‘ମୋ ସାଇକେଲ୍‌’ ପ୍ରତି ‌‘ମୋର’ ଭାବନା ନାହିଁ, ରାସ୍ତାରେ ଖତ ଖାଉଛି ୫୦୦ ‘ମୋ ସାଇକେଲ୍‌’

ସରକାରୀ ଅର୍ଥ ବୋଲି କ’ଣ ଏମିତି ପଡ଼ିବ? ୫କୋଟିର ଯୋଜନା, ଅବହେଳାରୁ ଫେଲ୍‌ ମାରିଲା

ଭୁବନେଶ୍ବର: ‌ସାଇକେଲ୍‌ ଗୋଟାକୁ ୨୫ ହଜାର ଟଙ୍କା ଲେଖାଏଁ ଦେଇ କିଣିଲେ। ଏମିତି ୫ କୋଟି ଖର୍ଚ୍ଚ କରି ୨ହଜାର ସାଇକେଲ୍‌ କିଣିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରି ପ୍ରକଳ୍ପର ନାଁ ଦେଲେ ‘ମୋ ସାଇକେଲ୍‌’। ଲୋକ ଯେପରି ନିଜର ସାଇକେଲ୍‌ ଭାବି ଚଲାଇବେ, ନିଜର ଭାବି ଯତ୍ନ ନେବେ, ସେହି ପ୍ରକାରର ଗୋଟେ ହାୱା ସୃଷ୍ଟି କରାଗଲା। ହେଲେ ‘ମୋ ସାଇକେଲ୍‌’ ଦାୟିତ୍ବରେ ଯେଉଁ ଅଧିକାରୀମାନେ ଅଛନ୍ତି, ସେମାନଙ୍କର ‘ମୋ ସାଇକେଲ୍‌’ ପ୍ରତି ମୋର ଭାବନା କିନ୍ତୁ ଆସୁନି। ଯେଉଁଥିପାଇଁ ଆଜି ରାଜଧାନୀରେ ୫୦୦ରୁ ଅଧିକ ମୋ ସାଇକେଲ୍‌ ଖତ ଖାଉଥିଲେ ହେଁ ଏହାର ପୁନରୁଦ୍ଧାର ବ୍ୟବସ୍ଥା କେହି କରୁନାହାନ୍ତି।

ଯେଉଁଠି ଅଧିକାରୀଙ୍କର ‘ମୋ ସାଇକେଲ୍‌’ ପ୍ରତି ମୋର ଭାବନା ନାହିଁ, ସେଠାରେ ସାଧାରଣ ଲୋକଙ୍କର କେଉଁଠୁ ଆସିବ? ଖାଲି ଯୋଜନା ପୂର୍ବରୁ ‘ମୋ’ ଯୋଡ଼ିଦେଲେ ହେବନି, ମୋର ବୋଲି ଲୋକଙ୍କ ମନରେ ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ମଧ୍ୟରେ ଏକ ଭାବନା ସୃଷ୍ଟି ହେବା ଦରକାର। ଯାହା ଆଜି ପର୍ଯ୍ୟନ୍ତ ‘ମୋ ସାଇକେଲ୍‌’ କ୍ଷେତ୍ରରେ ସୃଷ୍ଟି ହେଲାନି।

