ଧୂଳି ଚଦରରେ ‘ମୋ ସାଇକେଲ୍‌’: ଦୋଷ ଛଡ଼ାଇବାକୁ ହେଉଛି ସାଇକେଲ୍‌ଗିରି, ସାଇକ୍ଲୋଥନ୍‌

ମୋ ସାଇକେଲ୍‌ କେମିତି ଅଧିକ ବ୍ୟବହାର ହେବ ସେ ଯୋଜନା ନାହିଁ

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌ଟେଡ୍ କର୍ତ୍ତୃପକ୍ଷ ୫ କୋଟି ଟଙ୍କାରେ ବିଭିନ୍ନ କମ୍ପାନିରୁ ସାଇକେଲ୍‌ କିଣିଲେ। କ୍ରୁଟ୍‌କୁ ଦେଇ ମୋ ସାଇକେଲ୍‌ ନାଁରେ ଏହାକୁ ଚଲାଇଲେ। କିନ୍ତୁ ଲୋକ ସାଇକେଲ୍‌ ଚଲାଇଲେନି। କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଅପାରଗ ଦର୍ଶାଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ମୋ ସାଇକେଲ୍‌ ନିଜ ଅଧୀନକୁ ଆଣିଲେ। ହେଲେ ସାଇକେଲ୍‌ ଅବସ୍ଥା ଯାହା ଥିଲା, ଏବେ ତାହାଠାରୁ ଅଧିକ ଦୟନୀୟ ହୋଇଯାଇଛି।

ଏବେ ରାସ୍ତାଘାଟରେ ମୋ ସାଇକେଲ୍‌ ଡକ୍‌ରେ ରଖାଯାଇଥିବା ଦେଖିବାକୁ ମିଳୁଛି। ରାସ୍ତାକଡ଼ରେ ବି ଭଙ୍ଗା ମୋ ସାଇକେଲ୍‌ ପଡ଼ିଛି। ହେଲେ ଯେଉଁ ‘ମୋ ସାଇକେଲ୍‌’ଗୁଡ଼ିକ ଭଲ ଅଛି, ସେଗୁଡ଼ିକ ଚଲାଇବା ଅବସ୍ଥାରେ ନାହିଁ। ସାଇକେଲ୍‌ ଉପରେ ପରସ୍ତ ପରସ୍ତ ଧୂଳି ପଡ଼ିଥିବାରୁ ଯେଉଁ କେତେ ଜଣ ଏହି ସାଇକେଲ୍‌ ଚଲାଇବାକୁ ଆସୁଛନ୍ତି, ସେମାନେ ବି ମୁହଁ ମୋଡ଼ି ପଳାଉଛନ୍ତି। ଲୋକଙ୍କ ଅଭିଯୋଗ ଯେ, ମୋ ସାଇକେଲ୍‌ ଯେଉଁ ଡିଜାଇନ୍‌ର ହୋଇଛି, ସେହିଭଳି ସାଇକେଲ୍‌ ଚଲାଇବା କଷ୍ଟକର। ତଥାପି ବି ସାଇକେଲ୍‌ ଚଲାଇବାକୁ ଆସିଲା ବେଳକୁ ସାଇକେଲ୍‌କୁ ସହଜରେ ଅନଲକ୍‌ କରିହେଉନି। ଯଦି ସାଇକେଲ୍‌ ଅନଲକ୍ ହେଉଛି, ତେବେ ଏହାକୁ ଚଲାଇ ହେଉନି। ସାଇକେଲ୍‌ର ସିଟ୍‌ରୁ ଆରମ୍ଭ କରି ହ୍ୟାଣ୍ଡେଲ ପର୍ଯ୍ୟନ୍ତ ସବୁଆଡ଼େ ଖାଲି ପରସ୍ତ ପରସ୍ତ ଧୂଳି। ଧୂଳି ଝାଡ଼ିବାକୁ କପଡ଼ାଟିଏ ନାହିଁ କି କେହି ଧୂଳି ଝାଡ଼ିବାକୁ ନାହାନ୍ତି। ତେଣୁ ସାଇକେଲ୍‌ ଚଲାଇବାକୁ ଇଚ୍ଛା ହେଉନି। ଅନ୍ତତଃ ସାଇକେଲ୍‌ଗୁଡ଼ିକୁ ପ୍ରତିଦିନ ଝାଡ଼ିଲେ କିମ୍ବା ଧୋଇଲେ, ଏହାକୁ ଚଲାଇବା ବେଳେ ଧୂଳି ସମସ୍ୟା ରହନ୍ତାନି।

