ଭୁବନେଶ୍ବର: ଆଜି ବିଏମ୍ସି ଡେପୁଟି କମିସନର ଯୋଗେଶ୍ବର ନାୟକ ଲିଙ୍ଗରାଜ ଥାନା ସାମାନ୍ତରାପୁର ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ଅଟକ ରହିବା ଓ ପ୍ରାୟ ଘଣ୍ଟାକ ପରେ ପୁଲିସ ତାଙ୍କୁ ଉଦ୍ଧାର କରିବା ଭଳି ଅଭାବନୀୟ ଘଟଣା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଡେପୁଟି କମିସନର ଶ୍ରୀ ନାୟକ ତାଙ୍କ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ ବୋଲି ଯୁବତୀ ଜଣକ ସଂଗିନ୍ ଅଭିଯୋଗ କରିଥିବା ବେଳେ ଯୁବତୀଙ୍କ ବିରୋଧରେ ଆର୍ଥିକ ଶୋଷଣର ପାଲଟା ଅଭିଯୋଗ ଆଣିଛନ୍ତି ଶ୍ରୀ ନାୟକ। ପୁଲିସ ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ସିଆର୍ପିସି ୧୬୧ରେ ଉଭୟ ପକ୍ଷଙ୍କ ବୟାନ୍ ରେକର୍ଡ କରିବା ସହ ୪୧ ନୋଟିସ୍ ଦେଇ ଛାଡ଼ିଛି। ତେବେ ସେଲୁନ୍ରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ବିଏମ୍ସି ଅଧିକାରୀ ଶ୍ରୀ ନାୟକ ତାଙ୍କ ଘରକୁ ଯିବା ଓ ଅଟକ ରହିବା ଭଳି ଘଟଣା ପଛରେ ପ୍ରକୃତରେ କି ରହସ୍ୟ ରହିଛି, ତାହାକୁ ନେଇ ଆଜି ଦିନ ତମାମ ରାଜଧାନୀରେ ରୋଚକ ଆଲୋଚନା ଚାଲିଛି।
ଅଟକ ଅଧିକାରୀଙ୍କୁ ଉଦ୍ଧାର କଲା ପୁଲିସ
ଯୁବତୀ ଆଣିଲେ ଅସଦାଚରଣ ଅଭିଯୋଗ
ଅର୍ଥ ଶୋଷଣ ଅଭିଯୋଗ କଲେ ଅଧିକାରୀ
ସୂଚନାନୁସାରେ ଆଜି ସକାଳେ ବିଏମ୍ସି ଅଧିକାରୀ ଶ୍ରୀ ନାୟକ ଯୁବତୀଙ୍କ ସାମନ୍ତରାପୁରସ୍ଥିତ ଘରକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଏକ ରୁମ୍ରେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ବିଏମ୍ସି ଅଧିକାରୀ ଶ୍ରୀ ନାୟକ ଜୋର୍ ଜବରଦସ୍ତ ତାଙ୍କ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମ କରୁଥିଲେ ବୋଲି ଯୁବତୀଙ୍କ ପରିବାର ଲୋକେ ପୁଲିସକୁ ଜଣାଇଥିଲେ। ତେଣୁ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା। ଯୁବତୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ୨୦୨୦ ମସିହାରେ ସେ ବାପୁଜୀ ନଗରରେ ଏକ ସେଲୁନ୍ରେ କାମ କରୁଥିଲେ ଏବଂ ସେଠାରେ ଶ୍ରୀ ନାୟକଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା।
ଉଭୟେ ଏକ ଆଲ୍ବମ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଯୋଜନା ମୁତବାକ ଶ୍ରୀ ନାୟକ ତାଙ୍କ ପତ୍ନୀଙ୍କ ନାମରେ ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ। ଉକ୍ତ ଆଲ୍ବମ୍ରେ ତାଙ୍କୁ ହିରୋଇନ୍ କରିବା ପାଇଁ ଶ୍ରୀ ନାୟକ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଏହି ଆଳରେ ଶ୍ରୀ ନାୟକ ବିଭିନ୍ନ ସମୟରେ ଫୋନ୍ କରି ତାଙ୍କ ସହ ରାତ୍ରୀଯାପନ ପାଇଁ ଡାକୁଥିଲେ। ଏମିତିକି ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ବୋଲି ଯୁବତୀ କହିଛନ୍ତି। ମାତ୍ର ଯୁବତୀ ତାଙ୍କ କଥାରେ ରାଜି ନହେବାରୁ ସେ ରାଗରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଗତ ୧୫ ଦିନ ତଳେ ଶ୍ରୀ ନାୟକ ସେଲୁନ୍କୁ ଆସି ତାଙ୍କୁ ଦୁର୍ବବ୍ୟବହାର କରିଥିଲେ ଏବଂ ଆଜି ପୁଣି ସକାଳୁ ଏଭଳି କାଣ୍ଡ କରିଛନ୍ତି ବୋଲି ଯୁବତୀ ଏତଲାରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ଶ୍ରୀ ନାୟକ ପାଲଟା ଅଭିଯୋଗ କରିଥିଲେ ଯେ ସେଲୁନ୍ରେ ସମ୍ପର୍କ ବଢ଼ିବା ପରେ ଯୁବତୀ ଏକଦା ଲାଇଭ୍ ଲୋକେସନ୍ ପଠାଇ ତାଙ୍କୁ ଘରକୁ ଡାକିଥିଲେ। ସେଲୁନ୍ର ଋଣ ଏବଂ ଏକ ନୂଆ ପ୍ରୋଜେକ୍ଟ ପାଇଁ ତାଙ୍କର କିଛି ଟଙ୍କା ଦରକାର ଥିବା କହିଥିଲେ। ସମ୍ପର୍କ ଥିବାରୁ ସେ ବିଶ୍ବାସରେ ତାଙ୍କୁ ୪ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୁବତୀ ତାଙ୍କ ଟଙ୍କା ଫେରାଇନଥିଲେ। ବରଂ ଟଙ୍କା ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଉତ୍ସାହିତ କରିଥିଲେ। ହେଲେ ସେ ଯୁବତୀଙ୍କ କଥାରେ ରାଜି ହୋଇନଥିଲେ ଏବଂ ତାଙ୍କ ଟଙ୍କା ଫେରାଇବାକୁ ଜିଦ୍ କରିଥିଲେ। ଆଜି ସକାଳେ ଟଙ୍କା ମାଗିବା ପାଇଁ ସେ ତାଙ୍କ ଘରକୁ ଯାଇଥିବା ବେଳେ ଯୁବତୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରି ଘରେ ଅଟକ ରଖିବା ସହ ନାଟକ ରଚିଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ପ୍ରମୋଦଙ୍କ ପରେ ଯୋଗେଶ୍ବର
ଭୁବନେଶ୍ବର: ବିଏମ୍ସିକୁ ବିବାଦ ପିଛା ଛାଡ଼ୁନି। କେତେବେଳେ ଯୌନ କେଳେଙ୍କାରୀ ମାମଲାରେ ଅଫିସର ଫସିଛନ୍ତି ତ’ କେତେବେଳେ ସହକର୍ମୀଙ୍କୁ କର୍ମଚାରୀ ଅସଦାଚରଣ କରିଛନ୍ତି। ଆଉ ଏଥିପାଇଁ ଅପବାଦ ମୁଣ୍ଡାଇଛି ବିଏମ୍ସି। ଆଜି ଏଭଳି ଏକ ଘଟଣାରେ ବିଏମ୍ସି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତତ୍କାଳୀନ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଫସିଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମ ଜୋନ୍ର ଡେପୁଟି କମିସନର ଯୋଗେଶ୍ବର ନାୟକ ଦୁଷ୍କର୍ମ ଉଦ୍ୟମ ମାମଲାରେ ଫସିଛନ୍ତି। ବିଏମ୍ସିରେ ଯୋଗ ଦେବାର ୩ ମାସ ନ ପୂରୁଣୁ ସେ ଏଭଳି ଅଭିଯୋଗରେ ଫସିଛନ୍ତି। ଯଦିଓ ପୁଲିସ ଗିରଫ ନ କରି ତାଙ୍କୁ ଛାଡ଼ି ଦେଇଛି କିନ୍ତୁ ବିଏମ୍ସି ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ଗତ ଡିସେମ୍ବର ମାସରେ ଶ୍ରୀ ନାୟକ ବିଏମ୍ସିରେ ଡେପୁଟି କମିସନର ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବରୁ ୨୦୨୧ ମସିହାରେ ଯୋଡ଼ାରେ ବିଡିଓ ଥିବା ବେଳେ ସେ ପିସି କାରବାରରେ ଫସିଥିଲେ। ତାଙ୍କୁ ସେଠାରୁ ରାତି ଅଧିଆ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଥିଲା। ଏହା ପରେ ତାଙ୍କୁ ବାଙ୍କୀ ଏନ୍ଏସି ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ବ ଦିଆଯାଇଥିଲା। ସେଠାରୁ ତାଙ୍କୁ ହଠାତ୍ ହଟାଯାଇ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଣାଯାଇଥିଲା। ଏତେ ସବୁ ବିବାଦ ସତ୍ତ୍ବେ ଗୃହ ଓ ନଗର ଉନ୍ନୟନ ବିଭାଗ ତାଙ୍କୁ ବିଏମ୍ସି ଡେପୁଟି କମିସନର ଭାବରେ ଅବସ୍ଥାପିତ କରିଥିଲା। କୌଣସି ଉପବିଭାଗ ଖାଲି ନଥିବାରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଜୋନ୍ ପଠାଯାଇଥିଲା। ସେଠାରେ ସମାନ ପାହ୍ୟାର ଦୁଇଜଣ ଡେପୁଟି କମିସନର ରହିଥିଲେ। ଯାହା ଫଳରେ ତାଙ୍କର ଜେଡ୍ଡିସି ରବିନାରାୟଣ ଜେଠୀଙ୍କ ସହ ପଡ଼ିନଥିଲା। ଶ୍ୟାମପୁର ଅଞ୍ଚଳରେ ଏକ ପାର୍କିଂ ସ୍ଥଳକୁ ଯୋଗେଶ୍ବର ନିଲାମ୍ ଦେଇ ଦେଇଥିଲେ। ଫଳରେ ଉଭୟ ରବିନାରାୟଣ ଓ ଯୋଗେଶ୍ବରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପାର୍କିଂ ଆଲଟ୍ମେଣ୍ଟକୁ ନେଇ ଶ୍ରୀ ଜେଠୀ(ସମ୍ପୃକ୍ତ ଜୋନ୍ର ଡେପୁଟି କମିସନର) କମିସନରଙ୍କୁ ଗୁପ୍ତ ପତ୍ର ଲେଖିଥିଲେ। ଏହା ବେଆଇନ ଭାବରେ ଦିଆଯାଇଛି ନା ଆଇନସମ୍ମତ ତାହା ତଦନ୍ତ ଆରମ୍ଭ ହୋଇଥିଲା। ଯାହା ଏବେ ବି ବିଚାରାଧୀନ ରହିଛି।
କେବଳ ସେତିକି ନୁହେଁ, ହକି ପାଇଁ ସମସ୍ତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ଅନେକ ଗରିବ ବ୍ୟବସାୟୀଙ୍କ ବେଉସା ବୁଡ଼ିଯାଇଥିଲା। କିନ୍ତୁ ବରମୁଣ୍ଡାରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତା ଉଭୟପାର୍ଶ୍ବରେ ରହିଥିବା ନର୍ସରି ଉଚ୍ଛେଦ ହୋଇନଥିଲା। ଏହି ଦାୟିତ୍ବରେ ସେତେବେଳେ ଶ୍ରୀ ନାୟକ ରହିଥିଲେ। ହାତଗୁଞ୍ଜା ନେଇ ଏହାକୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହେବାରୁ ଶ୍ରୀ ନାୟକ ଚର୍ଚ୍ଚାକୁ ଆସିଥିଲେ। ତେବେ ଶ୍ରୀ ନାୟକ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମିଥ୍ୟା ଅଭିଯୋଗ କରି ଫସାଇ ଦିଆଯାଉଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ତତ୍କାଳୀନ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ନାବାଳିକା ଘରୋଇ ସହାୟିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଫସିଥିଲେ। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ପରେ ଜଣେ କର୍ମଚାରୀ ଅରୁଣ ବିଶ୍ବାଳ ମଧ୍ୟ ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଫସିଥିଲେ। ତାଙ୍କୁ ଜୋନ୍ ଅଫିସ୍ରୁ ମୁଖ୍ୟାଳୟକୁ ଅଣାଯାଇଛି।