ଏବେ ରାସ୍ତା କଡ଼ରେ ଯେଉଁ ଭଳି ଅବ୍ୟବସ୍ଥିତ ଭାବେ ‘ମୋ ସାଇକେଲ୍‌’ ପଡ଼ିଛି, ତାହାକୁ ଦେଖିଲେ କେହି ଭାବିବନି ଯେ ଏଇଟା ‘ମୋ ସାଇକେଲ୍‌’। କବାଡ଼ିଆରେ ସାଇକେଲ୍‌ ଗଦା ହେଲା ଭଳିଆ ଭଙ୍ଗାଦଦରା ସାଇକେଲ୍‌ ରାସ୍ତାକଡ଼ରେ ପଡ଼ିଥିବାରୁ କାହିଁକି ବା କାହା ମନରେ ମୋର ଭାବନା ସୃଷ୍ଟି ହେବ? ଏଠାରେ ପ୍ରଶ୍ନ ଉଠୁଛି ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀ ଏହି ମୋ ସାଇକେଲ୍‌ ଦାୟିତ୍ବରେ ଥିବା ବେଳେ ସେମାନେ କ’ଣ ଏହାକୁ ମୋ ସାଇକେଲ୍‌ ବୋଲି ଭାବୁଛନ୍ତି? ଯଦି ଥରଟିଏ ମୋର ସାଇକେଲ୍‌ ବୋଲି ଭାବିବା ଆରମ୍ଭ କରିବେ ତେବେ ରାଜଧାନୀରେ ଗୋଟିଏ ବି ଭଙ୍ଗା ଦଦରା ସାଇକେଲ୍‌ ଦେଖିବାକୁ ମିଳନ୍ତାନି। କିନ୍ତୁ ବାବୁମାନେ ତ ‘ସରକାର୍‌ କା ମାଲ୍‌ ଦରିଆ ମେ ଡାଲ୍‌’ ଚିନ୍ତାରେ। ଆଜି ମୋ ସାଇକେଲ୍‌ ଦାୟିତ୍ବରେ ଅଛନ୍ତି, କାଲି ଆଉ କେଉଁ ଦାୟିତ୍ବରେ ରହିବେ। ଏବେ ଯେଉଁ ବାବୁମାନେ ମୋ ସାଇକେଲ୍‌ ଦାୟିତ୍ବ‌ରେ ଅଛନ୍ତି, ସେମାନଙ୍କ ପୂର୍ବରୁ ବହୁ ବାବୁ ଏହି ଦାୟିତ୍ବରେ ରହି ବଦଳି ହୋଇଗଲେଣି। ତେଣୁ ସେମାନେ ଯଦି ମୋ ସାଇକେଲ୍‌କୁ ମୋର ସାଇକେଲ୍‌ ବୋଲି ଭାବିଲେନି ଏବେ ଥିବା ଅଧିକାରୀ କାହିଁକି ଭାବିବେ? ଥରେ ଦାୟିତ୍ବ‌ରୁ ହଟିଲେ କେହି ବି ଦୋଷ ଦେବାକୁ ନଥିବେ। ତେଣୁ ଯାହା ଯେମିତି ହେଉଛି ସେମିତି ଛାଡ଼ି ଦେଇଛନ୍ତି। କେବଳ ମୋ ସାଇକେଲ୍‌ ନାଁରେ ନିଜର ପ୍ରଚାରରେ ମାତିଛନ୍ତି। ଏହାବାଦ୍‌ ମୋ ସାଇକେଲ୍‌ ତ କେବଳ ରାଜ୍ୟ ସରକାରଙ୍କ ଅର୍ଥରେ କିଣା ହୋଇନି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥରେ କିଣା ହୋଇଛି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ ନଭେମ୍ବର ୨୭, ୨୦୧୮ରେ ରାଜଧାନୀରେ ମୋ ସାଇକେଲ୍‌ ଯୋଜନା ଆରମ୍ଭ କରିଥିଲେ। ବିଏସ୍‌ସିଏଲ୍‌ ସାଇକେଲ୍‌ କେଉଁଠୁ କିଣା ହେବ, କେଉଁ ଡିଜାଇନ୍‌ର କିଣା ହେବ, କେଉଁ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବ, ଦୈନନ୍ଦିନ ବ୍ୟାପାର ବୁଝିବ, ତାହା ସ୍ଥିର କରିଥିଲା। କିନ୍ତୁ ଏହାର ପରିଚାଳନା ନିଜେ ନନେଇ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲା। ରାଜଧାନୀରେ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥା ତଦାରଖ କରିବା ପାଇଁ ଗଢ଼ା ହୋଇଥିବା ସଂସ୍ଥା କ୍ରୁଟ୍‌ ଏହାର ଦାୟିତ୍ବ ନେଇଥିଲା। କିନ୍ତୁ ଦୁଇବର୍ଷ ପରେ ବିଶେଷ କିଛି ସଫଳତା ମିଳିଲାନି। ତେଣୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କ୍ରୁଟ୍‌ଠାରୁ ମୋ ସାଇକେଲ୍‌ ପରିଚାଳନା ଦାୟିତ୍ବ ଛଡ଼ାଇ ଆଣି ନିଜ ପାଖରେ ରଖିଲେ। ବିଏମ୍‌ସି ଓ ବିଏସ୍‌ସିଏଲ୍‌ ମିଶିକି ଏହାର ପରିଚାଳନା ଦାୟିତ୍ବ ନେବେ ଏବଂ ପ୍ରଚାର ପ୍ରସାର କରିବେ ବୋଲି କହିଲେ।
କିନ୍ତୁ ସ୍ଥିତି ଯାହା ଥିଲା ତା’ଠାରୁ ଅଧିକ ବିଗିଡ଼ିଗଲା। କେବଳ ଶୁକ୍ରବାର କିଛି ଲୋକ ନିଜ ନିଜ ସାଇକେଲ୍‌ ଧରି ଏକାଠି ହୋଇ ରାସ୍ତାରେ ଚଲାଇଲେ। କାର୍ଯ୍ୟକ୍ରମ ନାଁରେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ହଜାର ହଜାର ଟଙ୍କା ଖର୍ଚ୍ଚ କଲେ। ହେଲେ ମୋ ସାଇକେଲ୍‌ ସ୍ଥିତି ବଦଳିଲାନି। ମୋ ସାଇକେଲ୍‌ ଚଲାଇବା ପାଇଁ କାର୍ଯ୍ୟକ୍ରମ ହେଉଛି ହେଲେ ଲୋକ ମୋ ସାଇକେଲ୍‌ ଚଲାଉ ନାହାନ୍ତି। ଏପରିକି ଆଗରୁ ଯେତିକି ଭଙ୍ଗା ସାଇକେଲ୍‌ ରାସ୍ତା କଡ଼ରେ ଦେଖିବାକୁ ମିଳୁ ନଥିଲା, ଏବେ ତା’ର ବହୁଗୁଣା ଭଙ୍ଗା ସାଇକେଲ୍‌ ଦେଖିବାକୁ ମିଳୁଛି। ଆଖି ଯେଉଁଠି ପଡ଼ୁଛି ସେଠାରେ ନିଶ୍ଚିତ ଗୋଟିଏ ଭଙ୍ଗା ସାଇକେଲ୍‌ ପଡ଼ିଥିବା ଦେଖିବାକୁ ମିଳୁଛି। ମୋ ସାଇକେଲ୍‌ ଯୋଜନା ଫେଲ୍‌ ମାରିବା ପରେ ମୋ ସାଇକେଲ୍‌ଗୁଡ଼ିକ ଖତ ଖାଇଲାଣି।

