ଗୁଗଲ କୋଡ୍ ଅନଲାଇନ୍ ପ୍ରତିଯୋଗିତାରେ ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଡିଏଭି ଚନ୍ଦ୍ରଶେଖରପୁରର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଓମ୍ସି ସାମଲ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ତାଙ୍କ ସ୍ୱତନ୍ତ୍ର ପ୍ରକଳ୍ପ ଲିକ୍ୱିଡ୍ ଗାଲାକ୍ସିକୁ ପ୍ରଥମ ପୁରସ୍କାର ମିଳିଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୭୮ଟି ଦେଶର ୩୫୫୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଭାରତର ୧୬ଜଣ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଓମସିଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ଆମେରିକାରେ ଗୁଗଲ ତରଫରୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ତାଙ୍କର ଏହି ସଫଳତା ଅବସରରେ ‘ସମ୍ବାଦ’ ପକ୍ଷରୁ ରାଜକିଶୋର ଦାସଙ୍କ ସହ ଆଳାପର କିଛି ଅଂଶ...
କ’ଣ ଏ ପ୍ରତିଯୋଗିତା?
ଗୁଗଲ୍ କୋଡ୍-ଇନ୍-୨୦୧୭ ପ୍ରତିଯୋଗିତା ନଭେମ୍ବର ୨୮, ୨୦୧୬ରୁ ଆରମ୍ଭ ହୋଇ ଜାନୁଆରି ୧୭ରେ ସମାପ୍ତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଡିଂ, ଡିଜାଇନ୍, କ୍ୱାଲିଟି ଆସ୍ୟୁରାନ୍ସ, ରିସର୍ଚ୍ଚ ଏବଂ ଆଉଟ୍ରିଚ୍ ଭଳି ବିଷୟରେ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହା ଏକ ଅନ୍ଲାଇନ୍ ପ୍ରତିଯୋଗିତା। ଏହା ଏକ ଓପନ୍ ସୋର୍ସ ସଫ୍ଟୱେୟାର୍, ଯେଉଁଥିରେ ଅନେକ ସଂସ୍ଥା ଜଡ଼ିତ ଥାଆନ୍ତି। ପ୍ରତିଯୋଗୀମାନଙ୍କୁ କିଛି କିଛି ଟାସ୍କ ଦିଆଯାଇଥାଏ। ତଦନୁଯାୟୀ ପ୍ରତିଯୋଗୀମାନେ ଟାସ୍କ ସଂପାଦନ କରିବା ସହ ନିଜର ସୁଚିନ୍ତିତ ମତାମତ ଦେଇଥାଆନ୍ତି।
ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ କେମିତି ଲାଗୁଛି?
ବହୁତ ଖୁସି ଲାଗୁଛି। ବାବା, ମାମାଙ୍କ ସହ ଆମେରିକା ଯିବାକୁ ଉତ୍ସାହିତ ଅଛି। ଗୁଗଲ୍ କାର୍ଯ୍ୟାଳୟ ଭ୍ରମଣ ସହ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବି। ଏହା ମୋ’ ପାଇଁ ବାସ୍ତବରେ ଏକ ଖୁସିର ବିଷୟ। ଇଣ୍ଟରନେଟ୍ ବ୍ରାଉସିଂ କରୁ କରୁ ଏହି ପ୍ରତିଯୋଗିତା ବିଷୟରେ ସୂଚନା ପାଇଥିଲି। ମାତ୍ର ଜିତିବି ବୋଲି କେବେ ବି ଭାବିନଥିଲି। ପରିବାର ସହ ସ୍କୁଲ୍ର ଶିକ୍ଷକ/ଶିକ୍ଷୟିତ୍ରୀମାନେ ମଧ୍ୟ ଏନେଇ ବହୁତ ଉତ୍ସାହିତ ଅଛନ୍ତି।
ନିଜ ପ୍ରକଳ୍ପ ବିଷୟରେ କଣ କହିବେ?
ଲିକ୍ୱିଡ୍ ଗାଲାକ୍ସି ଦ୍ୱାରା କୋଡିଂ, ହାଇ ରିଜୋଲ୍ୟୁସନ୍ ଭଳି ବିଭିନ୍ନ ସଫ୍ଟୱେୟାର୍ କାର୍ଯ୍ୟ କରାଯାଇପାରିବ। ଏହି ସନ୍ଦର୍ଭରେ ମୁଁ ଅନେକ ମତାମତ ରଖିଛି। ବିଶ୍ୱର ବହୁ ବିଶିଷ୍ଟ ଗବେଷକ ଓ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରି ମୁଁ ବହୁ ଅଭିଜ୍ଞତା ହାସଲ କରିଛି।
ଭବିଷ୍ୟତରେ କ’ଣ ହେବାକୁ ଚାହାନ୍ତି? ପାଠପଢ଼ା ବ୍ୟତୀତ ଆଉ କ’ଣ ଭଲ ଲାଗେ?
ମୁଁ ଜଣେ ସଫ୍ଟୱେୟାର ଡେଭ୍ଲପର୍ ହେବାକୁ ଲକ୍ଷ୍ୟ ରଖିଛି। ପାଠପଢ଼ା ବ୍ୟତୀତ ଲେଖାଲେଖି ଓ ପଢ଼ାପଢ଼ିରେ ରୁଚି ରହିଛି। ମୋର କବିତା, ସ୍କୁଲ୍ ମାଗାଜିନ୍ ସହ ନିକଟରେ ବିବିସି ଷ୍ଟୁଡେଣ୍ଟ ମାଗାଜିନ୍ରେ ସ୍ଥାନ ପାଇଛି।
ଏହିଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଛାତ୍ରଛାତ୍ରୀଙ୍କୁ କ’ଣ କହିବେ?
ଛାତ୍ରଛାତ୍ରୀମାନେ ସବୁବେଳେ ନିଜର ମସ୍ତିଷ୍କକୁ ଖୋଲା ରଖିବା ସହ ଟେକ୍ନୋଲଜିର ସଦୁପଯୋଗ କରିବା ଉଚିତ୍। ଇଣ୍ଟରନେଟ୍କୁ ସବୁବେଳେ ହିତରେ ଉପଯୋଗ କରିବା ଆବଶ୍ୟକ। କୋଡିଂ ବାବଦରେ ଜ୍ଞାନ ଆହରଣ କରି ଏଭଳି ପ୍ରତିଯୋଗିତାରେ ଭାଗ ନେଲେ ଛାତ୍ରଛାତ୍ରୀମାନେ ସଫଳତା ପାଇପାରିବେ।