ପୁଷ୍ପଲତାଙ୍କୁ ଜୀବନଠାରୁ ଅଧିକ ଭଲ ପାଉଥିଲି: ପ୍ରୀତିରଞ୍ଜନ

ରାଜଧାନୀର ଏକ କୋରିଅର କମ୍ପାନିରେ କାମ କରନ୍ତି ପ୍ରୀତିରଞ୍ଜନ ପତି। ମଞ୍ଚେଶ୍ବର ଚକେଇସିଆଣିରେ ରୁହନ୍ତି। ମଞ୍ଚେଶ୍ବରରେ ହଠାତ୍ ଦିନେ ପୁଷ୍ପଲତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ସେହିଦିନରୁ ହିଁ ଆରମ୍ଭ ହୋଇଥିଲା ସମ୍ପର୍କ। ଫୋନ୍ ନମ୍ବର ଦିଆନିଆ ପରେ ଆଗକୁ ବଢିଥିଲା ପ୍ରେମ। ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଡିସେମ୍ବର ୨୪ ତାରିଖରେ ଆମଫୋଇରେ ଉଭୟ ବିବାହ କରି ପରସ୍ପରକୁ ପତିପତ୍ନୀ ଭାବେ ସ୍ବୀକାର କରିଥିଲେ। ତେବେ ଏହାର ଠିକ୍ ୫ ଦିନ ପରେ ଅର୍ଥାତ୍ ୨୯ ତାରିଖ ରାତିରେ ପୁଷ୍ପଲତା ଘରୁ ପଳାଇଥିଲେ ବୋଲି କହିଛନ୍ତି ପ୍ରୀତିରଞ୍ଜନ। ପୁଷ୍ପଲତାଙ୍କୁ ଜୀବନଠାରୁ ଅଧିକ ଭଲ ପାଉଥିଲି। ସେ ଏମିତି ଛାଡ଼ି ଚାଲିଯିବ ବୋଲି ସ୍ବପ୍ନରେ ମଧ୍ୟ ବିଶ୍ବାସ କରି ନ ଥିଲି। ସେ ନିଖୋଜ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ମଧ୍ୟ କରିଥିଲି। କିନ୍ତୁ ଶେଷରେ ଏମିତି ଘଟିବ ବୋଲି ଜାଣି ନ ଥିଲି। ଏମିତି ଜଘନ୍ୟ କାଣ୍ଡ ଘଟାଇଥିବା ସଞ୍ଜୟକୁ ଫାଶୀ ଦିଆଯାଉ ବୋଲି କହିଛନ୍ତି ପ୍ରୀତିରଞ୍ଜନ।

ତ୍ରିଶୂଳ ଟାଟୁ ନୁହେଁ, ଜମଦଣ୍ଡା
ପ୍ରୀତିରଞ୍ଜନ କହିଛନ୍ତି ପୁଷ୍ପଲତାଙ୍କ ହାତରେ କୌଣସି ତ୍ରିଶୂଳ ଟାଟୁ ନ ଥିଲା। ତାହା ଥିଲା ଜମଦଣ୍ଡା ବା ଜମଙ୍କ ଅସ୍ତ୍ର। ପୂର୍ବରୁ ଏଭଳି ଟାଟୁ କେବେ ବି ଦେଖି ନ ଥିଲି। ପ୍ରଥମ ଥର ପାଇଁ ପୁଷ୍ପଲତାଙ୍କ ହାତରେ ଏହି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ଏପରି ଟାଟୁ କାହିଁକି କରିଛ ବୋଲି ପଚାରିଥିଲେ ମଧ୍ୟ ପୁଷ୍ପଲତା ଏହାର କିଛି ଉତ୍ତର ଦେଇ ନ ଥିଲେ ବୋଲି କହିଛନ୍ତି ପ୍ରୀତିରଞ୍ଜନ।

ନିଖୋଜ ଘଟଣା ସାମ୍ନାକୁ ଆସି ନ ଥିଲା
ପ୍ରୀତିରଞ୍ଜନ ସହ ବିବାହର ୫ ଦିନ ପରେ ପୁଷ୍ପଲତା ଘରୁ ପଳାଇଥିଲେ। ଏ ନେଇ ପ୍ରୀତିରଞ୍ଜନ ଡିସେମ୍ବର ୩୦ ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଯେତେବେଳେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା ସେତେବେଳେ ନିଖୋଜ ମାମଲାକୁ ପୁଲିସ ଗୁରୁତ୍ବ ଦେଇଥିଲା। କେଉଁ ଥାନାରୁ ନିକଟ ଭବିଷ୍ୟତରେ କିଏ ନିଖୋଜ ହୋଇଛନ୍ତି ସେ ନେଇ ଖୋଳତାଡ଼ କରିଥିଲା ପୁଲିସ। ପ୍ରାୟ ମାସେ ତଳେ ହୋଇଥିବା ଏହି ନିଖୋଜ ମାମଲା କେମିତି ସାମ୍ନାକୁ ଆସି ନ ଥିଲା ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡ ପରେ ଏହି ନିଖୋଜ ମାମଲା ସମ୍ପର୍କରେ ଯଦି ଆରମ୍ଭରୁ ଖୋଳତାଡ଼ ହୋଇଥାନ୍ତା ତାହେଲେ ହୁଏତ ପୁଲିସ ଆହୁରି ଶୀଘ୍ର ଘଟଣାର ପର୍ଦ୍ଦାଫାସ୍ କରିପାରିଥାନ୍ତା ବୋଲି କୁହାଯାଉଛି।

ଡିଏନ୍ଏ ମେଳ ପାଇଁ ପଠାଗଲା ନମୁନା
ମୁଣ୍ଡବିହୀନ ମୃତଦେହ ପୁଷ୍ପଲତାଙ୍କର ବୋଲି ଜଣାପଡ଼ିଥିଲେ ମଧ୍ୟ ଆଇନଗତ ପ୍ରମାଣ ଜରୁରୀ। ଏଥିପାଇଁ ଡିଏନ୍ଏ ପଦ୍ଧତିରେ ମେଳ କରାଯିବ। ପୁଷ୍ପଲତାଙ୍କ ଶରୀରରୁ ନମୁନା ସଂଗ୍ରହ କରାଯାଇଛି। ସେହିପରି ତାଙ୍କ ମା’ ମିନତିଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି। ଏହାକୁ ରାଜ୍ୟ ଫୋରେନସିକ୍ ଲାବରେଟାରିକୁ ପଠାଯାଇଛି। ସେହିପରି କଟା ମୁଣ୍ଡ ପୁଷ୍ପଲତାଙ୍କର ବୋଲି ମଧ୍ୟ ପ୍ରମାଣିତ କରିବା ପାଇଁ ଡିଏନ୍ଏ ପରୀକ୍ଷା କରାଯିବ। ଶନିବାର ଏହି ନମୁନା ପଠାଯିବ। ଏହା ପୂର୍ବରୁ ଆନାଟୋମି ମାଧ୍ୟମରେ ମୁଣ୍ଡ ସହ ଶରୀରର ମେଳ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର