କିମ୍‍ସରେ ହାଇବ୍ରିଡ୍‍ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ରକ୍ତନଳୀ ଫାଟିଥିବା ମହିଳା

ଚନ୍ଦ୍ରଶେଖରପୁର: କିମ୍‌ସରେ ଜଣେ ମହିଳାଙ୍କ ମୁଖ୍ୟ ରକ୍ତନଳୀରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର କରାଯାଇଛି। ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ବୋଲି କିମ୍‍ସର ଡାକ୍ତରମାନେ ଦାବି କରିଛନ୍ତି। ସୂଚନାନୁଯାୟୀ, ନିକଟରେ କଟକ ଜିଲ୍ଲା ବାଙ୍କୀ ବ୍ଳକ ଅନ୍ତର୍ଗତ ରତାଗଡ଼ ଗ୍ରାମର ଜଣେ ୫୦ ବର୍ଷୀୟା ମହିଳା ସୁଷମା ରଣାଙ୍କ ଛାତି ଓ ପିଠିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ସୁଫଳ ନ ମିଳିବାରୁ ସୁଷମା ଗତ ଜାନୁଆରି ୧୮ ତାରିଖରେ କିମ୍‍ସରେ ହୃଦ୍‌ରୋଗ ବିଭାଗ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।

ପରୀକ୍ଷା ନିରୀକ୍ଷାରୁ ଜଣାଯାଇଥିଲା ଯେ ସୁଷମାଙ୍କ ହୃତ୍‌ପିଣ୍ଡରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ରକ୍ତ ସଞ୍ଚାଳନ ହେଉଥିବା ମୁଖ୍ୟ ରକ୍ତନଳୀଟି ଫାଟି ସେଥିରୁ ରକ୍ତସ୍ରାବ ହେଉଛି। ତେଣୁ ତାଙ୍କର ହାଇବ୍ରିଡ୍‍ ଅସ୍ତ୍ରୋପଚାର ପାଇଁ ଡାକ୍ତର ନିଷ୍ପତ୍ତି ନେଇଥିଲେ। ପ୍ରଥମେ କିମ୍‍ସର କାର୍ଡିଓଥୋରାସିକ୍‍ ଓ ଭାସ୍‍କୁଲାର ସର୍ଜରି (ସିଟିଭିଏସ୍‍) ବିଶେଷଜ୍ଞ ଡା. ଏ. ଶାରଦା ଏବଂ ଡା. ଚନ୍ଦନ କୁମାର ରାୟମହାପାତ୍ରଙ୍କ ନେତୃତ୍ବ‌ରେ ତାଙ୍କର ବାଇପାସ୍‌ ଅସ୍ତ୍ରୋପଚାର କରାଯାଇ ମୁଖ୍ୟ ରକ୍ତନଳୀରୁ ବାମ ହାତ ଓ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କରୁଥିବା ରକ୍ତନଳୀ ସହ ଦୁଇଟି ନଳୀ ସଂଯୋଗ କରାଯାଇଥିଲା। ପରେ ହୃଦ୍‌ରୋଗ ବିଶେଷଜ୍ଞ ଡା. ଅନୁପମ ଜେନାଙ୍କ ଦ୍ୱାରା ଷ୍ଟେଣ୍ଟିଂ କରାଯାଇ ମୁଖ୍ୟ ରକ୍ତନଳୀର ଫାଟି ଯାଇଥିବା ସ୍ଥାନକୁ ବନ୍ଦ କରାଯାଇଥିଲା।

କିମ୍‍ସର ନିଶ୍ଚେତକ ବିଶେଷଜ୍ଞ ଡା. ଅଶୋକ କୁମାର ବଡ଼ମାଳିଙ୍କ ସହାୟତାରେ ଏହି ହାଇବ୍ରିଡ୍‍ ଅସ୍ତ୍ରୋପଚାର ୪ରୁ ୫ଘଣ୍ଟା ସମୟ ଲାଗିଥିଲା ବୋଲି ଡା. ଜେନା କହିଛନ୍ତି। ଏହାର ତୁରନ୍ତ ଅସ୍ତ୍ରୋପଚାର କରାଯାଇ ନଥିଲେ ହୃଦ୍‍ଘାତ, ମସ୍ତିଷ୍କାଘାତ, ଯକୃତ ଅକାମି, ଅଗ୍ନାଶୟରେ ସମସ୍ୟା ଭଳି ଗୁରୁତର ସମସ୍ୟା ଦେଖା ଦେଇଥା’ନ୍ତା ଏବଂ ମହିଳାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥା’ନ୍ତା ବୋଲି ଡା. ଜେନା କହିଛନ୍ତି। ଏଭଳି ହାଇବ୍ରିଡ୍‍ ଅସ୍ତ୍ରୋପଚାର ପାଇଁ ସାଧାରଣତଃ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଓ ଏଥିପାଇଁ ରୋଗୀକୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିବା ବେଳେ କିମ୍‍ସରେ ବିଏସ୍‍କେୱାଇ ଯୋଜନାରେ ମାତ୍ର ୬ଲକ୍ଷ ୫୦ ହଜାର ଟଙ୍କା‌ରେ ସୁଷମାଙ୍କ ଅସ୍ତ୍ରୋପଚାର କରାଯାଇପାରିଲା ବୋଳି ସେ କହିଛନ୍ତି।

ସମ୍ବନ୍ଧିତ ଖବର