ମୋ ସାଇକେଲ୍‌ ରକ୍ଷଣାବେକ୍ଷଣ ପାଇଁ ସାଇକେଲ୍‌ ଚଲାଉଥିବା ସଂସ୍ଥାକୁ ପ୍ରତି ସାଇକେଲ୍‌ ପିଛା ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। କିନ୍ତୁ କୌଣସି ସାଇକେଲ୍‌ ମରାମତି ହେଉଥିବା କି ଝଡ଼ାଝଡ଼ି ହୋଇ ରହୁଥିବା କେହି ଦେଖିବାକୁ ପାଉନାହାନ୍ତି। ଯେଉଁ ସାଇକେଲ୍‌ ନ ଚଳାଇବା ସ୍ଥିତିକୁ ଆସୁଛି, ସେ ସାଇକେଲ୍‌ କିଛି ଦିନ ରାସ୍ତାକଡ଼ରେ ଗଡ଼ୁଛି, ଏହାପରେ ପରିଚାଳନା ସଂସ୍ଥା ଏହାକୁ ଉଠାଇ ନେଇ ଡିପୋରେ ପକାଇଦେଉଛି। କିନ୍ତୁ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ବିଏସ୍‌ସିଏଲ୍‌ ଅଧିକାରୀଙ୍କର ଏହା ଉପରେ ନଜର ପଡ଼ୁନି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଯେଉଁ ଦମ୍ଭ ଦେଖାଇ ମୋ ସାଇକେଲ୍‌ ପରିଚାଳନା ଦାୟିତ୍ବ ନେଲେ, ତାହାକୁ କେବଳ ସୋ’ବାଜି କରିବାରେ ବ୍ୟବହାର କଲେ। ପ୍ରତି ଦୁଇ ତିନି ସପ୍ତାହରେ ସାଇକେଲ୍‌ଗିରି, ସାଇକ୍ଲୋଥନ୍ ନାଁରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି କାର୍ଯ୍ୟକ୍ରମ କରୁଛନ୍ତି। ଏହାପରେ ସାଇକେଲ୍‌ କୁଆଡ଼େ ଗଲା, ଲୋକ ଚଲାଉଛନ୍ତି କି ନାହିଁ, କ’ଣ କଲେ ଅଧିକ ଲୋକ ଚଲାଇବେ, ସେନେଇ କିଛି କାର୍ଯ୍ୟକ୍ରମ ହେଉନି କି ଯୋଜନା ନାହିଁ। କେବଳ କେମିତି କିଛି ଦିନ ବ୍ୟବଧାନରେ ଗୋଟିଏ ଲେଖାଏଁ ସାଇକେଲ୍‌ ରାଲି କରିଦେଲେ କାମ ଶେଷ ହେବ, ସେଇ ଚକ୍କରରେ ଅଧିକାରୀମାନେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ଟି ସାଇକେଲ୍‌ ରାଲି ହୋଇଥିବା ବେଳେ ରବିବାର ସକାଳେ ସାଇକ୍ଲୋଥନ୍ ହେବାକୁ ଯାଉଛି। ଏକାମ୍ରକ୍ଷେତ୍ରରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ଏହି ସାଇକେଲ୍‌ ରାଲି ହେବ।

ସମ୍ବନ୍ଧିତ ଖବର