କଟକରେ ହାଇଦରର ହେଲା ସ୍ୱାସ୍ଥ୍ୟ ପରୀକ୍ଷା, ଏସଡିଜେଏମ କୋର୍ଟରେ ହାଜର ପରେ ରିମାଣ୍ଡରେ ନେଇ ଗୁମର ଖୋଲିବ ପୁଲିସ

କଟକ: ପୁଲିସ କବଜାରେ ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ ଏସଡିଜେଏମ କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯିବ । କୋର୍ଟରେ ହାଜର କରିବା ପୂର୍ବରୁ ହାଇଦରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋର୍ଟରେ ହାଜର ହେବା ପରେ ହାଇଦରକୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିବ । କେମିତି ସେ କଟକ ଏସସିବି ମେଡିକାଲରୁ ଫେରାର ହୋଇଗଲା ଓ ଏଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ତାର ଖୋଳତାଡ କରିବ କମିସନରେଟ ପୁଲିସ ।

ହାଇଦର ଲିଙ୍କରେ ଥିବା ୭ଜଣଙ୍କୁ ପଚରାଉଚରା କରାଯାଉଛି । ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଷଡ଼ଯନ୍ତ୍ର ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ଆଉ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ହାଇଦରକୁ ଧରିବା ଲାଗି ୧୨୦ ଘଂଟାର ଅପରେସନ କେମିତି ଥିଲା, ତାର ପୂରା କାହାଣୀ କମିସନର କହିଛନ୍ତି । ପୁଲିସ ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଛି । ଏକ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ପୁଲିସ ସହାୟତାରେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍ । ହାଇଦରକୁ ବାଇକରେ ନେଉଥିବା ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡିଛି ।

ଗତକାଲି ରାତି ୭ଟାରେ ହାଇଦର ଧରାପଡିଥିବା ନେଇ ଖବର ମିଳିଥିଲା । ବିଳମ୍ବିତ ରାତିରେ ହାଇଦରକୁ ଜାହିରାବାଦ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରି ଟ୍ରାଂଜିଟ ରିମାଣ୍ଡରେ ଆଣିଛି କମିସନରେଟ ପୁଲିସ । ଆଜି ସକାଳୁ ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧା କଟକ ନିଆଯାଇଛି । ମଙ୍ଗଳାବାଗ ଥାନାରେ ତା ନାଁରେ ଫେରାର ମାମଲା ହୋଇଥିବାରୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଯାଉଛି ।

ସମ୍ବନ୍ଧିତ ଖବର