ଭୁବନେଶ୍ବର: ମଙ୍ଗଳବାର, ରାତି ୮ଟା ୪୦। କଟକ ରୋଡ୍ରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଲେ ଜଣେ କର୍ପୋରେଟର ଓ ତାଙ୍କର କେତେକ ସମର୍ଥକ। ଆଗ ଭିତରକୁ ଜଣେ ସମର୍ଥକ ପଶିଯାଇ ଫାଙ୍କା ଟେବୁଲ୍ ଦେଖି କର୍ପୋରେଟରଙ୍କୁ ବସିବାକୁ ଆମନ୍ତ୍ରଣ କଲା। ନେତା ବସିବା ପରେ ଜଣକ ପରେ ଜଣେ ବସିଗଲେ। ହେଲେ ସେ ଟେବୁଲ୍ ବୁକ୍ ଥିଲା। ପୂର୍ବରୁ କେହି ଜଣେ ସେହି ଟେବୁଲ୍ରେ ବସିବା ପାଇଁ ମ୍ୟାନେଜରକୁ କହି ରଖିଥିଲେ। ଯେହେତୁ ଆଗରୁ ଗ୍ରାହକ ଜଣକ କହିଥିଲେ, ସେଥିପାଇଁ ସେହି ଗ୍ରାହକଙ୍କ ଅନୁରୋଧକୁ ପ୍ରାଥମିକତା ଦେବାକୁ ମ୍ୟାନେଜର ଚାହିଲେ।
ଏଣୁ ଅତ୍ୟନ୍ତ ବିନୟତାର ସହ ସମ୍ପୃକ୍ତ ନେତାଙ୍କୁ ଏହା ଅବଗତ କରାଇବା ସହ ଉଠିଯିବା ପାଇଁ କହିଲେ। ହେଲେ ଆଉ ଗୋଟିଏ ହେଲେ ଚଉକି ଖାଲି ନଥିଲା। ଏଠାରୁ ଉଠିବା ମାନେ ସିଧା ବାହାରକୁ ଯିବା। ଏଣୁ ନେତାଙ୍କ ପାଇଁ ତାହା ଆତ୍ମସମ୍ମାନର ପ୍ରଶ୍ନ ହେଇଗଲା- ‘ମୋ ଇଲାକାରେ ରେସ୍ତୋରାଁ ଚଳେଇବୁ, ମୋର ଇଜ୍ଜତ ନାହିଁ? ସେ ଏମିତି କିଏ କି?’ ନେତାଙ୍କର ଏଭଳି ସ୍ଥିତି ଦେଖି ସମର୍ଥକ ବି ଗରମ ହେଇଗଲେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ସେଠାରେ ଟଣାଓଟରା ଚାଲିଲା। ହେଲେ ଅନେକ ସମୟରୁ ସମ୍ପୃକ୍ତ ଗ୍ରାହକଙ୍କ ଉଦ୍ଦେଶ୍ୟରେ ମ୍ୟାନେଜର ସମ୍ପୃକ୍ତ ଟେବୁଲ୍ ସମର୍ପି ଦେଇଥିବାରୁ, ନେତାଙ୍କୁ ଅଗତ୍ୟା ଉଠି ଆସିବାକୁ ହେଲା। କଥା କିନ୍ତୁ ଏତିକିରେ ସରିନଥିଲା।
ପରଦିନ ସଫେଇ ଗାଡ଼ି ଆସିଲା। ହେଲେ ସମ୍ପୃକ୍ତ ରେସ୍ତୋରାଁର ଆବର୍ଜନା ନେଲା ନାହିଁ। କଥା କ’ଣ ବୁଝିବା ବେଳକୁ ନେତାଙ୍କ ଆକ୍ରୋଶ ଏହା ପଛର କାରଣ ବୋଲି ଜଣାପଡ଼ିଲା। ଏଣୁ ସମ୍ପୃକ୍ତ ରେସ୍ତୋରାଁ ମାଲିକ ଓ ମ୍ୟାନେଜର ଉଭୟ ନେତାଙ୍କ ପାଖକୁ ଦଉଡ଼ିଲେ। କିନ୍ତୁ ଯିଏ ଅପମାନ ଦେଇଛି, ଯିଏ ଟେବୁଲ୍ରୁ ଉଠାଇଦେଇଛି, ସେ ଆସି ନାକ ରଗଡ଼ିବା ପରେ ଯାଇ ଯାହା ନିଷ୍ପତ୍ତି ନିଆଯିବ ବୋଲି ନେତା ସଫାସଫା ଶୁଣାଇ ଦେଲେ। ଏମାନେ ଯେତେ କାକୁତିମିନତି ହେଲେ ମଧ୍ୟ ଗତରାତିର ଅପମାନର ଭରଣା କରିପାରିନଥିଲେ। କଥା ବିଏମ୍ସି ପର୍ଯ୍ୟନ୍ତ ଯାଇଥିଲା। ସେଠି କି ପ୍ରକାରର ବୁଝାମଣା ହେଲା କେଜାଣି, ତିନିଦିନ ପରେ ସେଠାରୁ ଅଳିଆ ଉଠିଲା। ନେତା ବି ରେସ୍ତୋରାଁକୁ ନିୟମିତ ଯିବାଆସିବା କଲେ। ଟେବୁଲ୍ ବି ନେତାଙ୍କ ପାଇଁ ଫାଙ୍କା ରହିଲା। ନିକଟ ଅତୀତରେ ଜଣେ ମହିଳା କର୍ପୋରେଟରଙ୍କୁ କମିସନର ଅପମାନ ଦେଇଥିବା ଅଭିଯୋଗ ହୋଇଥିଲା। ସେହି ପ୍ରସଙ୍ଗ ପୁଣି ଥରେ କର୍ପୋରେସନ ବୈଠକରେ ଉଠିବା ସହ ଏକାଧିକ କର୍ପୋରେଟର କମିସନରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲେ। ଯେତେ ମତଭେଦ ଥିଲେ ବି ଜଣେ ମହିଳା କର୍ପୋରେଟରଙ୍କ ସମ୍ମାନକୁ ଆଖି ଆଗରେ ରଖି କର୍ପୋରେଟରଙ୍କର ଏଭଳି ଏକାଠି ହେବାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। କିନ୍ତୁ ଜଣେ କର୍ପୋରେଟରଙ୍କର ଉପରୋକ୍ତ କାର୍ଯ୍ୟକଳାପକୁ କେତେଜଣ ସ୍ବାଗତ କରିବେ?