ହାଇଡ୍ରୋଜେନ୍‌ ବେଲୁନ୍‌ ଫାଟି ୩ ଆହତ

ଆରଏମ୍‌ଆର୍‌ସିର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବେଳେ ଅଘଟଣ

ଭୁବନେଶ୍ୱର: ବୁଧବାର ନାଲକୋ ଛକ ନିକଟସ୍ଥ ଆରଏମ୍‌ଆର୍‌ସିର ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ରାତିରେ କ୍ୟାମ୍ପସ୍‌ ସାଜସଜ୍ଜା ଚାଲିଥିବାବେଳେ ଏକ ଅଘଟଣ ଘଟିଛି। ହଠାତ୍‌ ଏକ ହାଇଡ୍ରୋଜେନ୍‌ ବେଲୁନ ଫାଟିଯିବା ଯୋଗୁଁ ଇଭେଣ୍ଟ ସଂସ୍ଥାର କର୍ମଚାରୀ ସମେତ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଇଭେଣ୍ଟ ସଂସ୍ଥାର ଅର୍ଣ୍ଣବ ଦାସ, ଆରଏମ୍‌ଆର୍‌ସିର ସିକ୍ୟୁରିଟି ଗାର୍ଡ ଅକ୍ଷୟ ଦାସ ଓ ଅନ୍ୟ ଜଣେ ମନୀଷ। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆରଏମ୍‌ଆର୍‌ସିର ୩୭ତମ ପ୍ରତିଷ୍ଠା ଦିବସ ପାଇଁ ଆଜି କ୍ୟାମ୍ପସରେ ସଜସଜ୍ଜା ଚାଲିଥିଲା। ଉତ୍ସବରେ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ହାଇଡ୍ରୋଜେନ୍‌ ବେଲୁନ ଉଡ଼ାଇବାର ବ୍ୟବସ୍ଥା କରାଯାଇଥିଲା। ଜଣେ ବ୍ୟକ୍ତି ହାଇଡ୍ରୋଜେନ୍‌ ବେଲୁନଗୁଡ଼ିରେ ଗ୍ୟାସ୍‌ ଭର୍ତି କରୁଥିବାବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ ସେଠାରେ ଥିବା ୩ ଜଣ ଆହତ ହୋଇଥିଲେ। ଅର୍ଣ୍ଣବଙ୍କ ବାମ ହାତ, ଗୋଡ଼ ଓ ମୁହଁରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ଅକ୍ଷୟଙ୍କ ବାମ ହାତରେ କ୍ଷତ ହୋଇଛି। ସେହିପରି ମନୀଷଙ୍କ ମୁହଁ ଓ ଆଖିରେ ମଧ୍ୟ ଆଘାତ ଲାଗିଛି। ସେଠାରେ ଥିବା ଅନ୍ୟକର୍ମଚାରୀ ଓ ଅନୁଷ୍ଠାନର କର୍ମଚାରୀମାନେ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ କଳିଙ୍ଗ ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ଅନୁଷ୍ଠାନର ନିର୍ଦେଶିକା ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ଚିକିତ୍ସା କଥା ବୁଝିଥିଲେ। ଅନ୍ୟପକ୍ଷରେ ପୁଲିସ ବେଲୁନ ଫାଟିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଏ ସଂପର୍କରେ ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର