ହରାଇଥିବା ମଧ୍ୟ ସନ୍ଧ୍ୟା କହିଛନ୍ତି। ତେବେ ଆଜି ସନ୍ଧ୍ୟାରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ସବୁ ଦିନ ଭଳି ପ୍ରଶାନ୍ତ ଗତ ଶୁକ୍ରବାର ରାତିରେ ବାହାରକୁ କାମ କରିବାକୁ ଯାଇଥିଲେ। ପ୍ରଶାନ୍ତଙ୍କ ସ୍ତ୍ରୀ ସନ୍ଧ୍ୟା ରାତିରେ ଏକାକୀ ଥିବା ବେଳେ ପଡ଼ୋଶୀ ଯୁବକ ହାପି ତାଙ୍କ ଘରେ ପଶିଥିଲା। ସାହି ଲୋକେ ବାହାରୁ କବାଟ କିଳି ଦେଇଥିଲେ। ଖବର ପାଇ ପ୍ରଶାନ୍ତ ଘରକୁ ଫେରିବା ପରେ ଗଣ୍ଡଗୋଳ ବଢ଼ିଥିଲା। ବନମାଳୀପୁର ଫାଣ୍ଡି ପୁଲିସ ଗାଁରେ ପହଞ୍ଚି ଉଭୟ ପକ୍ଷଙ୍କୁ ଫାଣ୍ଡିକୁ ଡାକିଥିଲେ। ସେଠାରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ପାଇଁ ଉଦ୍ୟମ ଚାଲିଥିଲା। ପ୍ରଶାନ୍ତ ଆଉ ସ୍ତ୍ରୀ ସନ୍ଧ୍ୟାଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ପ୍ରଶାନ୍ତଙ୍କ ପରିବାରଲୋକଙ୍କ କହିବା କଥା ପୁଲିସ ଧମକାଇବାରୁ ସେ ସନ୍ଧ୍ୟାଙ୍କୁ ନେଇ ଘରକୁ ଫେରିଥି‌ଲେ ଓ ସମସ୍ତଙ୍କ ଅଲକ୍ଷ୍ୟରେ ବିଷ ପିଇ ଦେଇଥିଲେ। ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହାପି ଗିରଫ ହେବା ପରେ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ବିଭିନ୍ନ ଧମକ ଦିଆଯାଉଛି ବୋଲି ସନ୍ଧ୍ୟା ଆଜି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର