ପ୍ରେମ କରି ଭୁଲ୍‌ କରିଦେଲି, ସାହା ହେଲେ ସବ୍ୟସାଚୀ

ଭୁବନେଶ୍ବର,: ଭଦ୍ରକ ବରପଦାର ସ୍ମିତା (ଛଦ୍ମନାମ) ପ୍ରେମ କରି ଧୋକା ଖାଇବା ପାଇବା ଏ‌ବେ ବେସାହାରା ହୋଇପଡ଼ିଛନ୍ତି। ପ୍ରେମ କରି ସେ ଭୁଲ୍‌ କରିଦେଲେ ବୋଲି ପଶ୍ଚାତାପ କରୁଛନ୍ତି।

୨୦୧୯ ମସିହା ଜୁନ୍‌ ୨୦ ତାରିଖ। ସେତେବେଳକୁ ସ୍ମିତାଙ୍କ ବାହାଘରକୁ ୨ ମାସ ବିତିସାରିଥାଏ। ଭଦ୍ରକର ଜଣେ ଯୁବକଙ୍କୁ ସେ ପ୍ରେମ କରୁଥିବାରୁ ବିବାହକୁ ନେଇ ସନ୍ତୁଷ୍ଟ ନଥିଲେ। ବାପା ମା’ଙ୍କ ଇଚ୍ଛାକୁ ସମ୍ମାନ ଦେଇ ବାହା ହୋଇଥିଲେ ମଧ୍ୟ ସେ ପ୍ରେମିକ ସହ ‌ଯୋଗାଯୋଗରେ ଥିଲେ। ବିବାହର ୨ ମାସ ପରେ ସେ ପ୍ରେମିକ ସହ ପୁରୀ ଯାଇ ସେଠାରେ ବିବାହ କରି ବେଙ୍ଗାଲୁରୁ ଚାଲିଗଲେ। ସେଠାରେ ରହିବା ଭିତରେ ଜାଣିବାକୁ ପାଇଲେ ଉକ୍ତ ଯୁବକ ଆଉ ଜଣେ ଝିଅକୁ ପ୍ରେମ କରୁଛନ୍ତି। ସେତେବେଳକୁ ସ୍ମିତା ଗର୍ଭବତୀ ହୋଇସାରିଥିଲେ। ସନ୍ତାନ ଜନ୍ମକୁ ମାତ୍ର ୪ ଦିନ ଥାଏ ଦ୍ବିତୀୟ ସ୍ବାମୀ ସ୍ମିତାଙ୍କୁ ଛାଡ଼ି କୁଆଡ଼େ ପ‌ଳାଇଲେ। ସ୍ମିତା କିଛି ବାଟ ନପାଇ ଲାଲା ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କଲେ। ଲାଲା ଏ ସମ୍ପର୍କରେ ଅଭିନେତା ସବ୍ୟସାଚୀଙ୍କୁ ଜଣାଇଲେ। ସବ୍ୟସାଚୀ ବେଙ୍ଗାଲୁରୁରେ କିଛି ବ୍ୟକ୍ତିଙ୍କ ସହାୟତାରେ ସ୍ମିତାଙ୍କୁ ହସ୍ପିଟାଲ୍‌ ନେଲେ। ସେଠାରେ ତାଙ୍କର ଝିଅଟିଏ ଜନ୍ମ ନେବା ‌ପରେ ସେ ସବ୍ୟସାଚୀଙ୍କୁ ତାଙ୍କ ଝିଅର ନାଁ ରଖିବାକୁ କହିଥିଲେ। ସଂଯୋଗବଶତଃ ସେଇଦିନ ଆଲବମ ଅଭିନେତ୍ରୀ ଦୀପାଙ୍କର ମୃତ୍ୟୁ ହୋଇଥିବାରୁ ସବ୍ୟସାଚୀ କହିଥିଲେ ଝିଅର ନାଁ ଦୀପା ରଖ।

ସ୍ମିତା ସୁସ୍ଥ ହେବା ପରେ ସବ୍ୟସାଚୀ ଏୟାର ଏସିଆ ଫ୍ଲାଇଟ୍‌ ଯୋଗେ ତାଙ୍କୁ ଓ କୁନି ଝିଅକୁ ଓଡ଼ିଶା ଫେରାଇ ଆଣିଛନ୍ତି। ସ୍ମିତା କହିଛନ୍ତି, ଆଉ ମୋ’ର ପ୍ରେମ ଉପରେ ଭରସା ନାହିଁ। ବରଂ ଏବେ ମୋ’ ଝିଅ କେମିତି ମଣିଷ ହେବ ତାହା ହିଁ ମୋର ଲକ୍ଷ୍ୟ। ମୋତେ ଯିଏ ଏତେ ବଡ଼ ସଙ୍କଟରେ ପକେଇ ଛାଡ଼ିକି ଆସିପାରିଲା, ଭଗବାନ ତାକୁ ଶାସ୍ତି ଦିଅନ୍ତୁ।

ସମ୍ବନ୍ଧିତ ଖବର