ଭୁବନେଶ୍ବର: ‘ଗତ ୫ ବର୍ଷରେ ଭୁବନେଶ୍ବର ସାଂସଦ ‌କୌଣସି ବଡ଼କାମ କରିନାହାନ୍ତି। ସେ ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ବିକାଶମୂଳକ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।’ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭିଡିଓ ବାର୍ତ୍ତାରେ ଭୋଟ୍‌ ଭିକ୍ଷା କରିବା ବେଳେ ବିଜେପି ସାଂସଦ ଅପରାଜିତାଙ୍କ ଉପରେ ଏଭଳି ଅଭିଯୋଗ ଆଣିଥିଲେ। ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିଛନ୍ତି ସାଂସଦ ଅପରାଜିତା। ଏହି ପ୍ରସଙ୍ଗରେ ଖୋଲା ବିତର୍କକୁ ଆହ୍ବାନ ଦେବା ସହ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିଥିବାର ପ୍ରମାଣ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା।

Advertisment

ଆଜି ପଳାସପଲ୍ଲୀସ୍ଥିତ କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ‘‘ମୁଁ ଆଶ୍ଚର୍ଯ୍ୟ। ୨୪ ବର୍ଷର ଜଣେ ମୁଖ୍ୟମନ୍ତ୍ରୀ ପ୍ରଥମଥର ହୋଇଥିବା ଜଣେ ସାଂସଦଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଯାହାକି କେଉଁଠି ନା କେଉଁଠି ବିଜେଡିର ହତାଶ, ନୈରାଶ୍ୟ ଭାବକୁ ପ୍ରକାଶ କରୁଛି। ଯେମିତି ବାଉଳା ଚାଉଳା ହେଉଛି ବିଜେଡି। ଲିଙ୍ଗରାଜ ଆଇନକୁ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି, ତା'ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ନା ଖାଲି କାଗଜରେ ଥିବା ଲେଖାକୁ ପଢ଼ିଦେଲେ। ମୋତେ ପ୍ରମାଣ ଦରକାର। ମୁଁ ସ୍ପଷ୍ଟ ଭାବରେ କହୁଛି, ମୁଁ କେବେ ବି ଲିଙ୍ଗରାଜ ଆଇନର ବିରୋଧରେ ଲିଖିତ କିମ୍ବା ମୌଖିକ ଆକାରରେ, ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ କେଉଁଠି କିଛି କହିନାହିଁ। ଲିଙ୍ଗରାଜ ମନ୍ଦିରର ଉନ୍ନତି ହେଉ ଏହା ସବୁବେଳେ ଆମେ ଚେଷ୍ଟା କରିଛୁ। କୋଟରିରେ ଯେଉଁମାନେ ଅଛନ୍ତି ସେମାନେ କାଗଜ ତିଆରି କରିଦେଲେ ମୁଖ୍ୟମନ୍ତ୍ରୀଙ୍କୁ ପଢ଼ିବା ପାଇଁ। ଯଦି ମୁଖ୍ୟମନ୍ତ୍ରୀ ମୋ ରିପୋର୍ଟ କାର୍ଡ ପଢ଼ିଥା’ନ୍ତେ ତେବେ ଏମିତି କହି ନଥା’ନ୍ତେ। ମୁଖ୍ୟମନ୍ତ୍ରୀ ମୋ ରିପୋର୍ଟ କାର୍ଡ ପଢ଼ି ନାହାନ୍ତି ସେଥିପାଇଁ ମିଛ ଅଭିଯୋଗ ଆଣୁଛନ୍ତି।’’

ଅପରାଜିତା ଆହୁରି କହିଲେ, ‘‘ଡ୍ରେନେଜ୍ ପାଇଁ, ବସ୍ତି ବାସିନ୍ଦାଙ୍କ ପାଇଁ ଛଅଶହ ବର୍ଗଫୁଟର ଜମି ଯୋଗାଇଦେବାକୁ, ଅଧିକ ସଂଖ୍ୟକ ଭେଣ୍ଡିଂ ଜୋନ୍‌, ପଦ୍ମକେଶରୀପୁରରେ ହେଉଥିବା ସୁଧ କାରବାର ରୋକିବା ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ହେଲେ ଏବେ ଯାଏ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ମିଳିନି। ବୋଧହୁଏ ତାଙ୍କ ପାଖଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିଠି ପହଞ୍ଚାଇ ନାହାନ୍ତି। ୫ ବର୍ଷ ଭିତରେ ଗୋଟିଏ ଥର ବି ତାଙ୍କ ଦଳର କୌଣସି ନେତା କି ଜନ ପ୍ରତିନିଧି ମୋତେ ରାଜଧାନୀର ବିକାଶ ପାଇଁ ପ୍ରସ୍ତାବ ଦେଇ ନାହାନ୍ତି। ବିକାଶର କୌଣସି ଦଳ ନଥାଏ। ଦଳ ମତ ନିର୍ବିଶେଷରେ ବିକାଶ କରି ଆସିଛି ଆଗକୁ କରିବି। ନିଜେ ନବୀନ ବାବୁ ମୋତେ ବିମାନ ବନ୍ଦରରେ କହିଥିଲେ ଯେ, ଆପଣ ଭଲକାମ କରୁଛନ୍ତି। ହେଲେ ଏବେ ନିର୍ବାଚନ ସମୟରେ କୋଟରି ପ୍ରସ୍ତୁତ କରିଥିବା କାଗଜ ପଢ଼ି ମିଥ୍ୟା ଅଭିଯୋଗ କରିବାର ମାନେ କ’ଣ?’’