ରାଜଧାନୀରେ ଗଡ଼ିବାକୁ ଆସିଥିବା ୨ହଜାର ମୋ ସାଇକେଲ୍‌ ମଧ୍ୟରୁ ତିନି ଘରୋଇ ସଂସ୍ଥା ଯଥା ହେକ୍ସିକୁ ହଜାରେ ସାଇକେଲ୍ ପାଇଁ ଅଢ଼େଇ କୋଟି, ୟୋନୋକୁ ୫୦୦ ସାଇକେଲ୍ ପାଇଁ ୧ କୋଟି ୨୫ ଲକ୍ଷ ଏବଂ ୟୁଲୁକୁ ୫୦୦ ସାଇକେଲ୍ ପାଇଁ ୧ କୋଟି ୨୫ ଲକ୍ଷ ଲେଖାଏଁ ଦେଇ ସାଇକେଲ୍ କିଣାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତି ସାଇକେଲ୍‌ ପିଛା ବର୍ଷକୁ ୫ହଜାର ଟଙ୍କା ଲେଖାଏଁ ଦେବାକୁ ଚୁକ୍ତି ହୋଇଥିଲା। ୟୁଲୁ ଓ ୟୋନୋ ସାଇକେଲ୍‌ ଯାହିତାହି ଅବସ୍ଥାରେ ଥିବା ବେଳେ ହେକ୍ସି ସାଇକେଲ୍‌ଗୁଡ଼ିକ ଅଧିକାଂଶ ସ୍ଥାନରେ ଭଙ୍ଗାଦଦରା ହୋଇ ଗଡ଼ୁଛି। ହେକ୍ସି ସଂସ୍ଥା ଭୁବନେଶ୍ବର ଛାଡ଼ି ପଳାଇଲାଣି। କିନ୍ତୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ତା’ଠାରୁ ଜରିମାନା ଆଦାୟ କରିବେ ବୋଲି ଅପେକ୍ଷା କରିଛନ୍ତି। ହେକ୍ସି ସଂସ୍ଥା ଆସିଲେ ହିଁ ସାଇକେଲ୍‌ ଉଠାଇବ ସେହି ଯୋଜନାରେ ବସିଛନ୍ତି। କିନ୍ତୁ ହେକ୍ସି କର୍ତ୍ତୃପକ୍ଷ ଆସୁନାହାନ୍ତି କି ସାଇକେଲ୍‌ ଉଠାଉନାହାନ୍ତି। ବିଏସ୍‌ସିଏଲ୍‌ କୋଟି କୋଟି ‌ଟଙ୍କା ଦେଇ ସାଇକେଲ୍‌ କିଣିଥିଲେ ବି ଭଙ୍ଗା ଦଦରା ସାଇକେଲ୍‌ ଆହୁରି ନଷ୍ଟ ହେଉଥିବା ଦେଖି ବି ଏହାକୁ ଉଠାଇବା ବ୍ୟବସ୍ଥା କରୁନାହାନ୍ତି। ଯାହା ‘ମୋ ସାଇକେଲ୍‌’ ପ୍ରତି ବାବୁମାନଙ୍କର ‘ମୋର’ ଭାବନାକୁ ଦର୍ଶାଉଛି।

ସମ୍ବନ୍ଧିତ ଖବର